ଚଳଚଞ୍ଚଳ ଚାଷୀ: ଲଗାଣ ବର୍ଷାରେ ଜମିରେ ବୁଡ଼ିଲା ବିହନ

Jul 04, 2026 - 11:34

ଗଞ୍ଜାମ,୪।୭(ବିଦ୍ୟାଧର ସାହୁ):ଲଘୁଚାପଜନିତ ବର୍ଷା ଶୁକ୍ରବାରଠାରୁ ଗଞ୍ଜାମ ବ୍ଲକ ଅଞ୍ଚଳରେ ଆରମ୍ଭ ହୋଇଛି l ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଚାଷୀକୁଳ l ଯେହେତୁ ଗତ କିଛି ଦିନ ତଳେ ପାଗ ଅନୁକୂଳ ଦେଖି ପୁଇଁତୋଳା, ବରପଲ୍ଲୀ,ସୂର୍ଯ୍ୟ ନାରାୟଣ ପୁଟର, ଲକ୍ଷ୍ମୀପୁର, ଝାଡକୁଦା, ମୟରୁ ପଦା, ହୁମା, ବୋରିଗାଁ, ଲୁଂଘୁରି, କୁଶପଲ୍ଲୀ, ଖଣ୍ଡ ଦେଉଳୀ, କାଇଁଚପୁର, ମଲାଡ଼, କଲ୍ୟାଣପୁର ଆଦି ବିହନ ବୁଣିଛନ୍ତି ଅର୍ଦ୍ଧାଧିକ ଚାଷୀ l ବର୍ଷା ଆଗମନ ଦେଖି ଚାଷୀ ଆଶ୍ୱସ୍ତି ହୋଇଥିଲେ l କିନ୍ତୁ ଗତ ଦୁଇଦିନ ଧରି ଲଗାଣ ବର୍ଷା ଯୋଗୁ ତଳି ବୁଣା ଫସଲ ଜମିରେ ବର୍ଷା ଜଳ ଜମିଥିବା ଦେଖି ଚାଷୀ କିଛି ମାତ୍ରାରେ ହତୋତ୍ସାହିତ ଅଛନ୍ତି। ଯଦି ବର୍ଷା ଧାରା ଲାଗି ରୁହେ ତାହେଲେ ଧାର କରଜ କରି ବିଲରେ ବୁଣିଥିବା ବିହନ ନଷ୍ଟ ହେବା ଆଶଙ୍କା ସୃଷ୍ଟି କରିଛି l ବିଲକୁ ଏବେ ଦେଖିଲେ ଚିଲିକା ଭଳି ମନେ ହେଉଛି l ଏଭଳି ପରିପ୍ରେକ୍ଷୀରେ ଧାନ ଫସଲରେ କ୍ଷତି ସହିବା ଆଶଙ୍କାକୁ ଏଡାଇ ଦିଆ ଯାଇ ପାରିବ ନାହିଁ l ଗଞ୍ଜାମ ବ୍ଲକର ପନ୍ଦର ପଞ୍ଚାୟତର ଅଧିକାଂଶ ଚାଷୀ ଓ ଭାଗ ଚାଷୀ ଖରିଫ ଫସଲ ବା ଧାନ ଫସଲ ଉପରେ ନିର୍ଭର କରିଥାନ୍ତି l କିନ୍ତୁ କେତେବେଳେ ବର୍ଷାର ଅନିୟମିତତା ତ କେତେବେଳେ ନିଅଣ୍ଟିଆ ବର୍ଷା ଯୋଗୁ ଧାନ ଚାଷ ପ୍ରଭାବିତ ହେଉଛି l ଏଥିପାଇଁ କିଛି ଚାଷୀ ଚାଷ କାର୍ଯ୍ୟରୁ ମୁହଁ ଫେରେଇବାକୁ ବାଧ୍ୟ ହେଉଛନ୍ତି l ଜମି ମାଫିଆମାନେ ଏହାର ଫାଇଦା ନେଇ ଚାଷ ଜମିକୁ ଶାଗ ମାଛ ଦରରେ କିଣି ସେଠାରେ କଳାକାରଖାନା ଓ ପେଟ୍ରୋଲ ପମ୍ପ ଏବଂ କାଜୁ ଫାକ୍ଟ୍ରି ନିର୍ମାଣ କରି ମାଲାମାଲ ହେଉଛନ୍ତି l

 

Dharitri – Odisha’s No.1 Odia Daily

 

The post ଚଳଚଞ୍ଚଳ ଚାଷୀ: ଲଗାଣ ବର୍ଷାରେ ଜମିରେ ବୁଡ଼ିଲା ବିହନ appeared first on Dharitri Odia News.