ବିଧାନସଭା ଉପବାଚସ୍ପତିଙ୍କ ନକଲି ଦସ୍ତଖତରେ ବଦଳି, ୨ ଯନ୍ତ୍ରୀଙ୍କ ନାଁ ରେ ମାମଲା

Jun 17, 2026 - 16:37
ବିଧାନସଭା ଉପବାଚସ୍ପତିଙ୍କ ନକଲି ଦସ୍ତଖତରେ ବଦଳି, ୨ ଯନ୍ତ୍ରୀଙ୍କ ନାଁ ରେ ମାମଲା

ଭୁବନେଶ୍ୱର : ବିଧାନସଭା ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କ ନକଲି ଦସ୍ତଖତରେ ବଦଳି ହୋଇଥିବା ନେଇ ସଂଗୀନ ଅଭିଯୋଗ । ୨ ସହକାରୀ ଯନ୍ତ୍ରୀଙ୍କ ନାଁରେ କ୍ୟାପିଟାଲ ଥାନାରେ ମାମଲା । ବିଧାନସଭା ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କ ବ୍ୟକ୍ତିଗତ ସଚିବ ନିରଞ୍ଜନ କୁମାର ଶ’ ଲିଖିତ ଅଭିଯୋଗ ପରେ ପ୍ରଶାସନିକ ମହଲରେ ଚହଳ ସୃଷ୍ଟି ହେଇଛି । ୨ ଅଭିଯୁକ୍ତ ଯନ୍ତ୍ରୀ ହେଲେ ମୋନାଲିସା ବେହେରା ଓ ଲକ୍ଷ୍ମଣ ହେମ୍ବ୍ରମ । ଅଭିଯୋଗ ପରେ ଲକ୍ଷ୍ମଣ ହେମ୍ବ୍ରମଙ୍କୁ ପୋଲିସ ଅଟକ ରଖିଥିବା ବେଳେ ମୋନାଲିସା ବେହେରାଙ୍କ ପତ୍ତା ମିଳିପାରି ନାହିଁ । ଓଡ଼ିଶା ବିଧାନସଭାର ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କ ଦସ୍ତଖତ ଜାଲି କରିବା, ସରକାରୀ ଡି.ଓ. ପ୍ୟାଡ୍‌ର ଦୁରୁପଯୋଗ କରିବା ଏବଂ ଜାଲ୍ ଦସ୍ତଖତ ବ୍ୟବହାର କରି ବଦଳି ହାସଲ କରିବା ଉଦ୍ଦେଶ୍ୟରେ ଷଡ଼୍‌ଯନ୍ତ୍ର ରଚାଯାଇଥିବା ଅଭିଯୋଗରେ ଦୁଇ ଜଣ ସହକାରୀ ଯନ୍ତ୍ରୀଙ୍କ ବିରୋଧରେ ଏଫଆଇଆର୍ ରୁଜୁ କରାଯାଇଛି ।

କ୍ୟାପିଟାଲ ଥାନାରେ ଦାଏର ଏଫଆଇଆରରେ ଦର୍ଶାଯାଇଛି ଯେ, ନିଜର ବଦଳି ପାଇଁ ଦୁଇଜଣ ସରକାରୀ କର୍ମଚାରୀ(ଇଞ୍ଜିନିୟର) ବିଧାନସଭାର ଉପବାଚସ୍ପତିଙ୍କ ଜାଲ୍ ଦସ୍ତଖତ ଓ ସରକାରୀ ପ୍ୟାଡକୁ ଅପବ୍ୟବହାରର କରିଛନ୍ତି । ବାଂଶପାଳ ବ୍ଲକର ଅତିରିକ୍ତ ସହକାରୀ ଯନ୍ତ୍ରୀ(ଏଇଇ) ମୋନାଲିସା ବେହେରା ଓ ହରିଚନ୍ଦନପୁର ବ୍ଲକ ଅତିରିକ୍ତ ସହକାରୀ ଯନ୍ତ୍ରୀ ଲକ୍ଷ୍ମଣ ହେମ୍ବ୍ରମ ମିଳିତ ଭାବେ ଏହି ସଙ୍ଗୀନ ଜାଲିଆତି କରିଛନ୍ତି। ସେମାନେ ନିଜର ବଦଳି ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ଓ ସଦର ବ୍ଲକକୁ କରାଇବା ପାଇଁ ଏକ ଅଭିନବ ଉପାୟ ଆପଣାଇଥିବା ଜଣାପଡ଼ିଛି। ଉପବାଚସ୍ପତିଙ୍କ କାର୍ଯ୍ୟାଳୟରୁ ସେମାନଙ୍କ ବଦଳି ସୁପାରିଶ ପାଇଁ କୌଣସି ଚିଠି ଜାରି କରାଯାଇ ନଥିଲେ ମଧ୍ୟ ସେମାନେ ଉପବାଚସ୍ପତିଙ୍କ ଅଫିସିଆଲ୍ ଡି.ଓ. ପ୍ୟାଡର ଅପବ୍ୟବହାର କରିବା ସହ ତାଙ୍କର ଜାଲ୍ ଦସ୍ତଖତ କରି ପଂଚାୟତିରାଜ ଓ ପାନୀୟ ଜଳ ବିଭାଗରେ ଦାଖଲ କରିଥିବା ଜଣାପଡ଼ିଛି। ଯାହାଫଳରେ ସେମାନଙ୍କର ବଦଳି ସହଜରେ ହୋଇପାରିବ। ବିଧାନସଭା ଉପବାଚସ୍ପତିଙ୍କ କାର୍ଯ୍ୟାଳୟ ଏହି ଜାଲିଆତି ବିଷୟରେ ଅବଗତ ହେବାପରେ ଏନେଇବ ବିଧିବଦ୍ଧ ଭାବେ ଥାନାରେ ମାମଲା ରୁଜୁ ହୋଇଛି । ଉପବାଚସ୍ପତିଙ୍କ ବ୍ୟକ୍ତିଗତ ସଚିବ ନିରଞ୍ଜନ କୁମାର ଶ’ କ୍ୟାପିଟାଲ ଥାନା ଆଇଆଇସିଙ୍କୁ ଚିଠି ଲେଖି ଏଫଆଇଆର ରୁଜୁ କରିବା ପାଇଁ ଅନୁରୋଧ କରିଛନ୍ତି। ସରକାରୀ ପଦବୀରେ ଥାଇ ମଧ୍ୟ ଜାଲିଆତି କରିବା, ମିଥ୍ୟା ସରକାରୀ ଦସ୍ତାବିଜ ପ୍ରସ୍ତୁତି, ଓ ସୂଚନା ପ୍ରଯୁକ୍ତିବିଦ୍ୟା ଆଇନର ଉଲ୍ଲଂଘନ କରିବା ଭଳି ସଂଗୀନ ଅପରାଧରେ ଉଭୟ ଇଞ୍ଜିନିୟର ଜଡ଼ିତ ଥିବା ଏଫଆଇଆରରେ ଦର୍ଶାଯାଇଛି।

 

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।