ବଡ଼ମ୍ବାରେ ଅଭାବନୀୟ ଚିତ୍ର: ଖଟରେ ବୁହାହେଲେ ରୋଗୀ
ନନ୍ଦିଘୋଷ ବ୍ୟୁରୋ: କଟକ ଜିଲ୍ଲା ବଡ଼ମ୍ବା ବ୍ଲକରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ରାସ୍ତା ଯୋଗାଯୋଗ ବନ୍ଦ ହୋଇଯିବାରୁ ଜଣେ ରୋଗୀଙ୍କୁ ପ୍ରାୟ ୧ କିଲୋମିଟର ପର୍ଯ୍ୟନ୍ତ ବୋହି ନେବାକୁ ପଡ଼ିଛି। ବଡ଼ମ୍ବା ବ୍ଲକ ତାଳମୁଣ୍ଡଳୀ ଗ୍ରାମ ପଞ୍ଚାୟତର ଖଳବନ୍ଧ ଶବର ସାହିର ୧୦ ନମ୍ବର ୱାର୍ଡରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ଥିବାରୁ ସ୍ଥାନୀୟ ରୋଗୀ ଆସନ୍ତି ବେହେରାଙ୍କୁ ଗ୍ରାମବାସୀମାନେ ପ୍ରାୟ ଗୋଟିଏ କିଲୋମିଟର ପର୍ଯ୍ୟନ୍ତ ବୋହି ନେଇ ଚିକିତ୍ସା ପାଇଁ ମେଡିକାଲ ଯାଇଛନ୍ତି।
ତେବେ ଜଳସେଚନ ବିଭାଗର ମନମାନି ଯୋଗୁଁ ଏଭଳି ସ୍ଥିତି ଉପୁଜିଥିବା ଅଭିଯୋଗ ହୋଇଛି। ବିଭାଗୀୟ ଅବହେଳା କାରଣରୁ ଏହି ଅଞ୍ଚଳର ପ୍ରାୟ ୨୦୦ରୁ ଅଧିକ ପରିବାର ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ଚଳିତ ବର୍ଷା ଦିନରେ ଗ୍ରାମବାସୀଙ୍କ ଯାତାୟାତ, ଜରୁରୀକାଳୀନ ଚିକିତ୍ସା ଏବଂ ଦୈନନ୍ଦିନ ଜୀବନଯାପନ ଗୁରୁତର ଭାବେ ପ୍ରଭାବିତ ହେଉଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏହି ସମସ୍ୟା ନେଇ ସେମାନେ ବାରମ୍ବାର ସ୍ଥାନୀୟ ପ୍ରଶାସନ ଓ ଜଳସେଚନ ବିଭାଗର ଦୃଷ୍ଟି ଆକର୍ଷଣ କରିଛନ୍ତି,ହେଲେ ଏପର୍ଯ୍ୟନ୍ତ ଏହାର କୌଣସି ସ୍ଥାୟୀ ସମାଧାନ କରାଯାଇ ନାହିଁ। ତେବେ ପ୍ରଶାସନର ଏଭଳି ଉଦାସୀନତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।