ପ୍ରଥା-ପରମ୍ପରା-ଅନ୍ଧବିଶ୍ୱାସ: କେଉଁଠି ମୃତଦେହ ସହ ନାଚନ୍ତି ତ କେଉଁଠି ଶୋକରେ କାଟନ୍ତି ଆଙ୍ଗୁଠି !
ପ୍ରଥା-ପରମ୍ପରା-ଅନ୍ଧବିଶ୍ୱାସ । ଅନେକ ମାନନ୍ତି, ଅନେକ ଅଣଦେଖା କରନ୍ତି । ଏବେ ବି ଅନେକ ଦେଶରେ ରହିଛି ଅଜବ ପରମ୍ପରା । ଭିନ୍ନ ଭିନ୍ନ ସମୁଦାୟର ଭିନ୍ନ ଜୀବନ ଜିଇଁବାର ଶୈଳୀ । ଅନେକ ସମୟରେ ପୃଥିବୀର କିଛି ସ୍ଥାନରୁ ଏଭଳି କିଛି ରୀତିନୀତି ସାମନାକୁ ଆସିଥାଏ, ଯାହା ସାଧାରଣ ମଣିଷର ଚିନ୍ତାଧାରା ବାହାରେ । ଆଧୁନିକ ବିଜ୍ଞାନ ଓ ସମାଜ ପାଇଁ ଏହି ପ୍ରଥାଗୁଡ଼ିକ ଅନ୍ଧବିଶ୍ୱାସ ମନେ ହୋଇପାରେ, କିନ୍ତୁ ସେହି ସ୍ଥାନୀୟ ଜନଜାତିଙ୍କ ପାଇଁ ଏହା ସଂସ୍କୃତି ଓ ଗଭୀର ଆସ୍ଥାର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଆସନ୍ତୁ ଜାଣିବା ଦୁନିଆର ସେହିଭଳି କିଛି ବିଚିତ୍ର ପ୍ରଥା ବିଷୟରେ, ଯାହା ଆଜିର ଆଧୁନିକ ଯୁଗରେ ବି ଜୀବନ୍ତ ରହିଛି ।
୧. ଜୀବନ୍ତ କବର ଅର୍ଥାତ୍ କଫିନ୍ ଥେରାପି
ତାଇୱାନର କେତେକ ପାରମ୍ପରିକ ଏବଂ ଆଧୁନିକ ଆଧ୍ୟାତ୍ମିକ ବିଶ୍ୱାସରେ ଏହି 'କଫିନ୍ ଥେରାପି' ପ୍ରଚଳିତ । ଏହି ଅଦ୍ଭୁତ ପ୍ରଥା ଅନୁଯାୟୀ, ଜଣେ ବ୍ୟକ୍ତି ନିଜ ଜୀବନର ଖରାପ ସମୟ, ଦୁର୍ଭାଗ୍ୟ, ମାନସିକ ଚାପ କିମ୍ୱା ରୋଗ ବ୍ୟାଧିରୁ ମୁକ୍ତି ପାଇବା ପାଇଁ ଜୀବନ୍ତ ଅବସ୍ଥାରେ କିଛି ସମୟ ପାଇଁ ଏକ କଫିନ୍ ଭିତରେ ଶୋଇ ରହିଥାନ୍ତି । ଆଶ୍ଚର୍ଯ୍ୟର କଥା ହେଉଛି, ଏହି ସମୟରେ ପ୍ରକୃତ ଶବ ସଂସ୍କାର ଭଳି ସମସ୍ତ ରୀତିନୀତି କରାଯାଇଥାଏ । ଏହା ପଛର ବିଶ୍ୱାସ ହେଉଛି ଯେ, କଫିନ୍ ଭିତରୁ ବାହାରକୁ ଆସିବା ପରେ ମଣିଷ ଏକ ‘ନୂତନ ଜନ୍ମ’ ପାଇଥାଏ ଏବଂ ଏହା ମୃତ୍ୟୁର ଭୟ ଦୂର କରିବାରେ ସାହାଯ୍ୟ କରେ ।
୨. ବୁଲେଟ୍ ଆଣ୍ଟ ପ୍ରଥା
