ବିଦୂର ନୀତି: ଏହି ୫ଟି ବଦ୍ଗୁଣରୁ ସର୍ବଦା ଦୂରେଇ ରହନ୍ତୁ
ଭୁବନେଶ୍ୱର ୦୬/୦୭: ମହାତ୍ମା ବିଦୁର ‘ମହାଭାରତ’ର ଜଣେ ବିଚକ୍ଷଣ ରାଜନୀତିଜ୍ଞ, ଧୃତରାଷ୍ଟ୍ରଙ୍କ ମହାମନ୍ତ୍ରୀ, ଧର୍ମଜ୍ଞ ତଥା କୃଷ୍ଣଭକ୍ତ । ମହାତ୍ମା ବିଦୁର ଧୃତରାଷ୍ଟ୍ରଙ୍କୁ ପରାମର୍ଶ ଦେବାବେଳେ ଯେଉଁ ଗଭୀର ଜ୍ଞାନ ପ୍ରଦାନ କରିଥିଲେ ତାହା ‘ବିଦୁର ନୀତି’ ଭାବେ ସୁପ୍ରସିଦ୍ଧ । ଏହା ମହାଭାରତର ‘ଉଦ୍ୟୋଗ ପର୍ବ’ରେ ବିସ୍ତୃତ ଭାବେ ଉଲ୍ଲେଖିତ ।
ବିଦୁର ତାଙ୍କ ନୀତିରେ ମଣିଷର କେତେକ ବଦଗୁଣ ଉପରେ ଅଲୋକପାତ କରିଛନ୍ତି ଯାହାକୁ ସମୟ ଥାଇ ନିୟନ୍ତ୍ରଣ ନକଲେ ତାହା ସେହି ମଣିଷର ପତନର କାରଣ ପାଲଟି ଯାଇଥାଏ । ଆସନ୍ତୁ ଜାଣିବା ସେହି ବଦଗୁଣ ବିଷୟରେ…
ଅହଙ୍କାର: ବିଦୁର ନୀତି ଅନୁସାରେ ଅହଙ୍କାର ମଣିଷକୁ ପତୋନ୍ମୁଖୀ କରିବାରେ ପ୍ରଥମ ପଦକ୍ଷେପ ଅଟେ । ନିଜର ଧନ, ପଦପଦବୀ,ବଳ,ରୂପଯୌବନକୁ ନେଇ ଅହଙ୍କାର ମୁଣ୍ଡକୁ ଚଢ଼ିଗଲେ ମଣିଷ ଅନ୍ୟମାନଙ୍କୁ ହୀନଦୃଷ୍ଟିରେ ଦେଖିବା ଆରମ୍ଭ କରେ । ସେ ନିକଟତମ ଲୋକର ଉଚିତ ପରାମର୍ଶକୁ ଶୁଣିବାକୁ ବି ପ୍ରସ୍ତୁତ ହୁଏ ନାହିଁ । ଅହଙ୍କାରପୂର୍ଣ୍ଣ ଭାବନାରେ ଭୁଲ୍ ନିଷ୍ପତ୍ତି ନିଏ । ମହାଭାରତରେ ଦୁର୍ଯ୍ୟୋଧନ ଏହାର ସବୁଠୁ ଉତ୍କୃଷ୍ଟ ଉଦାହରଣ । ଶ୍ରୀକୃଷ୍ଣ,ଭୀଷ୍ମ ଇତ୍ୟାଦିଙ୍କ ଭଳି ମହତଜନଙ୍କ ସୁପରାମର୍ଶକୁ ଏଡ଼ାଇ ଦେଇ ଦୁର୍ଯ୍ୟୋଧନ ନିଜ ବଂଶ ପାଇଁ ଧ୍ୱଂସର କାରଣ ପାଲଟିଥିଲା । ଅତଃ ମଣିଷକୁ ସର୍ବଦା ମୂଳ ସହ ଯୋଡ଼ି ହୋଇ ବିନମ୍ର ରହିବା ଉଚିତ ।
