ଝାଡ଼ଖଣ୍ଡ ଉପରେ ଅବପାତ ସକ୍ରିୟ: ଆଜିଠୁ କମିବ ବର୍ଷା

Jul 07, 2026 - 08:02
ଝାଡ଼ଖଣ୍ଡ ଉପରେ ଅବପାତ ସକ୍ରିୟ: ଆଜିଠୁ କମିବ ବର୍ଷା

ଭୁବନେଶ୍ୱର,୭।୭(ବନ୍ଦନା ସେଠୀ):ଦକ୍ଷିଣ ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଉପରେ ସୃଷ୍ଟି ହୋଇଥିବା ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଘଣ୍ଟାପ୍ରତି ପ୍ରାୟ ୨୫କି.ମି. ବେଗରେ ଗତି କରି ଦକ୍ଷିଣ ଝାଡ଼ଖଣ୍ଡ ଓ ସଂଲଗ୍ନ ଉତ୍ତର ଛତିଶଗଡ଼ ଅଞ୍ଚଳରେ କେନ୍ଦ୍ରୀଭୂତ ହୋଇଛି। ସୋମବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା ଏହା ଛତିଶଗଡ଼ ଯଶପୁରନଗରର ପୂର୍ବ-ଦକ୍ଷିଣପୂର୍ବରେ ପ୍ରାୟ ୪୦ କି.ମି., ରାଞ୍ଚତ୍ର ପଶ୍ଚିମ-ଦକ୍ଷିଣପଶ୍ଚିମରେ ୧୦୦ କି.ମି, ଡାଲଟନଗଞ୍ଜର ଦକ୍ଷିଣ-ଦକ୍ଷିଣପୂର୍ବରେ ୧୧୦ କି.ମି. ଏବଂ ଅମ୍ବିକାପୁରର ପୂର୍ବରେ ୧୨୦ କି.ମି. ଦୂରରେ ଅବସ୍ଥିତ ଥିଲା। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ସୂଚନା ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହି ଅବପାତ ଉତ୍ତର-ପଶ୍ଚିମ ଦିଗକୁ ଅଗ୍ରସର ହୋଇ ଝାଡ଼ଖଣ୍ଡ, ଉତ୍ତର ଛତିଶଗଡ଼ ଏବଂ ସଂଲଗ୍ନ ପୂର୍ବ ଉତ୍ତରପ୍ରଦେଶ ଓ ପୂର୍ବ ମଧ୍ୟପ୍ରଦେଶ ଦେଇ ଗତି କରିବାର ସମ୍ଭାବନା ରହିଛି। ଅପରପକ୍ଷେ ଦକ୍ଷିଣ-ପଶ୍ଚିମ ରାଜସ୍ଥାନରୁ ପୂର୍ବ-ମଧ୍ୟ ବଙ୍ଗୋପସାଗର ପର୍ଯ୍ୟନ୍ତ ବିସ୍ତୃତ ମୌସୁମୀ ଅକ୍ଷରେଖା ମଧ୍ୟପ୍ରଦେଶ, ଉତ୍ତର ଛତିଶଗଡ଼ ଏବଂ ସୃଷ୍ଟି ହୋଇଥିବା ଅବପାତର କେନ୍ଦ୍ର ଦେଇ ଅତିକ୍ରମ କରୁଛି। ଏହା ସମୁଦ୍ର ପତ୍ତନଠାରୁ ପ୍ରାୟ ୧.୫ କି.ମି. ଉଚ୍ଚତା ପର୍ଯ୍ୟନ୍ତ ସକ୍ରିୟ ରହିଛି। ଏହି ପାଣିପାଗ ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲାରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ବର୍ଷା ଲାଗିରହିବ। ତେବେ ମଙ୍ଗଳବାରଠାରୁ ବର୍ଷାର ପରିମାଣ କମିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। କେବଳ କେନ୍ଦୁଝର ଓ ମୟୂରଭଞ୍ଜ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଗୋଟିଏ ଦୁଇଟି ଜିଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାକୁ ଥିବାବେଳେ କୌଣସି ସତର୍କ ସୂଚନା ଜାରି କରାଯାଇନାହିଁ।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।