ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଆବେଦନ: ଦାରିଙ୍ଗବାଡ଼ି କୃଷି କାର୍ଯ୍ୟାଳୟରେ କୃଷକଙ୍କ ପ୍ରବଳ ଭିଡ଼

Aug 04, 2026 - 21:08
ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଆବେଦନ: ଦାରିଙ୍ଗବାଡ଼ି କୃଷି କାର୍ଯ୍ୟାଳୟରେ କୃଷକଙ୍କ ପ୍ରବଳ ଭିଡ଼

ଦାରିଙ୍ଗବାଡ଼ି,୪।୮(ଅରୁଣ ସାହୁ): କୃଷି କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ କୃଷକମାନଙ୍କୁ ବିଭିନ୍ନ ଯୋଜନାର ସୁଫଳ ଯୋଗାଇ ଦିଆଯାଉଛି। ବର୍ତ୍ତମାନ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁ ଧାନ, ମକା, ଅଦା ଓ ହଳଦୀ ଆଦି ଫସଲ ନଷ୍ଟ ହେବାର ଆଶଙ୍କା ଦେଖାଦେଇଥିବା ବେଳେ ପ୍ରାକୃତିକ ବିପର୍ଯ୍ୟୟ ଏବଂ ବନ୍ୟପ୍ରାଣୀଙ୍କ ଦ୍ୱାରା ଫସଲ ନଷ୍ଟ ଚିନ୍ତାରୁ ମୁକ୍ତି ପାଇବା ପାଇଁ ସରକାର ‘ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା’ (ପି.ଏମ୍.ଏଫ୍.ବି.ୱାଇ.) ଜରିଆରେ ପଞ୍ଜିକରଣ କରିବାର ସହଜ ବ୍ୟବସ୍ଥା କରିଛନ୍ତି।

ଦାରିଙ୍ଗବାଡ଼ି ଗୋଷ୍ଠୀ କୃଷି ଅଧିକାରୀ ସୀତାଂଶୁ କୁମାର ମଲିକଙ୍କ ସୂଚନା ଅନୁଯାୟୀ, କେବଳ ପ୍ରାକୃତିକ ବିପର୍ଯ୍ୟୟ ନୁହେଁ, ବନ୍ୟପ୍ରାଣୀଙ୍କ ଦ୍ୱାରା ଫସଲ ନଷ୍ଟ ହେଲେ ମଧ୍ୟ ବୀମା କରିଥିବା ଚାଷୀମାନେ ସହଜରେ କ୍ଷତିପୂରଣ ପାଇପାରିବେ। ଚାଷୀମାନେ ଧାନ, ମକା, ଅଦା ଓ ହଳଦୀ ଚାଷ ପାଇଁ ୫ ଏକର ପର୍ଯ୍ୟନ୍ତ ଜମିର ବୀମା ସମ୍ପୂର୍ଣ୍ଣ ମାଗଣାରେ କରିପାରିବେ। ଏଥିପାଇଁ ପଞ୍ଜିକରଣ ବାବଦକୁ କୃଷକଙ୍କୁ ପ୍ଲଟ୍ ପିଛା ମାତ୍ର ୧ ଟଙ୍କା ଟୋକନ୍ ମନି ଦେବାକୁ ପଡ଼ିବ। ଏହି ବୀମା ଆବେଦନ କରିବା ପାଇଁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ କରାଯାଇଛି।

ଗୋଷ୍ଠୀ କୃଷି କାର୍ଯ୍ୟାଳୟ ସମେତ ନିକଟସ୍ଥ ଜନସେବା କେନ୍ଦ୍ର ବା ସମବାୟ ସମିତିକୁ ଯାଇ ନିଜ ଫସଲ ବୀମା କରାଇନେବା ପାଇଁ ସୁବିଧାଜନକ ବ୍ୟବସ୍ଥା କରାଯାଇଛି। ଆବେଦନ ପାଇଁ ଆଧାର କାର୍ଡ, ବ୍ୟାଙ୍କ ପାସ୍‌ବୁକ୍, ଜମି ପଟ୍ଟା ଏବଂ ମୋବାଇଲ୍ ନମ୍ବର ବାଧ୍ୟତାମୂଳକ ରହିଛି। ଏହାଛଡ଼ା ଭାଗଚାଷୀମାନେ ମଧ୍ୟ ଜମି ମାଲିକଙ୍କ ସହମତି ପତ୍ର ଦେଇ ଏହି ଯୋଜନାର ଫାଇଦା ପାଇପାରିବେ ବୋଲି ଜଣାପଡ଼ିଛି। ସରକାରଙ୍କ ଏହି ସୁବିଧା ପାଇବା ପାଇଁ ବର୍ତ୍ତମାନ କୃଷି କାର୍ଯ୍ୟାଳୟମାନଙ୍କରେ କୃଷକଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳୁଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।