କ୍ରୋଧ: କ୍ରୋଧ ମଣିଷର ସବୁଠୁ ବଡ଼ ଶତ୍ରୁ । କ୍ରୋଧାନ୍ଧ ମଣିଷର ବୁଦ୍ଧି ନଷ୍ଟ ହୋଇଯାଏ । ଭଲ,ମନ୍ଦ ମଧ୍ୟରେ ଫରକ ବାଛିବା ସମ୍ଭବ ହୁଏ ନାହିଁ । କ୍ରୋଧରେ ନିଆଯାଉଥିବା ନିଷ୍ପତ୍ତି ସର୍ବଦା ଭ୍ରମାତ୍ମକ ହୋଇଥାଏ । କ୍ରୋଧୀ ଦୁର୍ଯ୍ୟୋଧନର ଭୁଲ ନିଷ୍ପତ୍ତି କାରଣରୁ ହିଁ ମହାଭାରତର ସୂତ୍ରପାତ ହୋଇଥିଲା । ଅତିରିକ୍ତ କ୍ରୋଧ ଆସିବା ସମୟରେ ଧୀରସ୍ଥିର ରହି ଲମ୍ବା ତଥା ଗଭୀର ପ୍ରଶ୍ୱାସ ନେବା ଉଚିତ ।
ଆଳସ୍ୟ: ଆଳସ୍ୟ ମହାମୁର୍ଖତାର ଆଉ ଏକ ଲକ୍ଷଣ । ଆଳସ୍ୟପରାୟଣ ବ୍ୟକ୍ତି ଜୀବନରେ କ୍ୱଚିତ ସଫଳତା ଲାଭ କରେ । ଆଜି କାମ କାଲିକୁ ପକାଇ ରଖିବା ବଦଭ୍ୟାସରୁ ମୁକ୍ତି ପାଇବାକୁ ଚେଷ୍ଟା କରିବା ଉଚିତ । ଆଳସ୍ୟପରାୟଣତାରୁ ମୁକ୍ତ ହେବା ପାଇଁ ନିଜ ଆଗରେ ଛୋଟ ଛୋଟ ଲକ୍ଷ୍ୟ ରଖି ତାକୁ ପୂରଣ କରିବାକୁ ଚେଷ୍ଟା କରିବା ଉଚିତ ।
ଇର୍ଷା: ଅନ୍ୟର ସୁଖ ଏବଂ ସଫଳତା ଦେଖି ଇର୍ଷା ପୋଷଣ କରୁଥିବା ବ୍ୟକ୍ତି ଏହି ବଦଗୁଣ ଦୂରେଇବାକୁ ଚେଷ୍ଟା ନକଲେ ତା’ର ବ୍ୟକ୍ତିତ୍ୱ କ୍ରମେ ଫମ୍ପା ହୋଇଯାଏ । କାରଣ ସେ ନିଜର ଉନ୍ନତି ପ୍ରତି ଦୃଷ୍ଟି ନଦେଇ ସର୍ବଦା ଅନ୍ୟକୁ ନୀଚ୍ଚା ଦେଖାଇବାକୁ ଉଦ୍ୟମରତ ରହେ । ମହାଭାରତରେ ଦୁର୍ଯ୍ୟୋଧନ ସର୍ବଦା ପାଣ୍ଡବଙ୍କ ପ୍ରତି ଇର୍ଷା ପରାୟଣ ରହୁଥିଲା । ଏହାହିଁ ମହାଭାରତ ଯୁଦ୍ଧର ସବୁଠୁ ବଡ଼ କାରଣ ପାଲଟିଯାଇଥିଲା ।
ଆହୁରି ପଢ଼ନ୍ତୁ...Haunted Beach In India: ଭାରତର ସବୁଠୁ ଭୟଙ୍କର ବେଳାଭୂମି; ବଲୁଛନ୍ତି ଆତ୍ମା, ସୂର୍ଯ୍ୟାସ୍ତ ପରେ ଯିବାକୁ ମନା
ଲୋଭ: ଲୋଭ କେବେ ପ୍ରଶମିତ ହେଉନଥିବା ନିଆଁ ପରି । ଏହା କବଳରେ ପଡ଼ିଲେ ଉଦ୍ଧାର ପାଇବା ମୁସ୍କିଲ । କୌରବମାନେ ଲୋଭରେ ପାଣ୍ଡବଙ୍କ ସମସ୍ତ ସମ୍ପତ୍ତି ହଡପ କରିନେଇ ଶେଷରେ ନିଜେ ହିଁ ନଷ୍ଟ ହୋଇଯାଇଥିଲେ । ଏଣୁ ନିଜ ଇଚ୍ଛାକୁ ସର୍ବଦା ନିୟନ୍ତ୍ରିତ ରଖିବା ତଥା ନିଜର ଯେତିକି ଅଛି ସେତିକିରେ ସନ୍ତୁଷ୍ଟ ହେବା ବୁଦ୍ଧିମାନର କାର୍ଯ୍ୟ ଅଟେ ।