ଅଧା ବିଶ୍ୱ ପାଇଁ ଜଳସଙ୍କଟ

May 19, 2026 - 10:14

ସମଗ୍ର ପରିବେଶ ଓ ପାଣିପାଗ ଏକ ବଡ଼ ବିପର୍ଯ୍ୟୟକୁ ସାମ୍ନା କରିବା ପାଇଁ ଯାଉଛି। ଆମ୍ଭମାନଙ୍କର କାର୍ଯ୍ୟକଳାପ ଯୋଗୁ ସାରା ବିଶ୍ୱ ବର୍ତ୍ତମାନ ଅସନ୍ତୁଳନର ଗୋଟାଏ ବିପଜ୍ଜନକ ପର୍ଯ୍ୟାୟରେ ପ୍ରବେଶ କରିଛି ବୋଲି ବୈଜ୍ଞାନିକ ଓ ପରିବେଶ ବିଜ୍ଞାନୀମାନେ ସତର୍କ କରାଇ ଦେଇଛନ୍ତି। ନିକଟରେ ବୈଷୟିକ ଜଳବାୟୁ ମୂଲ୍ୟାୟନର ଯାହା ରିପୋର୍ଟ ପ୍ରକାଶ ପାଇଛି ତାହା ଆଖି ତରାଟି ଦେଲାଭଳି। ୨୦୧୫ରୁ ୨୦୨୫ ଭିତରେ ଅସହ୍ୟ ଗରମ ଅନୁଭୂତ ହୋଇଛି। ତେବେ ଖାଲି ପାଣିପାଗର ଏହି ଉଦ୍‌ବେଗ ଏକା ହୋଇ ରହିନାହିଁ ଅନ୍ୟ ଏକ ସମ୍ଭାବିତ ଦିଗଟି ମଧ୍ୟ ଆମ ସମସ୍ତଙ୍କ ପାଇଁ ଚିନ୍ତାଜନକ ନିଶ୍ଚୟ। ନିକଟରେ ବିଶ୍ୱସ୍ତରୀୟ ପରିସଂଖ୍ୟାନର ତଥ୍ୟ ଯାହା ସୂଚିତ କରିଛି, ତାହାକୁ ଆଧାର କରିଦେଖିଲେ ବିଶ୍ୱର ଅଧା ଜନସଂଖ୍ୟା ଏବେ ଜଳ ସଙ୍କଟ ଦେଇ ଗତି କରୁଛି। ଅର୍ଥାତ୍‌ ୪୦୦ କୋଟି ଲୋକ ଘୋର ଜଳ ସଙ୍କଟରେ ରହିଛନ୍ତି। ଜାତିସଂଘ ତରଫରୁ ପ୍ରକାଶିତ ରିପୋର୍ଟରେ ଏଭଳି ଉଦବେଗଜନକ ତଥ୍ୟ ଦିଆଯାଇଛି। କେବଳ ସେତିକି ନୁହେଁ, ବିଶ୍ୱର ୧୦୦ଟି ବୃହତ୍ତମ ସହର ମଧ୍ୟରୁ ଅଧା ଅର୍ଥାତ୍‌ ୫୦ଟି ସହର ଗମ୍ଭୀର ଜଳ ସଙ୍କଟର ସମ୍ମୁଖୀନ ହେଉଛନ୍ତି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏଥିରେ ଦିଲ୍ଲୀ, ବେଜିଂ, ନ୍ୟୁୟର୍କ ଭଳି ସହର ଅନ୍ତର୍ଭୁକ୍ତ। ରିପୋର୍ଟ ଅନୁଯାୟୀ ୨୯ଟି ସହରର ସ୍ଥିତି ଅତ୍ୟନ୍ତ ଗମ୍ଭୀର ବୋଲି ଦର୍ଶାଯାଇଛି। ଏଥିରେ ଭାରତର ଦିଲ୍ଲୀ ଚତୁର୍ଥ ସ୍ଥାନରେ ରହିଥିବା ବେଳେ କୋଲକାତା ୯ମ, ମୁମ୍ବାଇ ଦ୍ୱାଦଶ, ବେଙ୍ଗାଲୁରୁ ୨୪ତମ ଓ ଚେନ୍ନାଇ ୨୯ତମ ସ୍ଥାନରେ ରହିଛି। ହାଇଦ୍ରାବାଦ, ଅହମଦାବାଦ, ସୁରଟ ଓ ପୁଣେ ମଧ୍ୟ ଦୀର୍ଘକାଳୀନ ଜଳ ସଙ୍କଟର ସମ୍ମୁଖୀନ ହେଉଛନ୍ତି।
