ବାର ମୌଜାବାସୀଙ୍କ ବିଶ୍ବାସରେ ବାବା ନିଳକଣ୍ଠେଶ୍ବର ଦେବ: ପବୁସାହିର ପବିତ୍ର ମାଟିରେ ୨୦୦ ବର୍ଷ ପୂର୍ବେ ହୋଇଥିଲେ ଆବିର୍ଭାବ
ଖୋର୍ଦ୍ଧା,୧୩/୦୭: ଏମତି ଠାକୁର ଯାହାଙ୍କ ପାଦୁକ ସେବନ କରିବା ଦ୍ବାରା କର୍କଟ ରୋଗ ଭଲ ହେଉଥିବାର ଲୋକ ବିଶ୍ବାସ ରହିଛି। ଏଠାରେ ଚୋରୀ ହେଲେ, ସ୍ବୟଂ ନାଗଦେବତା ଚୋରଙ୍କ ସମ୍ମୁଖରେ ଦଣ୍ଡାୟମାନ ହୁଅନ୍ତି ଏବଂ କାହାର କୌଣସି କ୍ଷତି କରିନଥାନ୍ତି। ଆଉ ସାପ କାମୁଡା ରୋଗୀଙ୍କ ଉପରେ ୧୦୮ ଗରା ପାଣି ଢାଳିବା ଦ୍ବାରା ତାଙ୍କ ଶରୀରରୁ ବିଷ ବାହାରିଯାଇଥାଏ ବୋଲି ସ୍ଥାନୀୟ ଲୋକଙ୍କର ବିଶ୍ବାସ ଭରସା ରହିଛି।। ଏ କଥା ଆମେ କହୁନୁ ବରଂ ଖୋର୍ଦ୍ଧା ଉପଖଣ୍ଡ ଠାରୁ ମାତ୍ର ଆଠ କିଲୋମିଟର ଦୂରତାରେ ଅବସ୍ଥିତ ପୂଵୁସାହି ପଞ୍ଚାୟତରେ ଅବସ୍ଥିତ ବାବା ନୀଳକଣ୍ଠେଶ୍ବର ଦେବଙ୍କ ଭକ୍ତମାନେ ଏମିତି କିଛି ପ୍ରକାଶ କରିଛନ୍ତି।
ମନ୍ଦିର ପୂଜକଙ୍କ କହିବାନୁସାରେ, ନୀଳକଣ୍ଠଶ୍ବର ଦେବ ପାତାଳଫୁଟା ଦେବତା। ଆଜକୁ ପ୍ରାୟ ଦୁଇଶହ ବର୍ଷ ପୂର୍ବେ ଠାକୁର ଗୋଟିଏ ଚାଷ ଜମିରେ ଆବିର୍ଭାବ ହୋଇଥିଲେ। ଉକ୍ତ ସମୟରେ ଜଣେ ଗୋପାଳକ ସେହି ସ୍ଥାନକୁ ନିୟମିତ ଗାଈ ଚରେଇବାକୁ ଯାଉଥିଲେ। ଗାଈ ଗୁଡ଼ିକ ମଧ୍ୟରୁ ଗୋଟିଏ ଗୋଠଛଡ଼ା ଗାଇ ସବୁଦିନ ସେହିଠାରେ କ୍ଷୀର ଦେଇ ଫେରୁଥିବା ଗୋପାଳ ଦେଖିବାକୁ ପାଇଥିଲେ । ଫଳରେ ଉତ୍ୟକ୍ତ ହୋଇ ସେହି ବୁଦାକୁ ବର୍ଚ୍ଛା ମାରିବାରୁ ସେଠାରୁ ରକ୍ତ ବାହାରିଥିଲା। ଏହି ସମ୍ପର୍କ ରେ ଗୋପାଳକ ଗ୍ରାମବାସୀ ଙ୍କୁ ଜଣେଇଥିଲା ଗ୍ରାମବାସୀ ଆସି ପାତାଳଫୁଟା ଲିଙ୍ଗ ଆବିର୍ଭାବ ହୋଇଥିବାର ଦେଖିବାକୁ ପାଇଥିଲେ। ଏ ଖବର ୧୨ ଗୋଟି ମୌଜାକୁ ବ୍ୟାପି ଯାଇଥିଲା। ଘଟଣା ସମ୍ପର୍କ ରେ ସ୍ଥାନୀୟ ଲୋକ ମାନେ ଗଜପତି ମହାରାଜା ଙ୍କୁ ସୂଚନା ଦେଇଥିଲେ। ରାଜା ମଧ୍ୟ ନୀଳକଣ୍ଠେଶ୍ଵର ଦେବ ଙ୍କ ମନ୍ଦିର ପ୍ରତିଷ୍ଠାରେ ଯୋଗ ଦେବାପାଇଁ ସ୍ୱୀକୃତି ଦେଇଥିଲେ।