ବ୍ରାଜିଲର ଆମାଜନ ଜଙ୍ଗଲରେ ବସବାସ କରୁଥିବା 'ସାତେରେ-ମାୱେ' ଜନଜାତି ମଧ୍ୟରେ ପ୍ରଚଳିତ 'ବୁଲେଟ୍ ଆଣ୍ଟ ପ୍ରଥା' ହେଉଛି ବିଶ୍ୱର ସବୁଠାରୁ କଷ୍ଟଦାୟକ ସାଂସ୍କୃତିକ ପରମ୍ପରା । ଏଠାରେ ଜଣେ କିଶୋର ବାଳକକୁ ପୂର୍ଣ୍ଣ ପୁରୁଷର ମାନ୍ୟତା ଦେବା ପାଇଁ ତା’ର ସହନଶୀଳତାର ପରୀକ୍ଷା ନିଆଯାଏ । ବାଳକକୁ ପ୍ରାୟ ୨୦ ମିନିଟ୍ ପର୍ଯ୍ୟନ୍ତ ଏଭଳି ଏକ ଗ୍ଲୋଭ୍ସ ପିନ୍ଧିବାକୁ ପଡ଼ିଥାଏ, ଯାହା ଭିତରେ ଶତାଧିକ ବିଷାକ୍ତ 'ବୁଲେଟ୍ ଆଣ୍ଟ' ବା ପିମ୍ପୁଡ଼ି ଥାଆନ୍ତି । ଏହି ପିମ୍ପୁଡ଼ି କାମୁଡ଼ାର ଯନ୍ତ୍ରଣା ଶରୀରରେ ଗୁଳି ବାଜିବା ସହ ସମାନ । ଏଭଳି ଅସହ୍ୟ କଷ୍ଟ ସତ୍ତ୍ୱେ ପିଲାଟି ଆଖିରୁ ଲୁହ ନ ଗଡ଼ାଇ ଧୈର୍ଯ୍ୟର ସହ ପାରମ୍ପରିକ ନୃତ୍ୟ କରିବାକୁ ପଡ଼ିଥାଏ ।
ଏହା ବି ପଢ଼ନ୍ତୁ... Prambanan temple : ଯୁଦ୍ଧ-ଛଳ-ପ୍ରେମ-ପ୍ରତିଶୋଧର ପ୍ରତୀକ ଇଣ୍ଡୋନେସିଆର ପ୍ରମ୍ବାନନ ମନ୍ଦିର, ପଥର ମୂର୍ତ୍ତି କହୁଛି ଅଭିଶପ୍ତ ରାଜକୁମାରୀଙ୍କ କାହାଣୀ
୩. କାୟାନ ଜନଜାତିର ଲମ୍ୱା ବେକର ସୌନ୍ଦର୍ଯ୍ୟ
ଆପଣ କେବେ ଲମ୍ବା ବେକ ପାଇଁ କଷ୍ଟ ସହୁଥିବା ମହିଳାମାନଙ୍କ ବିଷୟରେ ଶୁଣିଛନ୍ତି ? କାୟାନ ଜନଜାତିର ମହିଳାମାନଙ୍କ ମଧ୍ୟରେ 'ଲମ୍ୱା ବେକ ପ୍ରଥା' ଏକ ପ୍ରାଚୀନ ପରମ୍ପରା । ଏଠାରେ କନ୍ୟା ସନ୍ତାନମାନଙ୍କୁ ମାତ୍ର ୫ ବର୍ଷ ବୟସରୁ ବେକରେ ପିତ୍ତଳର ଭାରୀ ବଳା ବା କୁଣ୍ଡଳୀ ପିନ୍ଧାଇ ଦିଆଯାଏ । ବୟସ ବଢ଼ିବା ସହିତ ଏହି ବଳାର ଓଜନ ମଧ୍ୟ ବୃଦ୍ଧିପାଏ, ଯାହା ଶରୀରର ହାଡ଼କୁ ତଳକୁ ଚାପିଦେଇ ବେକକୁ ଅସ୍ୱାଭାବିକ ଭାବେ ଲମ୍ୱା କରିଦିଏ । ଏହି ସମୁଦାୟରେ ଲମ୍ୱା ବେକକୁ ନାରୀର ସୌନ୍ଦର୍ଯ୍ୟ ଏବଂ ସାଂସ୍କୃତିକ ପରିଚୟର ପ୍ରତୀକ ବୋଲି ମାନନ୍ତି ।
୪. ଫାମାଦିହାନା ଉତ୍ସବ ଅର୍ଥାତ୍ ମୃତଦେହ ସହ ନୃତ୍ୟ
