ପ୍ରବଳ ବର୍ଷାରେ ମୁମ୍ବାଇ ବେହାଲ;ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ, ୧୩ ମୃତ
ମୁମ୍ବାଇ,୭।୭: ମୁମ୍ବାଇ ଓ ଆଖପାଖ ଜିଲାରେ ୩/୪ ଦିନ ହେଲା ପ୍ରବଳ ବର୍ଷା ଲାଗିରହିଥିବାବେଳେ ଦେଶର ଆର୍ଥିକ ରାଜଧାନୀ ଏକପ୍ରକାର ଅଚଳ ହୋଇଯାଇଛି। ବର୍ଷାଜନିତ ଘଟଣାରେ ୧୩ଜଣଙ୍କ ମୃତ୍ୟୁ ଘଟିଥିବା ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଗିରୀଶ ମହାଜନ ସୋମବାର କହିଛନ୍ତି। ବର୍ଷା ଯୋଗୁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଥିବାବେଳେ ସୋମବାର ସ୍କୁଲଗୁଡ଼ିକୁ ବନ୍ଦ କରିଦିଆଯାଇଥିଲା। ଲଗାଣ ବର୍ଷା ଯୋଗୁ ସୋମବାର ଭୂସ୍ଖଳନ ଘଟିଥିବାବେଳେ କର୍ତ୍ତୃପକ୍ଷ ମୁମ୍ବାଇ-ପୁଣେ ଏକ୍ସପ୍ରେସ୍ଓ୍ବେକୁ ବନ୍ଦ କରିଦେଇଛନ୍ତି। ସେହିପରି କେତେକ ଭାଗରେ ଟ୍ରେନ୍ ଚଳାଚଳକୁ ସ୍ଥଗିତ ରଖାଯାଇଛି। ଆଗାମୀ ୨ ଦିନ ପ୍ରବଳ ବର୍ଷା ଲାଗିରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ଆଲର୍ଟ ଜାରି ହୋଇଛି।
ପୁଣେର ମାଭଲ ତହସିଲ ଅନ୍ତର୍ଗତ ପାଟନ ଗ୍ରାମରେ ଭୂସ୍ଖଳନ ଘଟି ଗୋଟିଏ ଘର ପୋତିହୋଇଯିବା ସହ ୨ ଜଣଙ୍କ ମୃତ୍ୟୁ ହୋଇଛି। ପୁଣେର ଖେଦ ତହସିଲ୍ ଅଞ୍ଚଳରେ ଜଳାର୍ଣ୍ଣବ ରାସ୍ତାରେ ଭାସିଯାଇ ଅନ୍ୟ ଜଣେ ପ୍ରାଣ ହରାଇଛନ୍ତି।
କାର୍ଯ୍ୟାଳୟଗୁଡ଼ିକର କର୍ମଚାରୀମାନଙ୍କୁ ଯେଉଁଠି ସମ୍ଭବ ଘରୁ ରହି କାର୍ଯ୍ୟ କରିବାକୁ ଅନୁମତି ଦେବାକୁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏସ୍ଡିଏମ୍ଏ) ପରାମର୍ଶ ଦେଇଛନ୍ତି। ସହିପରି ଜରୁରୀ ନ ଥିବା ସରକାରୀ ଓ ଅର୍ଦ୍ଧ ସରକାରୀ କାର୍ଯ୍ୟାଳୟଗୁଡ଼ିକ ଅଧାଦିନ ଚାଲିବାକୁ ଘୋଷଣା କରାଯାଇଛିି। ଆଗାମୀ ୨ ଦିନ ମୁମ୍ବାଇ, ଠାଣେ ଓ ରାଇଗଡ଼ରେ ଅତି ପ୍ରବଳ ବର୍ଷା ସାଙ୍ଗକୁ ୮୦ରୁ ୯୦ କି.