ଏହାର କୌଣସି ପ୍ରାମାଣିକ ତଥ୍ୟ ନ ଥିବା ବେଳେ ଏହି ମନ୍ଦିର ୧୮୫୦ ରୁ ୧୮୬୦ ମସିହାର ମନ୍ଦିର ବୋଲି କୁହାଯାଉଛି। କିନ୍ତୁ ସେ ସମୟରେ ରାଜା କୌଣସି କାରଣ ବଶତଃ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟରେ ଯୋଗ ଦେଇପାରିନଥିବାରୁ ତାଙ୍କର ପାଟ୍ଟରାଣୀଙ୍କୁ ପଠାଇଥିଲେ। ପାଟ୍ଟରାଣୀ ମନ୍ଦିର ପ୍ରତିଷ୍ଠା ପରେ ୧୨ ପଲ୍ଲୀ ମୌଜାରେ କୌଣସି ବ୍ରାହ୍ମଣ କିମ୍ବା ମାଳି ପରିବାର ନଥିବା ଜାଣିବାକୁ ପାଇଥିଲେ। ପରବର୍ତ୍ତୀ ସମୟରେ ଅନ୍ୟ ଅଂଚଳରୁ ଆଣି ମାଳି ପରିବାରକୁ ଏଠାରେ ଅବସ୍ଥାପିତ କରିଥିଲେ। ସେହିଦିନ ଠାରୁ ପୁରୁଷ ପୁରୁଷ ଧରି ଉକ୍ତ ମାଳି ଓ ବ୍ରାହ୍ମଣ ପୂଜା ଅର୍ଚନା କରି ଆସୁଛନ୍ତି । ସେହିଦିନ ଠାରୁ ପ୍ରଭୁ ନୀଳକଣ୍ଠେଶ୍ଵର ୧୨ ଗୋଟି ମୌଜା ବାସୀଙ୍କ ବିଶ୍ୱାସର ପ୍ରତୀକ ଭାବେ ବେଶ ପରିଚିତ ବୋଲି ସ୍ଥାନୀୟ ଲୋକ କହିଛନ୍ତି। ଆଜି ମଧ୍ୟ ଏ ଅଞ୍ଚଳ ରେ ପ୍ରଭୁ ନୀଳକଣ୍ଠଶ୍ବର ନାଗ ଦେବତା ଙ୍କ ରୂପରେ ଦୃଶ୍ୟମାନ ହେଉଥିବା ଲୋକମୁଖରେ ରହିଛି।
(ବି.ଦ୍ର: ଉପରୋକ୍ତ ପ୍ରତ୍ୟେକଟି ବିବରଣୀ ଧାର୍ମିକ ବିଶ୍ବାସ ସହିତ ଜଡ଼ିତ। ସ୍ଥାନୀୟ ଜନସାଧାରଣଙ୍କର ମତ ଆଧାରରେ ଖବରଟି ପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ପ୍ରମେୟ . କମ୍ କିମ୍ବା ପ୍ରମେୟ ଡିଜିଟାଲ କୌଣସି ନିଜସ୍ବ ମତ ରଖିନାହିଁ)
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।