ବିଦ୍ୟୁତ ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ: ଗର୍ଭଣା ଗ୍ରାମରେ ଉତ୍ତେଜନା, ମିଳିବ ୪ ଲକ୍ଷ ଟଙ୍କାର ସହାୟତା
ଭେଡେନ, ୧୧।୭ (ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ରୁଷୁଡ଼ା ଫାଣ୍ଡି ଅଧୀନସ୍ଥ ଗର୍ଭଣା ଗ୍ରାମରେ ଶନିବାର ଏକ ଦୁଃଖଦାୟକ ଘଟଣା ଘଟିଯାଇଛି। ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ଜଣକ ହେଉଛନ୍ତି ସେହି ଗ୍ରାମର ଅଯୋଧ୍ୟା ବଢେଇ।
ସୂଚନା ଅନୁଯାୟୀ, ଅଯୋଧ୍ୟା ତାଙ୍କ ବାଡ଼ି ପଟେ ଥିବା ସମୟରେ ସେଠାରେ ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ କାଦୋବାହାଲସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଂକଟାପନ୍ନ ଥିବାରୁ ତାଙ୍କୁ ବୁର୍ଲା ଭୀମସାର୍କୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।
ମହିଳାଙ୍କ ମୃତ୍ୟୁ ଖବର ପ୍ରସାରିତ ହେବା ପରେ ଗର୍ଭଣା ଗ୍ରାମରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ଭେଡେନ ଥାନା ଏଏସ୍ଆଇ ଟଙ୍କଧର ବରିହା ଏବଂ ଖୁଣ୍ଟୁଲିପାଲି ବିଦ୍ୟୁତ ବିଭାଗ ଗ୍ରୀଡ୍ କନିଷ୍ଠ ଯନ୍ତ୍ରୀ ଅମିତ କୁମାର ଲେଙ୍କା ଗ୍ରାମରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିଥିଲେ।
ସରକାରୀ ନିୟମ ଅନୁଯାୟୀ ମୃତକଙ୍କ ପରିବାରକୁ ଉପଯୁକ୍ତ ଅନୁକମ୍ପାମୂଳକ ସହାୟତା ରାଶି ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଏ ସମ୍ପର୍କରେ ଭେଡେନ ବିଦ୍ୟୁତ ବିଭାଗ ଏସ.ଡି.ଓ ପ୍ରଦୀପ୍ତ କୁମାର ଷଡ଼ଙ୍ଗୀ କହିଛନ୍ତି ଯେ, ସମସ୍ତ ଆବଶ୍ୟକୀୟ କାଗଜପତ୍ର ମିଳିବା ପରେ ତାହାକୁ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଯିବ। ଅର୍ଥ ମଞ୍ଜୁର ହେବା ପରେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।