ପ୍ରକାଶ ପାଇଲା ସମ୍ବଲପୁର, ପୁରୀ ମେୟର ପଦର ସଂରକ୍ଷଣ ଚିଠା

Jul 29, 2026 - 07:43
ପ୍ରକାଶ ପାଇଲା ସମ୍ବଲପୁର, ପୁରୀ ମେୟର ପଦର ସଂରକ୍ଷଣ ଚିଠା

ଭୁବନେଶ୍ୱର,୨୯ା୭(ସୁନିତ୍‌ ମିଶ୍ର): ରାଜ୍ୟ ସରକାରଙ୍କ ପକ୍ଷରୁ ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରକ୍ରିୟା ତ୍ୱରାନ୍ବିତ କରାଯାଇଛି। ଏନେଇ ନିକଟରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବା ସହ ଜନଗଣନା ପରେ ପୌର ଓ ପଞ୍ଚାୟତ ନିର୍ବାଚନ ହେବ ବୋଲି କୁହାଯାଇଥିଲା। ଏହି ପରିପ୍ରେକ୍ଷୀରେ ସମ୍ବଲପୁର ଏବଂ ପୁରୀ ମେୟର ପଦ ଲାଗି ନଗର ଉନ୍ନୟନ ବିଭାଗ ପକ୍ଷରୁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ଏହି କ୍ରମରେ ସମ୍ବଲପୁର ଏବଂ ପୁରୀ ମହାନଗର ନିଗମ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ବଲପୁର ମହାନଗର ନିଗମ ଏବଂ ପୁରୀ ମହାନଗର ନିଗମ ପାଇଁ ସ୍ବତନ୍ତ୍ର ବିଜ୍ଞପ୍ତି ଜାରି କରାଯାଇଛି। ସମ୍ବଲପୁର ମହାନଗର ନିଗମ ମେୟର ପଦ ପାଇଁ ଅନ୍‌ରିଜର୍ଭଡ୍‌ (ସାଧାରଣ ବର୍ଗ) ପ୍ରାର୍ଥୀଙ୍କ ପାଇଁ ସଂରକ୍ଷଣ କରାଯାଇଛି। ସେହିପରି ପୁରୀ ମହାନଗର ନିଗମ ସକାଶେ ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ପକ୍ଷରୁ ଅନୁସୂଚିତ ଜାତି(ମହିଳା) ବର୍ଗଙ୍କ ପାଇଁ ମେୟର ପଦବୀର ସଂରକ୍ଷଣ ତାଲିକା ମଙ୍ଗଳବାର ପ୍ରକାଶ ପାଇଛି। ଏ ନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ପୌର ପ୍ରଶାସନ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ଯଦି ସରକାରଙ୍କ ଏହି ସଂରକ୍ଷଣ ପ୍ରସ୍ତାବ ନେଇ କାହାର ଆପତ୍ତି, ଅଭିଯୋଗ ବା ପ୍ରସ୍ତାବ ଥାଏ, ତାହାଲେ ପୌର ପ୍ରଶାସନ ନିର୍ଦ୍ଦେଶକଙ୍କ ନିକଟରେ ବିଜ୍ଞପ୍ତି ପ୍ରକାଶନର ୧୫ ଦିନ ମଧ୍ୟରେ ଜଣାଇବାକୁ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।

Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।