ଆଫଗାନିସ୍ତାନ ରାଜଧାନୀ କାବୁଲ ସମ୍ପୂର୍ଣ୍ଣ ଜଳଶୂନ୍ୟ ହେବାରେ ପ୍ରଥମ ଆଧୁନିକ ସହର ହେବାର ଆଶଙ୍କା ସୃଷ୍ଟି ହୋଇଛି। ସେହିପରି ଅତ୍ୟଧିକ ଭୂତଳ ଜଳ ବ୍ୟବହାର କାରଣରୁ ମେକ୍ସିକୋ ସିଟି ତଳକୁ ଦବିବାରେ ଲାଗିଛି। ଆମେରିକାର ଦକ୍ଷିଣ-ପଶ୍ଚିମ ରାଜ୍ୟ ଗୁଡ଼ିକରେ କଲରାଡ଼ୋ ନଦୀ ଜଳକୁ ନେଇ ଟଣାଓଟରା ଚାଲିଛି। ମଝିରେ ଆମେ ଏକ ଆଶ୍ଚର୍ଯ୍ୟଜନକ ଖବର ଦେଖିଥିଲେ ଯେ ଦୁବାଇ, କୁଏଟ ଓ ସାଉଦିଆରବରେ ଅନେକ ବର୍ଷ ପରେ ଅଚାନକ ବର୍ଷା ହୋଇ ମରୁଭୂମିର ଏହି ମୁଲକରେ ବନ୍ୟା ଦେଖିବାକୁ ମିଳିଥିଲା। ଆରବ ମରୁ ରାଜ୍ୟରେ ବନ୍ୟା, ଏ ଦୃଶ୍ୟଟି ସମଗ୍ର ବିଶ୍ୱବାସୀଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା ମଧ୍ୟ। ପାଣିପାଗର ସନ୍ତୁଳନ କିପରି ଭୟାନକ ଭାବେ ବିଗିଡ଼ି ଯାଇଛି ଏହିଥିରୁ ଅନୁମାନ କରନ୍ତୁ।
ରିପୋର୍ଟ ଅନୁଯାୟୀ ନଦୀ ଏବଂ ହ୍ରଦ ସଙ୍କୁଚିତ ହେବାରେ ଲାଗିଛି। ଭୂତଳ ଜଳ ହ୍ରାସ ପାଉଛି ଓ ଆର୍ଦ୍ରଭୂମି ଶୁଖିଯାଉଛି। ପ୍ରତିବର୍ଷ ୪ ବିଲିଅନ ବା ୪୦୦ କୋଟି ଲୋକ ଅତିକମ୍‌ରେ ଗୋଟିଏ ମାସ ପାଇଁ ଜଳାଭାବର ଶିକାର ହେଉଛନ୍ତି। ଇରାନ ରାଜଧାନୀ ଦେହରାନ କ୍ରମାଗତ ଷଷ୍ଠ ବର୍ଷ ପାଇଁ ମରୁଡ଼ିର ସମ୍ମୁଖୀନ ହେଉଛି ଓ ଡେ ଜିରୋ ଅର୍ଥାତ୍‌ ଶୂନ୍ୟ ଦିନର ବହୁତ ନିକଟତର ହେଉଛି। ଅତ୍ୟଧିକ ଜଳ ସଙ୍କଟ ବା ମୌଳିକ ଆବଶ୍ୟକତା ପୂରଣ ପାଇଁ ପାଣିର