ବିକାଶର ନୂଆ ଠିକଣା

May 19, 2026 - 10:14

ବିକାଶକୁ ନେଇ ସମ୍ପ୍ରତି ଖୁବ୍‌ ଚର୍ଚ୍ଚା ଚାଲିଛି। କୁହାଯାଉଛି ଆମେ ଏକ ବିକାଶଶୀଳ ଦେଶରେ ପରିଣତ ହେବାକୁ ଆଉ ବେଶି ଦୂର ନୁହେଁ। ଏଥିପାଇଁ ଅନେକ ଯୋଜନା ପ୍ରଣୟନ ହେଉଛି। କେତେବେଳେ ଉଜ୍ଜ୍ୱଳ ଭାରତ, କେତେବେଳେ ଡିଜିଟାଲ ଭାରତ, ମେକ୍‌ ଇନ୍‌ ଇଣ୍ଡିଆ, ପୁଣି କେତେବେଳେ ନୂଆ ଭାରତ ତ କେତେବେଳେ ସ୍ବପ୍ନର ଭାରତ। ଏବେ ପୁଣି ୨୦୪୭ ମସିହା ଯେତେବେଳକୁ ଦେଶ ସ୍ବାଧୀନତାର ଶତବାର୍ଷିକୀ ପାଳନ କରିବ ସେତେବେଳକୁ ବିକଶିତ ଭାରତ ଭାବରେ ସମଗ୍ର ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିସାରିଥିବ ବୋଲି କୁହାଯାଉଛି। ଏକ ସମାବେଶୀ, ପ୍ରଗତିଶୀଳ, ସମୃଦ୍ଧିଶୀଳ ରାଷ୍ଟ୍ର ଗଠନର ସ୍ବପ୍ନ ଦେଖାଇଛନ୍ତି ସରକାର। ଏହା ସ୍ବାଗତଯୋଗ୍ୟ। କିନ୍ତୁ ବିକାଶର ଅର୍ଥ କ’ଣ ? କେତେବେଳେ ଆମେ ଗୋଟିଏ ଦେଶକୁ ବିକଶିତ ଦେଶ ବୋଲି କହିବା ? ଅର୍ଥନୈତିକ କ୍ଷେତ୍ରରେ ଅଭିବୃଦ୍ଧି ହେଲେ ନା ପ୍ରଯୁକ୍ତି କ୍ଷେତ୍ରରେ ସ୍ବାବଲମ୍ବୀ ହେଲେ ? ନା, ଆଉ କିଛି ?
ବୋଧହୁଏ ଗୋଟିଏ ଦେଶକୁ ଆମେ ବିକଶିତ ବୋଲି ବିବେଚନା କରିବା ଯଦି ସେ ଦେଶର ନାଗରିକଙ୍କ ଜୀବନ ଧାରଣର ମାନ ଉନ୍ନତ ହୋଇଥିବ। ଏକ ସମ୍ମାନଜନକ ସାମାଜିକ ଜୀବନ ସହ ଅର୍ଥନୈତିକ ଆତ୍ମନିର୍ଭରଶୀଳତା ହେଉଛି ବିକାଶର ସର୍ବନିମ୍ନ ମାନଦଣ୍ଡ। ବିକାଶ କହିଲେ କେବଳ ମାଳ ମାଳ ନଭଶ୍ଚୁମ୍ବୀ ଅଟ୍ଟାଳିକା, କଳା ମଚମଚ ଚକ୍‌ ଚକ୍‌ ରାସ୍ତା, ଉନ୍ନତ ଭିିତ୍ତିଭୂମି ଥିବା ବିଦ୍ୟାଳୟ ଶିକ୍ଷକ ନ ଥାଇ ଓ ଡାକ୍ତର ଶୂନ୍ୟ ଚିକିତ୍ସାଳୟ ନୁହେଁ। ଆମ ଦେଶର ଜନସଂଖ୍ୟା ୧୪୦ କୋଟି ଟପିଲାଣି। ହାରାହାରି ୪୦ କୋଟି ପରିବାର ବସବାସ କରୁଥିବା ଦେଶ ହେଉଛି ଆମର। ମାତ୍ର ଏବେବି ୧୫ ପ୍ରତିଶ୍ରତ ପରିବାରର ପକ୍କାଘର ନାହିଁ। ଏପରିକି ଲକ୍ଷ ଲକ୍ଷ ଲୋକଙ୍କର ଆଦୌ ଘର ନାହିଁ। ରେଳଷ୍ଟେଶନ ଅଥବା ବସ୍‌ଷ୍ଟାଣ୍ଡରେ ଜୀବନ ବିତାଉଛନ୍ତି