ଜନ୍ମବେଦିରୁ ରତ୍ନବେଦି
ଜନ୍ମବେଦିରୁ ମହାପ୍ରଭୁ ଫେରିବେ ରତ୍ନବେଦି । ଆରମ୍ଭ ହୋଇଛି ଏହାର ପ୍ରଥମ ସୋପାନ ବାହୁଡା ଯାତ୍ରା । ରଥଯାତ୍ରା ପରି ବାହୁଡା ଯାତ୍ରାର ମଧ୍ୟ ରହିଛି ଅନେକ ମହାତ୍ମ୍ୟ । ଏହି ଯାତ୍ରାର ମୁକସାକ୍ଷୀ ପାଲିଟିବାକୁ ପୁରୀରେ ଦେଖିବାକୁ ମିଳିଥାଏ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ । ବଦଡାଣ୍ଡ କମ୍ପି ଉଠେ ଘଣ୍ଟ ଘଣ୍ଟା ମାଦଳ ଓ ହୁଳହୁଳିରେ ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ଦ୍ୱିତୀୟ ମୁଖ୍ୟଯାତ୍ରା ହେଉଛି ବାହୁଡ଼ା ଯାତ୍ରା। ଗୁଣ୍ଡିଚା ମନ୍ଦିରରୁ ବାହାରି ଶ୍ରୀମନ୍ଦିରକୁ ରଥରେ ଯାତ୍ରା କରିବାର ଉତ୍ସବ ବାହୁଡ଼ାଯାତ୍ରା ନାମରେ ପରିଚିତ। ଜନ୍ମ ବେଦିରୁ ପ୍ରଭୁ ଫେରି ଆସନ୍ତି ରତ୍ନବେଦିକୁ । ପୌରାଣିକ କଥା ଅନୁଯାୟୀ, ମହାପ୍ରଭୁ ଗୁଣ୍ଡିଚା ମନ୍ଦିରରେ ପ୍ରକଟ ହୋଇଥିବାରୁ ଏହାରନାମ ଜନ୍ମବେଦି । ରଥଯାତ୍ରାର ଅଷ୍ଟମ ଦିନ ରଥମାନଙ୍କୁ ଦକ୍ଷିଣାଭିମୁଖୀ କରାଯାଏ। ବାହୁଡ଼ା ଦିନ ମହାପ୍ରଭୁଙ୍କ ଆଳତି ଅବକାଶ ପରେ ରୋଷରେ ହୋମ ହୁଏ। ସୂର୍ଯ୍ୟ ପୂଜା ଓ ଦ୍ୱାରପାଳ ପୂଜା ପରେ ସକାଳ ଧୂପ (ଖେଚୁଡ଼ି ଭୋଗ) ଏବଂ ବଲ୍ଲଭ ଭୋଗ ହୋଇଥାଏ । ଏହା ପରେ ମହାପ୍ରଭୁଙ୍କର ମଂଗଳାର୍ପଣ କରାଯାଇଥାଏ । ତାପରେ ମନ୍ଦିରସ୍ଥ ଢୋଲ ଲାଗି ଏବଂ ପୁଷ୍ପାଞ୍ଜଳି ଦେବା ପରେ ବିଜେ କାହାଳି ବାଜିଥାଏ । ଏହି ସମସ୍ତ ନୀତି ଦିନ ୧୦ ଘଟିକା ମଧ୍ୟରେ ସରିଥିଲା । ଏହାପରେ ପ୍ରଥମେ ସୁଦର୍ଶନଙ୍କୁ ପହଣ୍ଡି କରାଯିବାପରେ କ୍ରମାନ୍ୱୟରେ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶେଷରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ପହଣ୍ଡି