ମୃତ୍ୟୁ ପରେ ସାଧାରଣତଃ ଶୋକାକୁଳ ପରିବେଶ ସୃଷ୍ଟି ହୁଏ, କିନ୍ତୁ ଏଭଳି ଏକ ସ୍ଥାନ ଅଛି ଯେଉଁଠି ମୃତଦେହ ସହ ଉତ୍ସବ ମନାଯାଏ । ମାଡାଗାସ୍କାରର ମାଲଗାସି ସମୁଦାୟ ମଧ୍ୟରେ ପ୍ରଚଳିତ 'ଫାମାଦିହାନା' ପ୍ରଥାକୁ 'ମୃତଦେହ ସହ ନୃତ୍ୟ' ବୋଲି କୁହାଯାଏ । ଏହି ପ୍ରଥା ଅନୁଯାୟୀ, ଲୋକମାନେ ପ୍ରତି ୭ରୁ ୯ ବର୍ଷରେ ନିଜ ପୂର୍ବପୁରୁଷଙ୍କ ମୃତଦେହକୁ କବରରୁ ବାହାର କରିଥାନ୍ତି । ଏହାପରେ ସେହି ମୃତଦେହକୁ ନୂଆ ସିଲ୍କ କପଡ଼ାରେ ଗୁଡ଼ାଇ କାନ୍ଧରେ ବୋହି, ସଙ୍ଗୀତର ତାଳେ ତାଳେ ଆନନ୍ଦ ମନରେ ନୃତ୍ୟ କରି ଏକ ବଡ଼ ଉତ୍ସବ ପାଳନ କରନ୍ତି । ସେମାନଙ୍କ ବିଶ୍ୱାସ ଯେ ମୃତ୍ୟୁ ପରେ ମଧ୍ୟ ପୂର୍ବ ପୁରୁଷମାନଙ୍କ ସହ ସମ୍ପର୍କ ଭାଙ୍ଗେ ନାହିଁ ।
୫. ଶୋକ ପାଇଁ ଆଙ୍ଗୁଠି କାଟିବା
ସବୁଠୁ କଷ୍ଟଦାୟକ ପ୍ରଥା ହେଉଛି ଶୋକ ପାଇଁ ଆଙ୍ଗୁଠି କାଟିବା । ଇଣ୍ଡୋନେସିଆର ପଶ୍ଚିମ ପାପୁଆ ଅଞ୍ଚଳରେ ବସବାସ କରୁଥିବା 'ଦାନି ଜନଜାତି'ର ମହିଳାମାନଙ୍କ ମଧ୍ୟରେ ଆଙ୍ଗୁଠି କାଟିବା ପ୍ରଥା ପ୍ରଚଳିତ ରହିଛି । ଏହି ବିଚିତ୍ର ପ୍ରଥା ଅନୁଯାୟୀ, ପରିବାରର କୌଣସି ପ୍ରିୟଜନଙ୍କ ମୃତ୍ୟୁ ହେଲେ, ସେହି ଗଭୀର ଦୁଃଖକୁ ପ୍ରକଟ କରିବା ପାଇଁ ପରିବାରର ମହିଳାମାନଙ୍କୁ ନିଜ ହାତର ଏକ ଆଙ୍ଗୁଠିର ଗୋଟିଏ ଅଂଶ କାଟିବାକୁ ପଡ଼ିଥାଏ । ଶାରୀରିକ କଷ୍ଟ ମାଧ୍ୟମରେ ମନର ଗଭୀର ମାନସିକ ଦୁଃଖକୁ ଦର୍ଶାଇବା ଏବଂ ମୃତ ବ୍ୟକ୍ତିଙ୍କ ଆତ୍ମାକୁ ଶାନ୍ତି ଦେବା ଏହି ପ୍ରଥାର ମୂଳ ଉଦ୍ଦେଶ୍ୟ । ଯଦିଓ ଆଧୁନିକ ସମୟରେ ଆଇନଗତ ଭାବେ ଏହା ଉପରେ ପ୍ରତିବନ୍ଧକ ଲଗାଯାଇଛି, ତଥାପି ଏହି ସମୁଦାୟର ବୟସ୍କା ମହିଳାମାନଙ୍କ ହାତକୁ ଦେଖିଲେ ଆଜି ବି ଏହି କଷ୍ଟଦାୟକ ପ୍ରଥାର ସ୍ପଷ୍ଟ ପ୍ରମାଣ ମିଳିଥାଏ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।