ପଶ୍ଚିମବଙ୍ଗ ରାଜନୀତିରେ ଭୂକମ୍ପ: ଦିଦି ନୁହେଁ, ଋତବ୍ରତ ବାନାର୍ଜୀ ହେବେ ଟିଏମସିର ନୂଆ ‘ଦାଦା’?
କୋଲକାତା,୨।୬: ପଶ୍ଚିମବଙ୍ଗ ନିର୍ୱାଚନ ଫଳାଫଳ ପରେ ତୃଣମୂଳ କଂଗ୍ରେସ (TMC) ଭିତରେ ଏଭଳି ଏକ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି, ଯାହା ମମତା ବାନାର୍ଜୀଙ୍କ ରାଜନୈତିକ ସାମ୍ରାଜ୍ୟର ମୂଳଦୁଆକୁ ହଲାଇ ଦେଇଛି। ଦଳରୁ ବହିଷ୍କୃତ ହୋଇଥିବା ପ୍ରଭାବଶାଳୀ ନେତା ଋତବ୍ରତ ବାନାର୍ଜୀ ଏବେ ‘ଦିଦି’ଙ୍କ ବିକଳ୍ପ ଭାବେ ନୂଆ ‘ଦାଦା’ ସାଜି ଉଭା ହେଉଛନ୍ତି।
ପଶ୍ଚିମବଙ୍ଗ ରାଜନୀତିରେ ଏବେ ସେହି ସବୁ ଘଟୁଛି, ଯାହା କିଛି ଦିନ ପୂର୍ୱରୁ କଳ୍ପନା କରିବା ମଧ୍ୟ ଅସମ୍ଭବ ଥିଲା। ବିଧାନସଭା ନିର୍ୱାଚନରେ ଶୋଚନୀୟ ପରାଜୟ ପରେ ଟିଏମସି ଭିତରେ ଯେଉଁ ଅସନ୍ତୋଷର ନିଆଁ କୁହୁଳୁଥିଲା, ତାହା ଏବେ ସମ୍ପୂର୍ଣ୍ଣ ରୂପେ ବିସ୍ଫୋରଣ ହୋଇଛି। ରିପୋର୍ଟ ଅନୁଯାୟୀ, ଦଳର ବହିଷ୍କୃତ ନେତା ଋତବ୍ରତ ବାନାର୍ଜୀଙ୍କ ପଛରେ କେବଳ ଜଣେ କିମ୍ୱା ଦୁଇ ଜଣ ନୁହେଁ, ବରଂ ୫୦ରୁ ଅଧିକ ବିଧାୟକ, ୧୨ ଜଣ ଲୋକ ସଭା ଏମପି ଏବେଂ ୬ ଜଣ ରାଜ୍ୟ ସଭା ଏମପି ଏକାଠି ହୋଇଛନ୍ତି। ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି ଯେ, ଏହି ଗୋଷ୍ଠୀ ମମତା ବାନାର୍ଜୀଙ୍କୁ ଏକ ବଡ଼ ଧକ୍କା ଦେବାକୁ ଯାଉଛନ୍ତି, ଯାହା ଦ୍ୱାରା କେବଳ ବିରୋଧୀ ଦଳ ନେତା ପଦ ବଦଳିବ ନାହିଁ, ବରଂ ସମ୍ପୂର୍ଣ୍ଣ ଟିଏମସି ଦୁଇ ଭାଗ ହୋଇଯିବାର ଆଶଙ୍କା ରହିଛି।
ମମତା ବାନାର୍ଜୀଙ୍କ ପ୍ରଭାବ ଥିବା ଏହି ଦଳରେ କେହି କେବେ ତାଙ୍କ ନିଷ୍ପତ୍ତି ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ସାହସ କରିନଥିଲେ, କିନ୍ତୁ ଋତବ୍ରତ ବାନାର୍ଜୀ ଏହି ଭ୍ରମକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଛନ୍ତି। ବିଧାନସଭା ସଚିବାଳୟରେ ବିରୋଧୀ ଦଳ ନେତା (LoP) ପାଇଁ ଶୋଭନଦେବ ଚଟ୍ଟୋପାଧ୍ୟାୟଙ୍କ ନାମ ପ୍ରସ୍ତାବରେ ଜାଲ ଦସ୍ତଖତ ପ୍ରସଙ୍ଗ ଉଠାଇ ଋତବ୍ରତ ଯେଉଁ ଖେଳ ଆରମ୍ଭ କରିଥିଲେ, ତାହା ଏବେ ମମତା ବାନାର୍ଜୀଙ୍କୁ ଗାଦିଚ୍ୟୁତ କରିବାର ଏକ ବଡ଼ ଯୋଜନାରେ ପରିଣତ ହୋଇଛି। କୋଲକାତାର ଗେଟୱେ ହୋଟେଲରେ ହୋଇଥିବା ଗୁପ୍ତ ବୈଠକରେ ୫୦ରୁ ଅଧିକ ବିଧାୟକ ସର୍ୱସମ୍ମତି କ୍ରମେ ଋତବ୍ରତ ବାନାର୍ଜୀଙ୍କୁ ନିଜର ନେତା ଭାବେ ଗ୍ରହଣ କରିଛନ୍ତି।
ଟିଏମସିର ପୂର୍ୱତନ ଜାତୀୟ ପ୍ରବକ୍ତା ରିଜୁ ଦତ୍ତ ଗଣମାଧ୍ୟମ ସାମ୍ନାରେ ଏକ ବଡ଼ ଦାବି କରିଛନ୍ତି। ତାଙ୍କ କହିବା ଅନୁଯାୟୀ, ଏହି ବିଦ୍ରୋହ କେବଳ କୋଲକାତାରେ ସୀମିତ ନାହିଁ, ବରଂ ଦିଲ୍ଲୀ ପର୍ଯ୍ୟନ୍ତ ବ୍ୟାପିଛି। ଟିଏମସିର ୧୨ ଲୋକ ସଭା ଓ ୬ ରାଜ୍ୟ ସଭା ଏମପି ଭାଜପା ଶୀର୍ଷ ନେତୃତ୍ୱଙ୍କ ସହ ଯୋଗାଯୋଗରେ ଅଛନ୍ତି । ଭାଜପା ରଣନୈତିକ ଭାବେ ସେମାନଙ୍କୁ ଦଳରେ ସାମିଲ ନକରି ଟିଏମସିକୁ ଭିତରୁ ଦୁର୍ୱଳ କରିବାକୁ ସୁଯୋଗ ଦେଉଛି।
ଯେଭଳି ଭାବେ ମହାରାଷ୍ଟ୍ର ରାଜନୀତିରେ ରାତାରାତି ଶିବସେନା ଏବଂ ଏନସିପି ସମ୍ପୂର୍ଣ୍ଣ ଭାବେ ଉଦ୍ଧବ ଠାକରେ ଓ ଶରଦ ପାୱାରଙ୍କ ହାତରୁ ଖସିଯାଇଥିଲା, ଠିକ ସେଭଳି ସ୍ଥିତି ଏବେ ବେଙ୍ଗଲରେ ଦେଖିବାକୁ ମିଳୁଛି। ରାଜନୈତିକ ସମୀକ୍ଷକଙ୍କ ଅନୁଯାୟୀ, ଋତବ୍ରତ ବାନାର୍ଜୀଙ୍କ ପାଖରେ ୫୦ରୁ ଅଧିକ ବିଧାୟକଙ୍କ ସମର୍ଥନ ଥିବାରୁ ଦଳ ବଦଳ ଆଇନ (Defection Law) ମଧ୍ୟ ସେମାନଙ୍କ ଉପରେ କାମ କରିବ ନାହିଁ, କାରଣ ୮୦ ବିଧାୟକ ଥିବା ଟିଏମସିରେ ବିଦ୍ରୋହୀଙ୍କ ସଂଖ୍ୟା ଦୁଇ-ତୃତୀୟାଂଶରୁ ଅଧିକ। ଯଦି ସେମାନେ ବାଚସ୍ପତିଙ୍କୁ ସମର୍ଥନ ପତ୍ର ଦିଅନ୍ତି, ତେବେ ଆଇନଗତ ଭାବେ ଋତବ୍ରତ ବାନାର୍ଜୀ ’ଅସଲି ତୃଣମୂଳ’ର ମାଲିକ ହୋଇଯିବେ।
ଏହି ଅପ୍ରତ୍ୟାଶିତ ବିଦ୍ରୋହ ମମତା ବାନାର୍ଜୀଙ୍କୁ ଚିନ୍ତାରେ ପକାଇ ଦେଇଛି। ସେ ଏହାକୁ ଭାଜପାର ଏକ ଷଡ଼ଯନ୍ତ୍ର ବୋଲି କହିଛନ୍ତି ଏବଂ ‘ଦମ ଅଛି ତ ମୋତେ ଗିରଫ କରି ଦେଖାଅ’ ବୋଲି ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। କିନ୍ତୁ ବାସ୍ତବତା ହେଉଛି, ଏଥର ତାଙ୍କ ଲଢ଼େଇ ବାହାର ଶତ୍ରୁଙ୍କ ସହ ନୁହେଁ, ବରଂ ଘର ଭିତରେ ଥିବା ନିଜ ଲୋକଙ୍କ ସହ।
ଆଗାମୀ କିଛି ଦିନ ମଧ୍ୟରେ ଯଦି ବିଦ୍ରୋହୀ ବିଧାୟକ ଏବଂ ଏମପିମାନେ ରାଜଭବନ ସାମ୍ନାରେ ପରେଡ କରିବାରେ ସଫଳ ହୁଅନ୍ତି, ତେବେ ବେଙ୍ଗଲ ରାଜନୀତିରେ ‘ଦିଦି’ ଯୁଗର ଅନ୍ତ ଏବଂ ‘ଦାଦା’ ଯୁଗର ଆରମ୍ଭକୁ କେହି ରୋକିପାରିବେ ନାହିଁ।
The post ପଶ୍ଚିମବଙ୍ଗ ରାଜନୀତିରେ ଭୂକମ୍ପ: ଦିଦି ନୁହେଁ, ଋତବ୍ରତ ବାନାର୍ଜୀ ହେବେ ଟିଏମସିର ନୂଆ ‘ଦାଦା’? appeared first on Dharitri Odia News.
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।