ବଢୁଛି ବୈତରଣୀ ଜଳସ୍ତର: ବନ୍ୟା ଆଶଙ୍କାରେ ହାଟଡିହୀର ୯ ପଞ୍ଚାୟତବାସୀ, ସ୍ଥାନାନ୍ତର ହେଲେଣି…
ହାଟଡିହୀ/ଛେନାପଦୀ,୨୮।୭(ଶୁଭକାନ୍ତ ନାୟକ/ନିରାକାର ପରିଡା): ଦୁଇ ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିବା ଯୋଗୁ କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ବୈତରଣୀ ନଦୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି। ଘଣ୍ଟାକୁ ଘଣ୍ଟା ଜଳସ୍ତର ବଢ଼ୁଥିବାରୁ ପ୍ରାୟ ୯ଟି ବନ୍ୟା ପ୍ରଭାବିତ ପଞ୍ଚାୟତ ଅଞ୍ଚଳର ବାସିନ୍ଦା ଗଭୀର ବନ୍ୟା ଆଶଙ୍କାରେ ରହିଛନ୍ତି।
ମଙ୍ଗଳବାର ସକାଳ ସୁଦ୍ଧା ହାଟଡିହୀ ଅଞ୍ଚଳରେ ୧୬୧.୦୧ ମିମି ବର୍ଷା ହୋଇଥିବା ଯୋଗୁଁ ବ୍ୟାପକ ଚାଷ ଜମି ଜଳମଗ୍ନ ହୋଇଛି। ଶାଳନିଆଁ, ଗେଡ଼ମା, ଆଇତିପୁର, ଡ଼ଅଁର, ଇଂଚୋଳ, ବଞ୍ଚୋ, ଅକରୁଆ, ଶାସଙ୍ଗ, ପଞ୍ଚୁଗୋଛିଆ, ସୁଲଣ, ବଡ଼ରମ୍ପାସ, ହାଟଡିହୀ, ମରୈଗାଁ, ପନ୍ଦାଡୋ, ସଢ଼ା ଏବଂ ଓରାଳି ଆଦି ପଞ୍ଚାୟତରେ ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ ହେବା ସହ ଧାନ ଚାଷକ୍ଷତିଗ୍ରସ୍ତ ହୋଇଛି। ଏହାଛଡ଼ା କିଛି ସ୍କୁଲରେ ମଧ୍ୟ ବର୍ଷା ପାଣି ପଶିଥିବା ସୂଚନା ମିଳିଛି। ସମଣା ଗ୍ରାମର କୁଳମଣି କାଣ୍ଡିଙ୍କ ଚାଳଘର ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି।
ଜଳବନ୍ଦୀ ଆଶଙ୍କା ଓ ପ୍ରଶାସନିକ ପଦକ୍ଷେପ: ବୈତରଣୀର ଜଳସ୍ତର ଏହିପରି ଭାବେ ବଢ଼ିଲେ ବୁଧବାର ସକାଳ ସୁଦ୍ଧା ରାଘବପୁର, ଆଇତିପୁର, ନୂଆଗାଁ, ଅମୃତପୁର, ସାହାପୁର, ରତକଣା, ସମଣା, କରଗୋଳା, ଲଇଛଣପୁର, ଆମ୍ବୋ ଓ ବହାରିପୂର ଆଦି ଗ୍ରାମ ଜଳବନ୍ଦୀ ହେବାର ଆଶଙ୍କା ରହିଛି। ବିଶେଷକରି ସମଣାରୁ ଆମ୍ବୋ ଏବଂ ହାବଳେଶ୍ୱରରୁ ରାଘବପୁର ପର୍ଯ୍ୟନ୍ତ ନଦୀର ସୁରକ୍ଷା ବନ୍ଧ (ଆଡ଼ିବନ୍ଧ) ନ ଥିବାରୁ ବନ୍ୟାଜଳ ବ୍ୟାପକ ଅଞ୍ଚଳକୁ ପ୍ଲାବିତ କରିବାର ଆଶଙ୍କା ରହିଛି।
ଏହି ସ୍ଥିତିକୁ ଦୃଷ୍ଟିରେ ରଖି ୫୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା କରଗୋଳା ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ହାଟଡିହୀ ବିଡ଼ିଓ ରଞ୍ଜନ କୁମାର ପରିଡ଼ା, ତହସିଲଦାର ସଞ୍ଜୟ ସାମନ୍ତରାୟ, ଆନନ୍ଦପୁର ଉପଜିଳ୍ପାଳ ନୀଳମାଧବ ସୁନା ଏବଂ ଏସଡିପିଓ କମଳ କୁମାର ପଣ୍ଡା ବିଭିନ୍ନ ଅଞ୍ଚଳ ଗସ୍ତ କରି ସ୍ଥିତି ସମୀକ୍ଷା କରିଛନ୍ତି। ଆମ୍ବୋ, ସମଣା, ହାବଳେଶ୍ଵର, ଆଇତିପୁର ଓ ଗେଡମା ଆଦି ପଞ୍ଚାୟତରେ ଯନ୍ତ୍ରୀ, ରାଜସ୍ୱ ନିରୀକ୍ଷକ, ପିଇଓ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ସମ୍ଭାବ୍ୟ ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ୍ ସାମଗ୍ରୀ ମଧ୍ୟ ଗଛିତ ରଖାଯାଇଛି। ଅନ୍ୟପକ୍ଷରେ, ଭାଜପା ନେତା ଆଲୋକ ସେଠି, ସାଂସଦ ପ୍ରତିନିଧି ଜ୍ଞାନ ରଞ୍ଜନ ସାମନ୍ତସିଂହାର, ମଣ୍ଡଳ ସଭାପତି ହରମୋହନ ଶାସିନୀ ଓ ଯୁଧିଷ୍ଠିର ମଲିକ ପ୍ରମୁଖ ବିଭିନ୍ନ ନଦୀକୂଳିଆ ଅଞ୍ଚଳ ପରିଦର୍ଶନ କରି ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।