ବଦଳିଲା ଭାରତୀୟ ସେନାର ଡ୍ରେସ କୋଡ୍, ହଟିଲା ଇଂରେଜ ଶାସନ କାଳର ଚିହ୍ନ, ମହିଳାମାନେ ଲଗାଇପାରିବେ ସିନ୍ଦୁର
ଭାରତୀୟ ସେନାରେ ବଡ଼ ପରିବର୍ତ୍ତନ ।
ଭାରତୀୟ ସେନା ନିଜର ଡ୍ରେସ ଏବଂ ଗ୍ରୁମିଂ ସହିତ ଜଡିତ ନିୟମରେ ବଡ଼ ପରିବର୍ତ୍ତନ କରିଛି ।
ସେନା ପୋଷାକରେ ଝଲସିବ ଭାରତୀୟତା ।
ଆର୍ମି ୟୁନିଫର୍ମ-୨୦୨୬ ଲାଗୁ, ହଟିଲା ଔପନିବେଶିକ ଚିହ୍ନ ।
ସାମିଲ ହେଲା ବନ୍ଦ ଗଳା ବନ୍ଦୀ ଜ୍ୟାକେଟ୍ ।
ନିଜର ଗୌରବମୟ ପରମ୍ପରାକୁ ଆଧୁନିକ ଏବଂ ଦେଶୀ ରୂପ ଦେବା ପାଇଁ ବଡ଼ ପଦକ୍ଷେପ ନେଇଛି ଭାରତୀୟ ସେନା ।ଦୀର୍ଘ ୮ ବର୍ଷ ପରେ ସେନାର ପୋଷାକ ନିୟମରେ ବ୍ୟାପକ ସଂଶୋଧନ କରାଯାଇ ଆର୍ମି ୟୁନିଫର୍ମ-୨୦୨୬ ନାମରେ ଏକ ୧୭୪ ପୃଷ୍ଠାର ନୂଆ ମାନୁଆଲ୍ ଜାରି କରାଯାଇଛି ।
ଏହି ନୂଆ ନିୟମର ମୂଳ ଉଦ୍ଦେଶ୍ୟ ହେଉଛି ଭାରତୀୟ ସେନାର ମର୍ଯ୍ୟାଦା ଓ ପରମ୍ପରାକୁ ବଜାୟ ରଖିବା ସହ ବ୍ରିଟିଶ ବା ଔପନିବେଶିକ ସମୟର କେତେକ ପୁରୁଣା ପ୍ରଥାକୁ ହଟାଇ ସେଥିରେ ଭାରତୀୟତାର ସ୍ପର୍ଶ ଦେବା ।
ଏବେ ସେନାର ଅଧିକାରୀମାନେ ଆନୁଷ୍ଠାନିକ କାର୍ଯ୍ୟକ୍ରମରେ ସ୍ୱଦେଶୀ ଶୈଳୀର ବନ୍ଦ ଗଳା ବନ୍ଦୀ ଜ୍ୟାକେଟ୍ ପିନ୍ଧିପାରିବେ ।
ଏହାକୁ ଫୁଲ୍-ସ୍ଲିଭ୍ ସାର୍ଟ ଉପରେ ଢ଼ିଲା କିମ୍ବା ହୁକ୍ ଲଗାଇ ଫର୍ମାଲ୍ ପ୍ୟାଣ୍ଟ ଓ ଜୋତା ସହ ପିନ୍ଧାଯାଇପାରିବ ।
ମେସ୍ ଡ୍ରେସ୍ ଭଳି କେତେକ ନିର୍ଦ୍ଦିଷ୍ଟ ପୋଷାକରୁ ବ୍ରିଟିଶ ଅମଳର ପାରମ୍ପରିକ ସେରିମୋନିଆଲ୍ ପାଉଚ୍ ବେଲ୍ଟକୁ ସମ୍ପୂର୍ଣ୍ଣ ରୂପେ ବାଦ୍ ଦିଆଯାଇଛି ।ପରେଡ୍ ସମୟରେ ରିଭ୍ୟୁଇଂ ଅଫିସରଙ୍କ ପାଇଁ ତରବାରୀ ଧରିବା ଆଉ ବାଧ୍ୟତାମୂଳକ ହୋଇ ରହିବ ନାହିଁ ।
ଏହା ସମ୍ପୂର୍ଣ୍ଣ ଭାବେ ଅଫିସରଙ୍କ ଇଚ୍ଛା ଉପରେ ନିର୍ଭର କରିବ ।
ସମସ୍ତ ପାହ୍ୟାର ସୈନିକ ଓ ଅଧିକାରୀଙ୍କ ପାଇଁ ଏକ ନୂଆ ୱିଣ୍ଟର ୟୁନିଫର୍ମ ଅଣାଯାଇଛି ।