କରାଯାଇ ରଥକୁ ବିଜେ କରାଯାଇଥାଏ । ପହଣ୍ଡି ହୋଇ ଶ୍ରୀଗୁଣ୍ଡିଚା ମନ୍ଦିରର ଜଗମୋହନରେ ପହଞ୍ଚିବା ପରେ ସେଠାରେ ଠାକୁରମାନଙ୍କ ମସ୍ତକରେ ଟାହିଆ ଲାଗି କରାଯାଇ ପହଣ୍ଡି କାର୍ଯ୍ୟ ସମାପନ କରାଯାଇଥାଏ । ଏହି ସମୟରେ ପୁରା ଶରଧାବାଲି ଶ୍ରୀଜୟଦେବଙ୍କ ଗୀତ ଗୋବିନ୍ଦ, ଶ୍ରୀ ଶ୍ରୀ ଜଗନ୍ନାଥାଷ୍ଟକ, ବିଭିନ୍ନ ଭଜନ ଓ ଜଣାଣ ଏବଂ ଜଗନ୍ନାଥଙ୍କ ବିଭିନ୍ନ ସ୍ତୋତରେ ପ୍ରକମ୍ପିତ ହୋଇଥାଏ । ଏହାପରେ ରଥଯାତ୍ରାଭଳି ଛେରାପହଁରା ନୀତି ସମାପନ ହୋଇଥାଏ । ମହାପ୍ରଭୁଙ୍କ ଆଦ୍ୟ ସେବକ ଭାବେ ପରିଚିତ ଗଜପତି ମହାରାଜା ଦିବ୍ୟସିଂହ ଦେବ ଛେରା ପହଁରା କରି ସାରିବା ପରେ ରଥ ଟଣା ଆରମ୍ଭ ହୋଇଥାଏ । ତେବେ ମହାପ୍ରଭୁ ଶ୍ରୀମନ୍ଦିରକୁ ଫେରିବା ସମୟରେ ଏକ ସୁନ୍ଦର ନୀତି ବଡଦାଣ୍ଡରେ ସମାପନ ହୋଇଥାଏ । ବଡଦାଣ୍ଡରେ ଥିବା ମାଉସୀମାଙ୍କ ମନ୍ଦିର ପାଖରେ ମହାପ୍ରଭୁଙ୍କୁ ପୋଡପିଠା ଭୋଗ କରାଯାଇଥାଏ । ମାଉମୀ ଘରେ ପୋଡପିଠା ଖାଇ ଶ୍ରୀମନ୍ଦିର ଫେରନ୍ତି ମହାପ୍ରଭୁ । ଏହା ପରେ ନନ୍ଦିଘୋଷ ରଥ ଶ୍ରୀନଅର ସମ୍ମୁଖରେ ପହଞ୍ଚିବା ପରେ ସେଠାରେ ପାଳନ ହୋଇଥାଏ ଲକ୍ଷ୍ମୀ ନାରାୟଣ ଭେଟ । ସେବାୟତମାନେ ଶ୍ରୀମନ୍ଦିରରୁ ମହାଲକ୍ଷ୍ମୀଙ୍କୁ ଏକ ପାଲିଙ୍କିରେ ବସାଇ ନନ୍ଦିଘୋଷ ରଥ ନିକଟକୁ ଆଣିଥାଆନ୍ତି । ସେଠାରେ ଗଜପତି ମହାରାଜା ପାରମ୍ପରିକ ରୀତିରେ ଲକ୍ଷ୍ମୀ ନାରାୟଣ ଭେଟ କରାଇବା ପରେ ରଥକୁ ଟଣାଯାଇ ସିଂହଦ୍ୱାର ସମ୍ମୁଖକୁ ଅଣାଯାଇଥାଏ । ଏହିଭଳି ଭାବେ ସମାପନ ହୋଇଥାଏ ବାହୁଡା ନୀତି । ଯାହାପରେ ସୁନାବେଶ, ଅଧରପଣା ଓ ନିଳାଦ୍ରୀବିଜେ ପରମ୍ପରା ବାହୁଡାର ପରଦିନ ମାନଙ୍କରେ ସମାପନ ହୋଇଥାଏ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।