ବିଜେଡିରୁ ଭାଜପା, ପୁଣି ବିଜେଡିକୁ ଆସିବା ପରେ ଏବେ ହରଡ଼ଘଣାରେ ବ୍ଲକ ଅଧ୍ୟକ୍ଷା
ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ବିଜେଡିରୁ ଭାଜପା ଓ ପୁଣି ବିଜେଡିକୁ ଆସିବା ପରେ ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଏବେ ହରଡ଼ଘଣାରେ ପଡ଼ିଯାଇଛନ୍ତି। ଅଧ୍ୟକ୍ଷାଙ୍କ ବିରୋଧରେ ବିଭିନ୍ନ ପ୍ରକାର ଅଭିଯୋଗ ଲଦାଯାଇ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ରାଜନୈତିକ ଆକ୍ରୋଶ ରଖି ମୋ’ ଉପରେ ମିଥ୍ୟା ଆରୋପ ଲଦାଯାଇଥିବା ବ୍ଲକ ଅଧ୍ୟକ୍ଷା ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖିଛନ୍ତି। କ୍ଷମତାର ଅପବ୍ୟବହାର କରିବା ସହ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ଥିବା ଅଧ୍ୟକ୍ଷାଙ୍କ ନିକଟକୁ କୌଣସି ପତ୍ର ପ୍ରେରିତ ନ କରି କିଛି ଫାଇଲ ନ ପଠାଇ ମୋର ବିରୋଧରେ ଜିଲାପାଳଙ୍କୁ ପତ୍ର ଲେଖାଯାଇଛି। ଏପରିକି ପ୍ରତି ସ୍ବାକ୍ଷର ପାଇଁ ମୌଖିକ ଭାବେ ଦେଇଥିବା ସମସ୍ତ ଫାଇଲ ମଧ୍ୟ ଯୁଗ୍ମ ସ୍ବାକ୍ଷର କରି କେବେଠାରୁ ନେଇ ସାରିଛନ୍ତି। ଇ-ଡିଜିଟାଲ ସାଇନ ସମ୍ବନ୍ଧରେ କୌଣସି ଲିଖିତ ଚିଠି ମଧ୍ୟ ପ୍ରଦାନ କରିନାହାନ୍ତି। ଏହାସହ ବିଡିଓ ମୋ’ ସହ କୌଣସି ଆଲୋଚନା ନ କରି କେତେକ ଫାଇଲ ଅର୍ଥକୁ ଅନିୟମିତତା କରିଥିବାରୁ ମୋର ପାଖକୁ ନ ଆଣି ବାଇପାସ କରି ବିଲ୍ ନେଇଯିବାକୁ ଉଦ୍ୟମ କରୁଛନ୍ତି। ସେହିପିରି ପଞ୍ଚାୟତ ସମିତି ବୈଠକ ଯେବେ କରିବାକୁ କୁହାଯାଉଛି ସେତେବେଳେ ଲୋକ ସଭା କିମ୍ବା ବିଧାନସଭା ଲାଗି ରହିଥାଉଛି। ଅନ୍ୟପଟେ ମୁଁ ଅଫିସକୁ ଗଲେ ମୋର ରୁମ୍ରେ ପାଣି, ବିଜୁଳି କାଟି ଦିଆଯାଉଛି। ଅଫିସ ସମ୍ମୁଖରେ ମଇଳା ଅବର୍ଜନା ରଖାଯାଉଛି। ଏଭଳି ହଇରାଣ କରାଯାଉଥିବା ବେଳେ ଗଞ୍ଜାମ ଜିଲାପାଳଙ୍କ ପକ୍ଷରୁ ଗତ ୨୯ ତାରିଖରେ ପତ୍ରସଂଖ୍ୟା ୧୨୬୨ରେ ମୋ’ ଉପରେ ବିଭିନ୍ନ ଅଭିଯୋଗର କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଏହାର ଉତ୍ତର ୭ଦିନ ମଧ୍ୟରେ ତୁରନ୍ତ ଦେବାକୁ ନିର୍ଦ୍ଦେଶ ରହିଛି।
ଅନ୍ୟପକ୍ଷରେ ସେହିଦିନ ହିଁ ପତ୍ର ସଂଖ୍ୟା ୧୨୬୦ରେ ଭଞ୍ଜନଗର ଉପଜିଲାପାଳଙ୍କୁ ବୁଗୁଡ଼ା ପଞ୍ଚାୟତ ପଞ୍ଚଦଶ କେନ୍ଦ୍ରୀୟ ଅର୍ଥ କମିଶନର ଗୃହୀତ ହୋଇଥିବା ପ୍ରକଳ୍ପଗୁଡ଼ିକର ମୋର ସ୍ଥାନରେ ପ୍ରତି ସ୍ବାକ୍ଷର କରିବା ପାଇଁ ଜିଲାପାଳଙ୍କ ଦସ୍ତଖତରେ ପତ୍ର ଲେଖାଯାଇଛି। ଏହା କେତେଦୂର ଯଥାର୍ଥତା ରହିଛି ତାହା ଜାଣିପାରୁଥିବେ। ଗୋଟିଏ ପଟେ ମୋ’ ଉପରେ ଲଦାଯାଇଥିବା ଅଭିଯୋଗର ନୋଟିସ୍ ଦିଆଯାଉଛି ଏବଂ ଅନ୍ୟପଟେ ମୋ’ ବଦଳରେ ଭଞ୍ଜନଗର ଉପଜିଲାପାଳଙ୍କୁ ପ୍ରତି ସ୍ବାକ୍ଷର ପାଇଁ କୁହାଯାଉଛି। ଏହା ରାଜନୈତିକ ଆକ୍ରୋଶ ନୁହଁ ତ ଆଉ କ’ଣ ରହିଛି। ଆଜି ଜିଲାପାଳଙ୍କ ନୋଟିସ୍ ଅନୁସାରେ ମୁଁ ଜିଲାପାଳଙ୍କୁ ସାକ୍ଷାତ କରି ବୁଗୁଡା ବ୍ଲକର ସବୁ ବିଷୟ ନେଇ ଆଲୋଚନା କରିଛି। ଜିଲାପାଳ ମୋତେ ଆଶ୍ୱସନା ଦେଇଛନ୍ତି। ଆପଣଙ୍କ ପଦର ମର୍ଯ୍ୟାଦା ସହ ବ୍ଲକର ବିକାଶରେ ସମସ୍ତେ ମିଳିମିଶି କାମ କରିବା। ଏହା ସତ୍ତ୍ୱେ ଯଦି କିଛି ନ ହୁଏ ତେବେ ମୁଁ ମୋର ନ୍ୟାୟ ପାଇଁ ମାନ୍ୟବର ଉଚ୍ଚନ୍ୟାୟ।ଳୟଙ୍କ ଦ୍ୱାରସ୍ଥ ହେବି ବୋଲି ଅଧ୍ୟକ୍ଷା ଶ୍ରୀମତୀ ଆଚାରୀ କହିଛନ୍ତି।