ମି. ବେଗରେ ପବନ ବହିବା ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିବା ସହ ରେଡ୍ ଆଲର୍ଟ ଜାରି କରିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଖାଲୁଆ ଅଞ୍ଚଳରେ ବନ୍ୟା ଓ ଜଳାର୍ଣ୍ଣବ ସ୍ଥିତି ଉପୁଜିବା ନେଇ ପାଣିପାଗ ବିଭାଗ ସତର୍କ କରାଇଛି। ସେହିପରି ଗଛ ଉପୁଡ଼ିବା ଓ ଭୂସ୍ଖଳନ ଘଟିବା ସହ ଦୁର୍ବଳ ବିଲ୍ଡିଂଗୁଡ଼ିକୁ କ୍ଷତି ପହଞ୍ଚାଇବା ଆଶଙ୍କା ରହିଛି।
ଭୋର ଘାଟ ସେକ୍ସନରେ ଭୂସ୍ଖଳନ ଯୋଗୁ ସୋମବାର ମୁମ୍ବାଇ-ପୁଣେ ବ୍ୟସ୍ତବହୁଳ ରେଳଲାଇନରେ ଟ୍ରେନ୍ ଚଳାଚଳ ବନ୍ଦ ରହିଛି। ଏଥିସହିତ କର୍ଜାଟ ଓ ଖୋପୋଲଇ ମଧ୍ୟରେ ଲୋକାଲ ଟ୍ରେନ୍ ଚଳାଚଳ ମଧ୍ୟ ସ୍ଥଗିତ ରହିଛି। ବିଭିନ୍ନ ସ୍ଥାନରେ ରେଳଲାଇନ ପାଣିରେ ବୁଡ଼ିଥିବାରୁ ମୁମ୍ବାଇ ଓ ଦକ୍ଷିଣ ଗୁଜରାଟ ମଧ୍ୟରେ ୨୦ରୁ ଊର୍ଦ୍ଧ୍ୱ ଦୂରଗାମୀ ଟ୍ରେନ୍ ଅଟକି ରହିଛି। ୪୦ରୁ ଊର୍ଦ୍ଧ୍ୱ ଟ୍ରେନ୍ ସେବା ପ୍ରଭାବିତ ହୋଇଛି। କେତେକ ଟ୍ରେନ୍କୁ ବାତିଲ କରାଯାଇଥିବାବେଳେ କେତେକ ଅନ୍ୟ ରୁଟ୍ ଦେଇ ଚଳାଚଳ କରୁଛନ୍ତି। ଏହା ବ୍ୟତୀତ ଅନେକ ଟ୍ରେନ୍ ବିଳମ୍ବରେ ଚଳାଚଳ କରୁଥିବା ଦେଖାଯାଇଥିଲା। ମୁମ୍ବାଇ-ଅହମଦାବାଦ ଟ୍ରଙ୍କ ରୁଟ୍ରେ ସଂଯୋଗ ପୁନଃସ୍ଥାପନ ପାଇଁ ରେଲଓ୍ବେ କର୍ତ୍ତୃପକ୍ଷ ଜୋର୍ଦାର ଉଦ୍ୟମ ଚଳାଇଛନ୍ତି।
ପ୍ରବଳ ବର୍ଷା ଯୋଗୁ ମହାରାଷ୍ଟ୍ର ବିଧାନସଭା ଓ ବିଧାନ ପରିଷଦକୁ ସୋମବାର ମୁଲତବୀ ରଖାଯାଇଛି। ଆଇନଜୀବୀମାନେ କୋର୍ଟକୁ ନ ଆସିପାରିଲେ, କୌଣସି ପ୍ରତିକୂଳ ନିର୍ଦ୍ଦେଶ ଦିଆଯିବ ନାହିଁ ବୋଲି ବମ୍ବେ ହାଇକୋର୍ଟ କହିଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନବିସ୍ ଏଭଳି ସଙ୍କଟକୁ ଅପ୍ରତ୍ୟାଶିତ ଘଟଣା ବୋଲି କହିଛନ୍ତି। ଜରୁରୀ କାମ ନ ଥିଲେ ଲୋକେ ଘରୁ ନ ବାହାରିବାକୁ ସେ ନିବେଦନ କରିଛନ୍ତି। ବର୍ଷା ସମୟରେ ଜଳପ୍ରପାତ କିମ୍ବା ପର୍ଯ୍ୟଟନ ସ୍ଥଳକୁ ନ ଯିବା ପାଇଁ ସେ ପରାମର୍ଶ ଦେଇଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।