ପାରିବାରିକ ବିବାଦର କରୁଣ ପରିଣତି: ବିଷ ପିଇ ଜୀବନ ହାରିଲେ ସିଆରପିଏଫ୍ ଯବାନ

Jul 07, 2026 - 13:12
ପାରିବାରିକ ବିବାଦର କରୁଣ ପରିଣତି: ବିଷ ପିଇ ଜୀବନ ହାରିଲେ ସିଆରପିଏଫ୍ ଯବାନ

କନ୍ଧମାଳ: ପାରିବାରିକ କଳହରୁ ଉପୁଜିଥିବା ମାନସିକ ଚାପ ସହି ନପାରି ଜଣେ ସିଆରପିଏଫ୍ (CRPF) ଯବାନ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ନୂଆସାହିରେ ଘଟିଛି ଏପରି ଅଭାବନୀୟ ଘଟଣା । ମୃତ ଯବାନଙ୍କ ନାମ ଅଶୋକ ବେହେରା ବୋଲି ଜଣାପଡିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। 

ମିଳିଥିବା ସୂଚନା ଅନୁଯାୟୀ, ମୃତ ଅଶୋକ ବେହେରା କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଧୀନସ୍ଥ ଗାୟତ୍ରୀ କଲୋନୀର ବାସିନ୍ଦା ଅଟନ୍ତି। ସୋମବାର ଦିନ ସେ କୌଣସି କାରଣରୁ ନିଜ କୋଠରୀକୁ ଭିତରୁ ବନ୍ଦ କରି ବିଷ ପିଇ ଦେଇଥିଲେ । ତାଙ୍କର ସହକର୍ମୀମାନେ ବାରମ୍ବାର ଫୋନ୍ କରିବା ସତ୍ତ୍ୱେ ସେ କୌଣସି ଉତ୍ତର ଦେଇନଥିଲେ। ଦୀର୍ଘ ସମୟ ଧରି କବାଟ ନ ଖୋଲିବାରୁ ପଡ଼ୋଶୀମାନଙ୍କର ସନ୍ଦେହ ବଢ଼ିଥିଲା। ଏହା ପରେ ସେମାନେ ତୁରନ୍ତ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ। 

ଖବର ପାଇ ବାଲିଗୁଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଜଣେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ କବାଟ ଭାଙ୍ଗି ଘର ଭିତରେ ପ୍ରବେଶ କରିଥିଲା। ସେଠାରେ ଅଶୋକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ବାଲିଗୁଡ଼ା ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ପରିବାର ଲୋକଙ୍କ ଅଭିଯୋଗ ଭିତ୍ତିରେ ପୋଲିସ ଏକ ମାମଲା ରୁଜୁ କରିବା ସହ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି । 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAKALA - ସକାଳ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।