ବିନା ପ୍ରେସ୍‌କ୍ରିପ୍ସନରେ ବିକ୍ରି ହେବନି ୧୨%ରୁ ଅଧିକ ଆଲ୍‌କୋହଲଯୁକ୍ତ ଔଷଧ

Jul 11, 2026 - 20:50
ବିନା ପ୍ରେସ୍‌କ୍ରିପ୍ସନରେ ବିକ୍ରି ହେବନି ୧୨%ରୁ ଅଧିକ ଆଲ୍‌କୋହଲଯୁକ୍ତ ଔଷଧ

ନୂଆଦିଲ୍ଲୀ: ଆଲ୍‌କୋହଲଯୁକ୍ତ ଔଷଧର ଦୁରୁପଯୋଗ ହେଉଥିବାରୁ ଏହାକୁ ରୋକିବା ପାଇଁ କେନ୍ଦ୍ର ସରକାର ଔଷଧ ପ୍ରସ୍ତୁତି ନିୟମ ଡ୍ରଗ୍ସ ରୁଲ୍‌ସ, ୧୯୪୫ରେ ସଂଶୋଧନ ଆଣିଛନ୍ତି। ୧୨ ପ୍ରତିଶତରୁ ଊର୍ଦ୍ଧ୍ୱ ଇଥାଇଲ୍‌ ଆଲକୋହଲ ଥିବା ଏବଂ ୩୦ ମିଲିଲିଟରରୁ ବଡ଼ ବୋତଲରେ ବିକ୍ରି ହେଉଥିବା ଖାଇବା ଔଷଧକୁ ସରକାର ସିଡ୍ୟୁଲ ଏଚ୍‌-୧ ଅଧୀନକୁ ଆଣିଛନ୍ତି। ଏକ ଗେଜେଟ୍‌ ବିଜ୍ଞପ୍ତି ଜରିଆରେ ଉକ୍ତ ସଂଶୋଧନ ପ୍ରକାଶ ପାଇଛି। ଉକ୍ତ ଔଷଧଗୁଡ଼ିକ ଏଣିକି ପ୍ରେସ୍‌କ୍ରିପଶନ ଏବଂ କଡ଼ାକଡ଼ି ନିୟମାବଳୀ ଅନୁଯାୟୀ ବିକ୍ରି କରାଯିବ। ଉକ୍ତ ଔଷଧ ପ୍ରସ୍ତୁତି ପାଇଁ ଲାଇସେନ୍ସକୁ ବାଧ୍ୟତାମୂଳକ କରାଯାଇଛି।
ଅଧିକ ଆଲ୍‌କୋହଲ ଥିବା କେତେକ କଫ୍‌ ସିରପ୍‌, ଟନିକ୍‌ ଓ ଅନ୍ୟାନ୍ୟ ଖାଇବା ଔଷଧର ଦୁରୁପଯୋଗ ହେଉଥିବାରୁ ଏହାକୁ ନେଇ ଚିନ୍ତା ବଢ଼ିଥିଲା। ବିଶେଷକରି ଡାକ୍ତରଙ୍କ ବିନା ପରାମର୍ଶ ବା ପ୍ରେସ୍‌କ୍ରିପ୍‌ଶନ ଏବଂ ବିନା ଉପଯୁକ୍ତ ତଦାରଖରେ ବିକ୍ରି ହେଉଥିବା ଔଷଧଗୁଡ଼ିକର ଦୁରୁପଯୋଗ ହୋଇଥାଏ। ସେଗୁଡ଼ିକୁ ଏଚ୍‌୧ ବର୍ଗରେ ରଖାଯାଇଥିବାରୁ ଏହା ଉପରେ ଅଧିକ ତଦାରଖ କରାଯିବ। ସରକାରଙ୍କ ଲକ୍ଷ୍ୟ ହେଉଛି ଔଷଧର ଅପବ୍ୟବହାରକୁ କମାଇବା, ସେଗୁଡ଼ିକର ଦାୟିତ୍ୱପୂର୍ଣ୍ଣ ବିତରଣ ବା ବିକ୍ରି ନିଶ୍ଚିତ କରିବା ଏବଂ ଔଷଧ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା। ଔଷଧ ବିକ୍ରି ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ଅର୍ଥ ରୋଗୀମାନଙ୍କ ପାଇଁ ଏହା ଅସୁରକ୍ଷିତ କି ନିଷିଦ୍ଧ ନୁହେଁ। ତେବେ ସେଗୁଡ଼ିକ ଉପଯୁକ୍ତ ଡାକ୍ତରୀ ତଦାରଖରେ ବ୍ୟବହାର ହେବା ଆବଶ୍ୟକ। ସେହିପରି ସଂଶୋଧିତ ନିୟମ ଅନୁଯାୟୀ ଏଣିକି ଔଷଧ କମ୍ପାନୀଗୁଡ଼ିକୁ କଡ଼ାକଡ଼ି ଭାବେ ଔଷଧ ବିକ୍ରିର ରେକର୍ଡ ରଖିବା ସହ ଡାକ୍ତରଙ୍କ ପ୍ରେସ୍‌କ୍ରିପ୍‌ଶନ ନିଜ ପାଖରେ ସାଇତି ରଖିବାକୁ ହେବ। ଏଚ୍‌୧ ବର୍ଗରେ ଆସୁଥିବା ବିଭିନ୍ନ ଆଣ୍ଟିବାୟୋଟିକ୍ସ, ଆଣ୍ଟି-ଟ୍ୟୁବରକୁଲୋସିସ୍‌ ଔଷଧ ଏବଂ ଅଧିକ ବିପଦ ଥିବା ଔଷଧ ପାଇଁ ଏହି ନିୟମ ପ୍ରଚଳିତ ରହିଛି। ଏଚ୍‌୧ ସିଡ୍ୟୁଲରେ ଆସୁଥିବା ଔଷଧଗୁଡ଼ିକ କାଉଣ୍ଟରରେ ମୁକ୍ତ ଭାବରେ ବିକ୍ରି ହୋଇ ନ ଥାଏ। ଏଥିପାଇଁ ଫାର୍ମାସିଷ୍ଟମାନଙ୍କୁ ପଞ୍ଜୀକୃତ ଡାକ୍ତରଙ୍କ ବୈଧ ପ୍ରେସ୍‌କ୍ରିପ୍‌ଶନ ଚାହିଁଥାନ୍ତି। ପ୍ରତ୍ୟେକ ବିକ୍ରିକୁ ଏକ ସ୍ବତନ୍ତ୍ର ରେଜିଷ୍ଟରରେ ରେକର୍ଡ କରିଥାନ୍ତି। ପ୍ରେସ୍‌କ୍ରିପଶନ୍‌ ଓ ଡିସ୍‌ପେନ୍ସିଂ ରେକର୍ଡକୁ ନିୟମିତ ଯାଞ୍ଚ ପାଇଁ ଅନୂ୍ୟନ ୩ ବର୍ଷ ସଂରକ୍ଷିତ ରଖିଥାନ୍ତି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।