ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ନୂଆ ଭୋଟର: ୨୬ରୁ ଆରମ୍ଭ ହେବ ଘରକୁ ଘର ସର୍ଭେ
ଭୁବନେଶ୍ୱର, ୨୦।୭: ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ନିର୍ବାଚନ ଆୟୋଗ ଭୋଟର ତାଲିକା ପ୍ରସ୍ତୁତି ପାଇଁ ବଡ଼ ଘୋଷଣା କରିଛନ୍ତି। ସ୍ୱତନ୍ତ୍ର ସଂକ୍ଷିପ୍ତ ପୁନରୀକ୍ଷଣ (SIR) ପ୍ରକ୍ରିୟା ଶେଷ ହେବା ପରେ ରାଜ୍ୟରେ ନୂତନ ଭୋଟର ତାଲିକା ପ୍ରସ୍ତୁତ କରାଯିବ। ଏ ନେଇ ସୋମବାର ଅନୁଷ୍ଠିତ ବୈଠକ ପରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ ସୂଚନା ଦେଇଛନ୍ତି।
ସଚିବଙ୍କ କହିବା ଅନୁଯାୟୀ, ଅକ୍ଟୋବର ୨୬ରୁ ନଭେମ୍ବର ୭ ପର୍ଯ୍ୟନ୍ତ ଘରକୁ ଘର (ଡୋର ଟୁ ଡୋର) ସର୍ଭେ କରାଯିବ। ଏହି ସର୍ଭେ ଆଧାରରେ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତ ହେବ। ଆଜିର ବୈଠକରେ ଏହି ସର୍ଭେ ସମ୍ପର୍କରେ ବିସ୍ତୃତ ନିଷ୍ପତ୍ତି ନିଆଯାଇଛି।
ଚଳିତ ମାସ ୩୧ ତାରିଖ ସୁଦ୍ଧା ସର୍ଭେ ପାଇଁ ଟିମ୍ ଗଠନ କାର୍ଯ୍ୟ ଶେଷ କରାଯିବ। ଏହି ଟିମ୍ରେ ବୁଥ୍ ଲେଭେଲ ଅଫିସର (BLO), ଅଙ୍ଗନଓ୍ବାଡି ଏବଂ ଆଶା କର୍ମୀଙ୍କୁ ସାମିଲ କରାଯିବ। ସେମାନେ ଘରକୁ ଘର ବୁଲି ଭୋଟରଙ୍କ ତଥ୍ୟ ସଂଗ୍ରହ କରିବେ।
ରାଜ୍ୟ ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି ଯେ, ଆସନ୍ତା ଫେବୃଆରୀ ୧୦ ତାରିଖ ସୁଦ୍ଧା ସମସ୍ତ ୱାର୍ଡର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ। ତେବେ ଦେଶବ୍ୟାପୀ ଜନଗଣନା ପ୍ରକ୍ରିୟାକୁ ଦୃଷ୍ଟିରେ ରଖି ପଞ୍ଚାୟତ ଓ ପୌର ନିର୍ବାଚନ ସାମାନ୍ୟ ବିଳମ୍ବ ହୋଇପାରେ ବୋଲି ସଚିବ ସୂଚନା ଦେଇଛନ୍ତି।
ଏହାଛଡ଼ା ନିର୍ବାଚନ ପ୍ରସ୍ତୁତି ସମ୍ପର୍କିତ ଅନ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ବୈଠକରେ ନିଆଯାଇଛି। ପୁରୁଣା ବାଲଟ ବକ୍ସଗୁଡ଼ିକର ମରାମତି କରାଯିବା ସହ ଆବଶ୍ୟକତା ଅନୁଯାୟୀ କିଛି ନୂଆ ବାଲଟ ବକ୍ସ ମଧ୍ୟ କ୍ରୟ କରାଯାଇଛି।
ଭୋଟର ତାଲିକାକୁ ଅଧିକ ସ୍ୱଚ୍ଛ ଓ ତ୍ରୁଟିମୁକ୍ତ କରିବା ପାଇଁ ଜଣେ ଭୋଟର ଯେପରି ଦୁଇଟି ସ୍ଥାନରେ ଭୋଟର ଭାବେ ନାମଭୁକ୍ତ ନହୋଇପାରିବେ, ସେଥିପାଇଁ ଡି-ଡୁପ୍ଲିକେସନ୍ (De-duplication) ଆପ୍ ବ୍ୟବହାର କରିବାକୁ ମଧ୍ୟ ରାଜ୍ୟ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇଛନ୍ତି। ଏହାଦ୍ୱାରା ଏକାଧିକ ସ୍ଥାନରେ ନାମ ଥିବା ଭୋଟରଙ୍କୁ ଚିହ୍ନଟ କରି ତାଲିକାକୁ ଅଧିକ ସଠିକ୍ କରାଯିବ।
ରାଜ୍ୟ ନିର୍ବାଚନ ଆୟୋଗଙ୍କ ଏହି ପଦକ୍ଷେପ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ସ୍ୱଚ୍ଛ, ନିରପେକ୍ଷ ଏବଂ ତ୍ରୁଟିମୁକ୍ତ ଭାବେ ପରିଚାଳନା କରିବାରେ ସହାୟକ ହେବ ବୋଲି ପ୍ରଶାସନିକ ମହଳରେ ମତ ପ୍ରକାଶ ପାଇଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।