ଏମାନେ। ଅଥଚ ଏମିତି ପରିବାର ଆମ ଦେଶରେ ଅଛନ୍ତି ଯେଉଁମାନଙ୍କର କୋଠାର ମୂଲ୍ୟ ବହୁ ହଜାର କୋଟି ଟଙ୍କା। ଜନସଂଖ୍ୟାର ଏକଚତୁର୍ଥାଂଶରୁ ଊର୍ଦ୍ଧ୍ୱ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଅଛନ୍ତି ଅର୍ଥାତ୍‌ ଦୈନିକ ୫୮ ଟଙ୍କା ଖର୍ଚ୍ଚ କରିବାର କ୍ଷମତା ନାହିଁ। ଅପରପକ୍ଷରେ ମାତ୍ର ୧ ପ୍ରତିଶତ ଲୋକଙ୍କ ନିକଟରେ ଦେଶର ୪୦ପ୍ରତିଶତ ସମ୍ପଦ ମହଜୁଦ ରହିବା ଏବଂ ଦିନକୁ ଦିନ ଏହି ବୈଷମ୍ୟ ବୃଦ୍ଧିପାଇବା ବେଳେ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ଆହ୍ବାନ କେଉଁଠି ନା କେଉଁଠି ବାସ୍ତବତା ସହ ଅମେଳ ଖାଇବା ଅନୁମେୟ ହୁଏ।
କୁହାଯାଉଛି ଆମର ମୁଣ୍ଡ ପିଛା ଆୟ ବଢ଼ୁଛି। କିନ୍ତୁ ମୁଣ୍ଡ ପିଛା ଆୟ ବୃଦ୍ଧି ପାଉଛି ଅର୍ଥ ନୁହେଁ ସବୁ ଲୋକଙ୍କର ଆୟ ବଢ଼ୁଛି। ଧରାଯାଉ ୧୦ଜଣ ଲୋକଙ୍କର ମୋଟ୍‌ ଆୟ ୫ ହଜାର ଟଙ୍କା, ସେମାନଙ୍କ ମଧ୍ୟରୁ ଜଣଙ୍କର ଆୟ ୪ ହଜାର, ଆଉ ଜଣଙ୍କର ଆୟ ୧ ହଜାର ଟଙ୍କା। ଅର୍ଥାତ୍‌ ଅବଶିଷ୍ଟ ୮ ଜଣଙ୍କର ଆଦୌ ଆୟ ନ ଥିଲେ ମଧ୍ୟ ଅର୍ଥନୀତିର ହିସାବ ଅନୁଯାୟୀ ପ୍ରତ୍ୟେକଙ୍କର ମୁଣ୍ଡ ପିଛା ଆୟ ୫ଶହ ଟଙ୍କା। ଅନୁରୂପ ଅବସ୍ଥା ଆମ ଦେଶରେ। ଏଠାରେ ବାର୍ଷିକ ମୁଣ୍ଡ ପିଛା ଆୟ କଥା ଛାଡ଼ନ୍ତୁ ଏମିତି କେତେଜଣ ବିତ୍ତଶାଳୀ ଲୋକ ଅଛନ୍ତିି ଯେଉଁମାନଙ୍କର ମିନିଟ୍‌ ପିଛା ଆୟ ଦେଖିଲେ ଆଚମ୍ବିତ ହେବାକୁ ପଡ଼େ। ଅନ୍ୟପଟେ ସରକାରୀ ତଥ୍ୟ ହେଉଛି ପାଖାପାଖି ୮୨ କୋଟି ଲୋକ ମାଗଣା ଚାଉଳ ଉପରେ ନିର୍ଭର କରନ୍ତି। ଏତେ ବଡ଼ ଅଂଶର ଲୋକଙ୍କୁ ଆମେ ଖାଦ୍ୟର ନିରାପତ୍ତା ଯୋଗାଇବାକୁ ବାଧ୍ୟ ହୋଇଛୁ, କାରଣ ଆମେ ଅନୁଭବ କରିଛୁ ଏମାନେ ନିଶ୍ଚୟ ଅର୍ଥନୈତିକ ଦୃଷ୍ଟିକୋଣରୁ ସ୍ବାବଲମ୍ବୀ ନୁହନ୍ତି। ଆମ ଭିତରେ ଆଶଙ୍କା ଅଛି ଏହି ଯୋଜନା ବନ୍ଦ ହୋଇଗଲେ ଖାଦ୍ୟାଭାବଜନିତ ମୃତ୍ୟୁ ଦେଖାଦେଇପାରେ। ଏଭଳି ଦାରିଦ୍ର୍ୟର ଦୟନୀୟ ଚିତ୍ରର ପରିବର୍ତ୍ତନ ବାଞ୍ଛନୀୟ। ନ ହେଲେ ସ୍ବାଧୀନତାର ୭୮ ବର୍ଷ ପରେ ଆମେ ଯେଉଁ ଚିତ୍ର ଦେଖିବାରେ ଅଭ୍ୟସ୍ତ ହୋଇଯାଇଛୁ ୧୦୦ବର୍ଷ ପରେ ମଧ୍ୟ ସମାନ ସ୍ଥିତି ଆମକୁ ବିଚଳିତ କରିବ ନାହିଁ।
