ପୁଅ ଅନ୍ୟ ଜାତିରେ ବାହା ହୋଇଥିଲେ ବୋଲି ବାପାଙ୍କ ମୃତଦେହକୁ ଛୁଇଁଲେନି କେହି: ୧୦ ଘଣ୍ଟା ପରେ…

Jul 03, 2026 - 11:08
ପୁଅ ଅନ୍ୟ ଜାତିରେ ବାହା ହୋଇଥିଲେ ବୋଲି ବାପାଙ୍କ ମୃତଦେହକୁ ଛୁଇଁଲେନି କେହି: ୧୦ ଘଣ୍ଟା ପରେ…

ପାଟଣାଗଡ଼,୩।୭(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲାର ପାଟଣାଗଡ଼ ବ୍ଳକ ଅନ୍ତର୍ଗତ ତୁଳସୀଡୁଙ୍ଗରି ଗାଁରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ବୃଦ୍ଧାଙ୍କ ପୁଅ ଅନ୍ୟଜାତିର ବାହା ହୋଇଥିଲେ ବୋଲି ବୃଦ୍ଧଙ୍କ ମୃତ୍ୟୁ ହେବାପରେ ଶବକୁ କେହି ଛୁଇଲେନି। ୧୦ ଘଣ୍ଟା ପରେ ବି ହୋଇପାରିଲାନି ବୃଦ୍ଧ ସଂସ୍କାର। ଶବକୁ ଚାରି କାନ୍ଧ ମିଳି ନ ଥିବାରୁ ମୃତଦେହକୁ ଜଗି ରହିଥିଲା ମୃତ ବୃଦ୍ଧଙ୍କ ଏକମାତ୍ର ପୁଅ। ମୃତ ବୃଦ୍ଧ ଜଣକ ହେଲେ ଉକ୍ତ ଗାଁର ଅର୍ଜୁନ ବନଗୋଲା।
ସୂଚନା ଅନୁସାରେ, ମୃତ ବୃଦ୍ଧଙ୍କ ପୁଅ ଅନ୍ୟ ଜାତିର ବାହା ହୋଇଥିବାରୁ ଜାତି ଭାଇମାନେ ତାଙ୍କ ଶବକୁ ଛୁଇଁବାକୁ ମନା କରିଦେଇଥିବା ଅଭିଯୋଗ ହେଉଛି । ଏପରିକି ତାଙ୍କ ସମ୍ପର୍କୀୟମାନେ ମଧ୍ୟ ଦୂରେଇ ରଖୁଥିବାରୁ ବୃଦ୍ଧାଙ୍କ ମୃତଦେହ କିଛି ସମୟ ପର୍ଯ୍ୟନ୍ତ ଘରେ ପଡ଼ି ରହିଥିଲା। ମୃତ ବୃଦ୍ଧଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ପାଟଣାଗଡ଼ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ତାଙ୍କର ଚିକିତ୍ସା ଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା ।
ମୃତଦେହ ଗାଁକୁ ଫେରିବା ପରେ ଜାତିଗତ ଭେଦଭାବ ଯୋଗୁ କୌଣସି ଜାତିଭାଇ ଶବ ସତ୍କାରରେ ସାହାଯ୍ୟ କରିବାକୁ ଆଗେଇ ଆସି ନ ଥିଲେ । ଗାଁରେ ମୃତ ବୃଦ୍ଧଙ୍କ ଜଣେ ମା’ ଏବଂ ତାଙ୍କ ପୁଅ ଥିବାରୁ ଶବକୁ କିପରି ଶ୍ମଶାନକୁ ନେବେ ସେ ନେଇ ସେମାନେ ଚିନ୍ତାରେ ପଡ଼ିଯାଇଥିଲେ। ଏଘଟଣା ସମ୍ପର୍କରେ ୪ ଜଣ ସମାଜସେବୀ ଖବର ପାଇବା ପରେ ମୃତ ବୃଦ୍ଧଙ୍କ ଘରକୁ ଯାଇ ପଚାରି ବୁଝିଥିଲେ। ମୃତ ବୃଦ୍ଧଙ୍କ ଶବକୁ କାନ୍ଧଦେଇ ଗାଁର ଅନତି ଦୂରରେ ଥିବା ଏକ ଜଙ୍ଗଲକୁ ଆଣି ଶବ ସତ୍କାର କରିଥିଲେ। ଅନ୍ୟପଟେ ପଞ୍ଚାୟତ କର୍ତ୍ତୃପକ୍ଷ ହରିଚନ୍ଦ୍ର ଯୋଜନାରୁ କିଛି ଟଙ୍କା ଦେଇ ସେଠାରୁ ଚାଲିଯାଇଥିଲେ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଇଛି।

 

Dharitri – Odisha’s No.1 Odia Daily