ଯେଉଁଥିରେ ଆଙ୍ଗୋଲା ସାର୍ଟ, ବ୍ୟାଟେଲ୍ ଜ୍ୟାକେଟ୍ ଏବଂ ବେରେଟ୍ ସାମିଲ ରହିଛି ।
ଏହି ମାନୁଆଲରେ ସ୍ପଷ୍ଟ କରାଯାଇଛି ଦେଶର ଭାବନା ଏବଂ ଆମର ସାର୍ବଭୌମ ପରିଚୟକୁ ସମ୍ମାନ ଜଣାଇ ଏହି ପରିବର୍ତ୍ତନ କରାଯାଇଛି ।
ଏହା ସେନାର ବୃତ୍ତିଗତ ମର୍ଯ୍ୟାଦା ଓ ପାରମ୍ପରିକ ଅସ୍ମିତାକୁ କ୍ଷୁର୍ଣ୍ଣ ନକରି ଅଦରକାରୀ ବ୍ରିଟିଶ ଚିହ୍ନକୁ ଦୂରେଇବାରେ ସାହାଯ୍ୟ କରିବ ।ସେନାରେ ଶୃଙ୍ଖଳା ବଜାୟ ରଖିବା ପାଇଁ ଶରୀରରେ ଟାଟୁ, ଅତ୍ୟଧିକ ସୁଗନ୍ଧିତ ସେଣ୍ଟ କିମ୍ବା ପ୍ରସାଧନ ସାମଗ୍ରୀ ଯେପରିକି ଲିପଷ୍ଟିକ୍, ରଙ୍ଗୀନ ନେଲପଲିସ, ଟିକିଲି ଏବଂ ନାକଫୁଲ ପିନ୍ଧିବା ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇଛି ।
ସେହିପରି ମହିଳା ଅଧିକାରୀମାନଙ୍କ ପାଇଁ ଶାଳୀନ ଶାଢ଼ୀ, କୁର୍ତ୍ତା-ସାଲୱାର କିମ୍ବା ଦୁପଟ୍ଟା ସହ ଆଙ୍କଲ୍-ଲେନ୍ଥ ପ୍ୟାଣ୍ଟ ପିନ୍ଧିବାର ବିକଳ୍ପ ଦିଆଯାଇଛି ।
ମହିଳାମାନେ ସିନ୍ଦୁର ଲଗାଇପାରିବେ, କିନ୍ତୁ ଟୋପି ପିନ୍ଧିବା ସମୟରେ ତାହା ଯେପରି ବାହାରକୁ ଦେଖା ନଯାଏ, ସେଥିପ୍ରତି ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସ୍ଲିଭ୍ଲେସ୍ କୁର୍ତ୍ତା ଏବଂ ପଲାଜୋ କିମ୍ବା ସିଗାରେଟ୍ ପ୍ୟାଣ୍ଟ ଭଳି କାଜୁଆଲ୍ ପୋଷାକକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି ।ପ୍ରାୟ ୫ ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର କେଭାଡିଆଠାରେ ଆୟୋଜିତ କମାଣ୍ଡର୍ସ କନଫରେନ୍ସରେ ସେନାକୁ ବ୍ରିଟିଶ୍ ଅମଳର ପରମ୍ପରା ଏବଂ ନିୟମଗୁଡ଼ିକୁ ହଟାଇ ଭାରତୀୟ ପରମ୍ପରା ଆପଣାଇବାକୁ ନିର୍ଦ୍ଦେଶ ଦେଇଥିଲେ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ Odia OneIndia ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।