ପ୍ରଥମରୁ କହିଛୁ ବିକାଶର କେନ୍ଦ୍ରବିନ୍ଦୁ ମଣିଷ। ମଣିଷ ଯୋଗୁ ବିକାଶ, ବିକାଶ ମଣିଷ ପାଇଁ। ମଣିଷର ଜୀବନ ଧାରଣର ମାନକୁ ଆଧାରକରି ବିକାଶ ରଥର ଗତି କଳନା କରାଯାଏ। ପୁନଶ୍ଚ ଶିକ୍ଷା, ସ୍ବାସ୍ଥ୍ୟ, ସାମାଜିକ ଓ ଅର୍ଥନୈତିକ ସ୍ଥିତିକୁ ଦେଖି ଜୀବନ ଧାରଣର ସୂଚକାଙ୍କ ସ୍ଥିର ହୁଏ। ପ୍ରଥମେ ଯଦି ଆମ ଦେଶରେ ଯେତେ ସରକାରୀ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ରହିଛି ଅଧିକାଂଶ ସ୍ଥାନରେ ଭିିତ୍ତିଭୂମିର ଅଭାବ ସହ ଶିକ୍ଷକ ଓ ଅଧ୍ୟାପକ ପଦବୀ ବେଶ୍‌ ଲମ୍ବା ସମୟ ଧରି ଶୂନ୍ୟ ପଡ଼ିରହିବା ଚିରାଚରିତ ସମସ୍ୟା ପାଲଟିଛି। ଜନସଂଖ୍ୟା ଦୃଷ୍ଟିରୁ ଆମେ ବିଶ୍ୱରେ ଦ୍ୱିତୀୟ, କିନ୍ତୁ ୧୦୦ଟି ଉତ୍ତମ ବିଶ୍ୱବିଦ୍ୟାଳୟ ମଧ୍ୟରେ ଆମ ଦେଶର ଗୋଟିଏ ବି ବିଶ୍ୱବିଦ୍ୟାଳୟ ସ୍ଥାନ ନ ପାଇବା ଆମ ଶିକ୍ଷା ବିକାଶର ରଥଟା କେତେ ଆଗକୁ ଯାଇଛି ତାହା ସହଜରେ ଅନୁମେୟ।
ଆମ ଦେଶର ଶିଶୁ ମୃତ୍ୟୁହାର ଉଦ୍‌ବେଗଜନକ ହୋଇଥିବା ବେଳେ ସ୍ବାସ୍ଥ୍ୟସେବା ଦୃଷ୍ଟିରୁ ବିଶ୍ୱରେ ୧୮୧ଟି ଦେଶ ମଧ୍ୟରେ ଆମେ ୧୧୨ ତମ ସ୍ଥାନରେ ରହିଛୁ। ୮୧୧ ଜଣ ଲୋକରେ ଜଣେ ଡାକ୍ତର ତାହା ପୁଣି ଆୟୁଷ ଡାକ୍ତରଙ୍କୁ ହିସାବକୁ ନେଲେ। ଅଥଚ କ୍ୟୁବା ଗୋଟିଏ ଛୋଟ ଦେଶ ଯେଉଁଠି ୧୩୫ ଜଣ ଲୋକଙ୍କ ପାଇଁ ଜଣେ ଡାକ୍ତର ଅଛନ୍ତିି। ଦେଶରେ ମୋଟ୍‌ ଡାକ୍ତରଖାନା ସଂଖ୍ୟା ପ୍ରାୟ ୭୦ ହଜାର ହୋଇଥିବା ବେଳେ ୪୪ ହଜାର ଘରୋଇ ଓ ମାତ୍ର ୨୬ ହଜାର ହେଉଛି ସରକାରୀ। ଅର୍ଥାତ୍‌ ସରକାରୀ ବେସରକାରୀ ସମସ୍ତଙ୍କୁ ହିସାବକୁ ନେଇ ଦେଖିଲେ ୨୦ ହଜାର ଲୋକରେ ଗୋଟିଏ ଡାକ୍ତରଖାନା। କିନ୍ତୁୁ ଡାକ୍ତର ଥାଆନ୍ତୁ ବା ନ ଥାଆନ୍ତୁ ଡାକ୍ତରଖାନା ଗୁଡ଼ିକର କୋଠା ସବୁ ମନକୁ ପାଇଲା ଭଳି। ତେବେ କ’ଣ ସ୍ବାସ୍ଥ୍ୟସେବାକୁ ଛାଡ଼ି ଆମେ ବିକଶିତ ରାଷ୍ଟ୍ର ହେବାର ସ୍ବପ୍ନ ଦେଖୁଛୁ ?