ଅଭାବକୁ ଡେ ଜିରୋ ବୋଲି କୁହାଯାଇଥାଏ। ଇରାନରେ ନିକଟ ଭବିଷ୍ୟତରେ ଏପରି ଦିନ ଆସିବ ଯେଉଁଦିନ ନାଗରିକଙ୍କ ପାଇଁ ପାଣି ରହିବ ନାହିଁ। ଦକ୍ଷିଣ ଆଫ୍ରିକା ରାଜଧାନୀ କେପ୍‌ଟାଉନ ଓ ଚେନ୍ନାଇ ମଧ୍ୟ ପୂର୍ବରୁ ଏହି ସ୍ଥିତିରେ ପହଞ୍ଚି ସାରିଛନ୍ତି।
୧୯୯୦ ପରଠାରୁ ବିଶ୍ୱର ଅଧା ପ୍ରମୁଖ ହ୍ରଦ ଜଳ ହରାଇବାରେ ଲାଗିଛି। ଭୂତଳ ଜଳଭଣ୍ଡାର ନିରନ୍ତର ୭୦ ପ୍ରତିଶତ ହ୍ରାସ ପାଇଛି। ଗତ ୫୦ ବର୍ଷ ମଧ୍ୟରେ ୟୁରୋପର ଅନେକ ଆର୍ଦ୍ରଭୂମି ଅଦୃଶ୍ୟ ହୋଇଗଲାଣି। ୧୯୭୦ ପରଠାରୁ ହିମପ୍ରବାହ ପ୍ରାୟ ୩୦ ପ୍ରତିଶତ ସଙ୍କୁଚିତ ହୋଇଛି। ତେଣୁ ଆଗକୁ ବିଶ୍ୱ ପାଇଁ ଏକ ମହା ଜଳ ସଙ୍କଟ ସ୍ଥିତି ଆସୁଛି ବୋଲି ଧରି ନେବାକୁ ହେବ। ସାରା ବିଶ୍ୱର ଅଧିବାସୀ ଏ ନେଇ ସଚେତନ ହେବାର ଆବଶ୍ୟକତା ରହିଛି। ବଡ଼କଥା ହେଉଛି, ଆମ୍ଭେମାନେ ଅନେକ ପ୍ରାକୃତିକ ଜଳ ଉତ୍ସ ଉପରେ କଂକ୍ରିଟ ଜଙ୍ଗଲ ଗଢ଼ି ଏହାର ସ୍ରୋତକୁ ବନ୍ଦ କରିଦେଉଛୁ, ଯାହାର କୁପରିଣତି ସ୍ଥାନୀୟ ଅଧିବାସୀଙ୍କୁ ଭୋଗିବାକୁ ପଡ଼ୁଛି ।
ସେହିପରି ଅବିରତ ଭାବେ ଆମ୍ଭେମାନେ ଅନେକ କ୍ଷେତ୍ରରେ ଜଳ ନଷ୍ଟ କରୁଛୁ। ଆପଣ ଅନେକ ସ୍ଥାନରେ ରାସ୍ତାରେ ଗଲାବେଳେ ଲକ୍ଷ୍ୟ ରଖିଥିବେ ରାସ୍ତାକଡ଼ର ଟ୍ୟାପରୁ ଦିନ ରାତି ପାଣି ବୋହି ଚାଲିଥିବ। ଏପଟେ ଆମେ ଏହି ରାଜ୍ୟରେ ମଧ୍ୟ ବାସ କରୁଛେ, ଯେଉଁଠି କି ରାଜ୍ୟର କିଛି ଉପାନ୍ତ ଓ ପାର୍ବତ୍ୟ ଘେରା ଅଞ୍ଚଳରେ ସ୍ଥାନୀୟ ଲୋକମାନେ ପାଣି ପାଇଁ ଅନେକ ବାଟ ଚାଲି ଚାଲି ଯାଉଛନ୍ତି। ସେହିପରି ବିଭିନ୍ନ ସଫାସଫି ଓ ଅଯଥା ସୌଖୀନ କାର୍ଯ୍ୟ ପାଇଁ ଆମେମାନେ ମଧ୍ୟ ଅପର୍ଯ୍ୟାପ୍ତ ଜଳ ନଷ୍ଟ କରୁଛୁ। ବୈଜ୍ଞାନିକମାନେ ମଧ୍ୟ ସତର୍କ କରିସାରିଲେଣି ଯେ ପୃଥିବୀରେ ଗଚ୍ଛିତ ଥିବା ବରଫ ହ୍ରାସ ପାଇଚାଲିଛି ପ୍ରାୟ ଏକ ଦଶନ୍ଧି ହେବ ସମୁଦ୍ର ଉତ୍ତାପ ମଧ୍ୟ ରେକର୍ଡ଼ ସ୍ତରରେ ପହଞ୍ଚତ୍ଛି। ଏଥିଯୋଗୁ ଭୀଷଣ ବାତ୍ୟା, ସାମୁଦ୍ରିକ ଝାଞ୍ଜି ଏହାର ପ୍ରଭାବରେ ବନ୍ୟା ଓ ମରୁଡ଼ି ପରି ଅନେକ ପ୍ରକୃତିଗତ କୁପ୍ରଭାବ ପରିଲକ୍ଷିତ ହେବ। ଦୁଃଖ ଏଇଠି ମଧ୍ୟ ସରିନାହିଁ। ଆମ୍ଭେମାନେ ପରିବେଶକୁ ଦିନକୁ ଦିନ ଯେଉଁପରି ଭାବରେ କାର୍ବନଡାଇଅକ୍ସାଇଡ, ମିଥେନ, ନାଇଟ୍ରସ ଅକ୍ସାଇଡ଼ ଭଳି ଗ୍ରୀନ୍‌ ହାଉସ ଗ୍ୟାସ ବଢ଼ାଇବାରେ ପ୍ରମୁଖ ଓ ପରୋକ୍ଷ ଭୂମିକା ନିର୍ବାହ କରୁଛେ ଏହା ବିଶ୍ୱର ଶକ୍ତି ସନ୍ତୁଳନର ବିଭ୍ରାଟ ଘଟାଇବା ପାଇଁ ଯଥେଷ୍ଟ। ବୈଜ୍ଞାନିକଙ୍କ ତଥ୍ୟ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ, ଜଳବାୟୁ ପରିବର୍ତ୍ତନ କେବଳ ଭୟାନକ ଜଳ ସଙ୍କଟ ନୁହେଁ ବରଂ ଖାଦ୍ୟ ସଙ୍କଟ, ସ୍ବାସ୍ଥ୍ୟ ସମସ୍ୟା ଓ ବିଭିନ୍ନ ସଂକ୍ରାମକ, ଆକସ୍ମିକ ଓ ଦୀର୍ଘକାଳୀନ ରୋଗ ବ୍ୟାପିବା ପାଇଁ ମଧ୍ୟ ଜଡ଼ିତ। ଯାହାର ବିପର୍ଯ୍ୟୟର କୁପରିଣତି ନିମିତ୍ତ ବିପୁଳ ଲୋକ ବାସହରା ହେବେ। ଏସବୁ ଦିଗକୁ ଦେଖି ଜଳ ସଙ୍କଟ ଦୂର କରିବା ଲାଗି ଆସନ୍ତୁ ଆମେ ସମସ୍ତେ ଚେଷ୍ଟା କରିବା।

ନିବେଦିତା ପ୍ରିୟଦର୍ଶିନୀ ଶୁକ୍ଳା

ଆଇନଜୀବୀ, ଓଡ଼ିଶା ହାଇକୋର୍ଟ,
ଚହଟା ନଗର, କଟକ
ମୋ : ୭୦୦୮୪୭୮୯୮୬

The post ଅଧା ବିଶ୍ୱ ପାଇଁ ଜଳସଙ୍କଟ appeared first on Dharitri Odia News.

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।