15 JULY 2026

Welcome!

Unlock your personalized experience.
Sign Up

ବାଲେଶ୍ୱର ସହରରେ କୃତ୍ରିମ ବନ୍ୟା, ରାସ୍ତା ଉପରେ ୨ ଫୁଟ ଉଚ୍ଚରେ ଲହଡି ଭାଙ୍ଗୁଛି ଡ୍ରେନ ପାଣି

Jul 14, 2026 - 23:30
ବାଲେଶ୍ୱର ସହରରେ କୃତ୍ରିମ ବନ୍ୟା, ରାସ୍ତା ଉପରେ ୨ ଫୁଟ ଉଚ୍ଚରେ ଲହଡି ଭାଙ୍ଗୁଛି ଡ୍ରେନ ପାଣି

ବାଲେଶ୍ବର ୧୪।୭(ବ୍ୟୁରୋ): ଘର ଭିତରେ ପାଣି, ଘର ବାହାରେ ପାଣି। ଯେଉଁଠିକୁ ଚାହିଁଲେ ଜଳାର୍ଣ୍ଣବ।ଏପରିକି ରାସ୍ତା ଉପରେ ୨ଫୁଟ ଉଚ୍ଚରେ ଡ୍ରେନ୍ ପାଣି ଲହଡ଼ି ଭାଙ୍ଗୁଥିବା ବାଲେଶ୍ବର ସହରରେ ଦେଖିବାକୁ ମିଳୁଛି । ବର୍ଷା ଆରମ୍ଭରୁ ସବୁ ବର୍ଷ ଭଳି ଏଥର ବି ବାଲେଶ୍ବରବାସୀଙ୍କ ଯନ୍ତ୍ରଣା ଆରମ୍ଭ ହୋଇଛି । ଲଗାଣ ବର୍ଷାରେ ତଳିଆ ଅଞ୍ଚଳରେ ନର୍ଦ୍ଦମା ଜଳ ଲୋକଙ୍କ ଘରେ ପଶିଛି । ଏପରିକି ଦୁଇ ଦିନ ମଧ୍ୟରେ ରାଜ୍ୟରେ ବାଲେଶ୍ବର ଜିଲ୍ଲାରେ ସର୍ବାଧିକୁ ୧୦୦ ଏମଏମ୍ରୁ ଅଧିକ ବର୍ଷା ରେକର୍ଡ କରାଯାଇଛି ।

ଲଘୁଚାପ ଜନିତ ବର୍ଷା ପ୍ରଭାବରେ ବାଲେଶ୍ୱର ସହରରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଜଳ ନିଷ୍କାସନ ନେଇ ସମସ୍ୟା ସୃଷ୍ଟି ହୋଇଥିବାରୁ ଲୋକଙ୍କ ଘରେ ଆଣ୍ଠୁଏ ପାଣି, ଆବର୍ଜନା ଭାସୁଛି । ନୂଆସାହି ଛକ, ଗୁଡ଼ିପଦାରୁ ଆରମ୍ଭକରି ବାଲିଆ, ଆଜିମାବାଦ, ପଢୁଆପଦା, ସିନେମା ଛକ, କଂଗ୍ରେସ୍ ଗଳି, ପୌରପାଳିକାର ୨୧, ୨୨ ଏବଂ ୨୩ନଂ ୱାର୍ଡର ଅନେକ ସ୍ଥାନ ଏବେ ଜଳବନ୍ଦୀରେ । ନୂଆସାହି, ବାଲିଆ ଛକରେ ରାସ୍ତା ଉପରେ ଜଳ ପ୍ରବାହିତ ହେଉଥିବାରୁ ଏହି ଅଞ୍ଚଳ ଏକ ପ୍ରକାର ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ରେମୁଣା ଏବଂ ବାଲେଶ୍ବର ଯାତାୟତ ବାଧାପ୍ରାପ୍ତ ହେଉଥିବାରୁ ସ୍କୁଲ୍, କଲେଜ ଯିବାଆସିବାରେ ଅସୁବିଧା ହେଉଛି । ୨/୩ ଫୁଟ ଉଚ୍ଚରେ ଜଳ ପ୍ରଭାହିତ ହେଉଥିବାରୁ ବାଇକ୍, ସ୍କୁଟର ଅଚଳ ହୋଇ ଗଲାଣି । ସହଦେବଖୁଣ୍ଟା ରାସ୍ତା ବିଶେଷ କରି ନୂଆସାହି ନିକଟରେ ରାସ୍ତା ଗୁଡ଼ିକ ଖରାପ ଥିଲା ତେଣୁ ବର୍ଷା ପ୍ରଭାବରେ ରାସ୍ତା ଅଧିକ ଖରାପ ହୋଇ ଦୁର୍ଘଟଣାର ଘଟୁଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ଲକ୍ଷାଧିକ ଟଙ୍କା ବ୍ୟୟରେ ନାଳ ସଫେଇ ହୋଇଥିଲେ ବି ଏପରି ସମସ୍ୟା ସୃଷ୍ଟି ହେବାକୁ ସହରବାସୀ ନାପସନ୍ଦ କରୁଛନ୍ତି ।

ଏସମ୍ପର୍କରେ ନିର୍ବାହୀ ଅଧିକାରୀ ସିରିଏଲ୍ ସୁଭ୍ର ପଟେଲ୍ କହିଛନ୍ତି, ସମସ୍ତ ମହାନାଳ ସଫେଇ ଶେଷ ହୋଇଥିଲେ ବି ପୁନର୍ବାର ବାଲିଆ କାମ ହେଉଥିଲା । ଏଥିସହ ପୌରପାଳିକା ପକ୍ଷରୁ ଆଗୁଆ ସୁରଜ ହୋଟେଲ୍ରୁ ୨ଟି ନାଳ ନିର୍ମାଣ କରାଯାଇଛି । ଯେହେତୁ ସହର ସାରା ସବୁ ଜଳ ଏହି ବାଟରେ ନିଷ୍କାସନ ହେଉଛି, ତେଣୁ ଏପରି ହେଉଛି । ସେହିଭଳି ୨୭ କୋଟି ଟଙ୍କାର ଏକ ବଡ଼ ନାଳ ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ମଞ୍ଜୁର କରାଯାଇ ଏହାର ଡିପିଆର୍ ପୁନର୍ବାର କରାଯାଇଛି । ମହାନାଳର ମାଷ୍ଟର ପ୍ଲାନ୍ ପାଇଁ ମଧ୍ୟ ଡିପିଆର୍ ପ୍ରସ୍ତୁତ ହୋଇ ଶେଷ ପର୍ଯ୍ୟାୟରେ ଥିବା ସେ କହିଛନ୍ତି । ତୁରନ୍ତ ସମାଧାନ ପାଇଁ ପୌରପାଳିକା ସହ ବିଭିନ୍ନ ବିଭାଗ ପ୍ରସ୍ତୁତ ଥିବା ଶ୍ରୀ ପଟେଲ୍ କହିଛନ୍ତି।

ଆହୁରି ପଢନ୍ତୁ : ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଲୁଟ୍ , ଦୁର୍ବୃତ୍ତଙ୍କ ଆକ୍ରମଣରେ ବ୍ୟାଙ୍କ ମ୍ୟାନେଜର ଆହତ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।