ସେମିତି ନାରୀଙ୍କ ସୁରକ୍ଷା, ସୁଖ ଓ ଶାନ୍ତିକୁ ନେଇ ବିଚାରକଲେ ବିଶ୍ୱରେ ଆମ ଦେଶର ସ୍ଥାନ ୧୩୫ ତମ। ଦାରିଦ୍ର୍ୟରୁ ମୁକ୍ତ ଆମେ ଏଯାଏଁ ତ ହୋଇପାରିଲେ ନାହିଁ ବରଂ ବୁଭୁକ୍ଷୁର ସୂଚକାଙ୍କରେ କ୍ରମଶଃ ନିମ୍ନଗାମୀ ହେବା ଆମର ଚିନ୍ତା ବଢ଼ାଇ ଦେଉଛି। ବେକାରି ସମସ୍ୟା ଯେ ଊର୍ଦ୍ଧ୍ୱଗାମୀ ଏହାକୁ କେହି ବି ଅସ୍ବୀକାର କରିବା ଉଚିତ ନୁହେଁ। ସାମାଜିକ ସ୍ତରରେ ଜାତି ଆଧାରରେ ଯେଉଁ ବୈଷମ୍ୟ ଥିଲା, ଛୁଆଁ ଅଛୁଆଁର ଭେଦଭାବ ଥିଲା ତାହା ଏବେ ବି ହଟିନାହିଁ। କେତେକ କ୍ଷେତ୍ରରେ ଆହୁରି ଉତ୍କଟ ହୋଇଛି। ଏ ସମସ୍ତ କ୍ଷେତ୍ରରେ ଆମର ଅଭିବୃଦ୍ଧି ଯେତେବେଳେ ମନ୍ଥର ସେତେବେଳେ ମନରେ ସ୍ବତଃ ପ୍ରଶ୍ନ ଉଠେ ତେବେ ବିକାଶ କେଉଁଠି ଓ କାହାର ?
ବିଶ୍ୱସ୍ତରୀୟ ଷ୍ଟେଶନ, ବିମାନବନ୍ଦର ନିର୍ମାଣ ହେଉଛି ବୋଲି ସର୍ବତ୍ର ଆମେ ଢୋଲ ପିଟି କହୁଛୁ। ଇଏ ହେଉଛି ବିକାଶର ନୂଆ ଠିକଣା। କେବଳ ଭିିତ୍ତିଭୂମିର ବିକାଶ ଘଟାଇ ଆମେ ବିକଶିତ ରାଷ୍ଟ୍ର ହେବାର ସ୍ବପ୍ନ ଦେଖୁଛୁ। ଏହାକୁ ପ୍ରକୃତ ବିକାଶ କୁହାଯାଇପାରିବ ନାହିଁ। ମଣିଷକୁ ନେଇ ରାଷ୍ଟ୍ର। ମଣିଷର ବିକାଶ ବିନା ରାଷ୍ଟ୍ରର ବିକାଶ ଏକ ଅବାସ୍ତବ ପରିକଳ୍ପନା। ଯଦି ପ୍ରକୃତରେ ଆମ ଦେଶକୁ ଏକ ବିକଶିତ ରାଷ୍ଟ୍ର ଭାବେ ଦେଖିବାକୁ ଚାହୁଁଛୁ ତେବେ ଲୋକଙ୍କର ଜୀବନ ଧାରଣର ମାନ ବୃଦ୍ଧି ପ୍ରତି ପ୍ରାଧାନ୍ୟ ଦିଆଯାଉ। ସନ୍ତୁୁଳିତ ବିକାଶ ସହ ସମ ବିକାଶ ଆମର ଲକ୍ଷ୍ୟ ହେବା ଉଚିତ। ନ ହେଲେ ପଦ୍ମ ଘୁଞ୍ଚି ଘୁଞ୍ଚି ଚାଲିବ। ସେହି ପଦ୍ମକୁ ଧରିବା ପାଇଁ ଅଥଳ ଜଳରେ ପଡ଼ି ଠିକଣା ହଜାଇବା ହିଁ ସାର ହେବ।

ଅକ୍ଷୟ କୁମାର ମିଶ୍ର

ସଭାପତି, ଓଷ୍ଟା
ମୋ : ୭୦୦୮୦୭୩୫୯୯

 

Dharitri – Odisha’s No.1 Odia Daily

The post ବିକାଶର ନୂଆ ଠିକଣା appeared first on Dharitri Odia News.

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।