11 JULY 2026

Welcome!

Unlock your personalized experience.
Sign Up

"ନିଶାମୁକ୍ତ ଓଡ଼ିଶା ଅଭିଯାନ": ୧୦୮.୯୦ମେଟ୍ରିକ ଟନରୁ ଅଧିକ ଜବତ ଗଞ୍ଜେଇ ନଷ୍ଟ କରାଗଲା

Jul 10, 2026 - 22:37
"ନିଶାମୁକ୍ତ ଓଡ଼ିଶା ଅଭିଯାନ": ୧୦୮.୯୦ମେଟ୍ରିକ ଟନରୁ ଅଧିକ ଜବତ ଗଞ୍ଜେଇ ନଷ୍ଟ କରାଗଲା

ଭୁବନେଶ୍ବର, ୧୦/୭ : ନିଶାମୁକ୍ତ ଓଡ଼ିଶା ଅଭିଯାନ ଅନ୍ତର୍ଗତରେ ଓଡ଼ିଶା ପୋଲିସ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି । ଗତ ଜୁନ୍ ୨ରୁ ଜୁଲାଇ ୭ପର୍ଯ୍ୟନ୍ତ ଚାଲିଥିବା ଜାତୀୟ ପ୍ରି-ଟ୍ରାଏଲ୍ ନିଶାଦ୍ରବ୍ୟ ବିନଷ୍ଟୀକରଣ ସ୍ପେଶାଲ ଡ୍ରାଇଭରେ ମୋଟ ୧୦୮,୯୦୪.୯ କେଜି (୧୦୮.୯୦ ମେଟ୍ରିକ ଟନ) ଜବତ ଗଞ୍ଜେଇ ନଷ୍ଟ କରାଯାଇଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ସିଆଇଡି କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (STF) ଦ୍ୱାରା ଏହି ସ୍ୱତନ୍ତ୍ର ଅଭିଯାନ ସଫଳତାର ସଫଳତାର ସହ ପରିଚାଳିତ ହେଉଛି ।

ଏହି ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ସମୟରେ ବିଭିନ୍ନ ପୋଲିସ ଜିଲ୍ଲା ଏବଂ ୟୁନିଟ୍ ଗୁଡ଼ିକ ଦ୍ୱାରା ୧୦.୦୭.୨୦୨୬ସୁଦ୍ଧା ମୋଟ ୭୮,୬୦୦.୩୮୩କେଜି ଜବତ ଗଞ୍ଜେଇ ନଷ୍ଟ ପାଇଁ ଚିହ୍ନଟ କରାଯାଇଥିଲା। ଓଡ଼ିଶା ପୋଲିସ ମୋଟ ୧୦୮,୯୦୪.୯କେଜି ଗଞ୍ଜେଇ ନଷ୍ଟ କରିଛି, ଯାହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୫୪୪.୫୨କୋଟି ଟଙ୍କା ହେବ। ଏହି ଉଲ୍ଲେଖନୀୟ ସଫଳତା NDPS ଆକ୍ଟ ଅନୁଯାୟୀ ବହୁ ଦିନରୁ ପଡ଼ି ରହିଥିବା ମାମଲା ଗୁଡ଼ିକର ସମ୍ପତ୍ତି ବିନଷ୍ଟୀକରଣକୁ ତ୍ୱରାନ୍ୱିତ କରିବା ପାଇଁ ପୋଲିସ ଜିଲ୍ଲା ଓ ୟୁନିଟ୍ ଗୁଡ଼ିକର ସକ୍ରିୟ ପ୍ରୟାସକୁ ଦର୍ଶାଉଛି । ଏହି ଅଭିଯାନରେ ଅଂଶଗ୍ରହଣ କରିଥିବା ସମସ୍ତ ଜିଲ୍ଲା ମଧ୍ୟରେ ବୌଦ୍ଧ ପୋଲିସ ସର୍ବାଧିକ ୩୭,୪୮୪.୮୮୫କେଜି ଗଞ୍ଜେଇ ନଷ୍ଟ କରି ପ୍ରଥମ ସ୍ଥାନରେ ରହିଛି । ଏହା ପଛକୁ କନ୍ଧମାଳ ପୋଲିସ (୩୪,୨୪୫.୪୩୦ କେଜି), ମାଲକାନଗିରି ପୋଲିସ (୮,୯୬୯.୯୪୦ କେଜି), ଗଜପତି ପୋଲିସ (୬,୬୭୧ କେଜି), କୋରାପୁଟ ପୋଲିସ (୬,୧୫୫.୭୭୩ କେଜି) ଏବଂ ରାୟଗଡ଼ ପୋଲିସ (୫,୭୯୬.୭୦ କେଜି) ଗଞ୍ଜେଇ ନଷ୍ଟ କରିଛନ୍ତି।

ଏହି ସ୍ୱତନ୍ତ୍ର ଅଭିଯାନରେ ଅଂଶଗ୍ରହଣ କରିଥିବା ପୋଲିସ ଜିଲ୍ଲା ଏବଂ ୟୁନିଟ୍ ଗୁଡ଼ିକ ହେଲେ ବୌଦ୍ଧ, କନ୍ଧମାଳ, ମାଲକାନଗିରି, ଗଜପତି, ରାୟଗଡ଼, କୋରାପୁଟ, ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ଅନୁଗୋଳ, ମୟୂରଭଞ୍ଜ, ନବରଙ୍ଗପୁର, ଦେବଗଡ଼, ସୁନ୍ଦରଗଡ଼, ଖୋର୍ଦ୍ଧା, ବାଲେଶ୍ୱର, ସମ୍ବଲପୁର, ରାଉରକେଲା ପୋଲିସ ଜିଲ୍ଲା, କେନ୍ଦୁଝର, ଗଞ୍ଜାମ, ସ୍ପେଶାଲ ଟାସ୍କ ଫୋର୍ସ (STF) ଓଡ଼ିଶା, ଏସଆରପି (SRP) ରାଉରକେଲା ଏବଂ ଏସଆରପି (SRP) କଟକ। ସେମାନଙ୍କର ମିଳିତ ପ୍ରୟାସ ଯୋଗୁଁ ଓଡ଼ିଶା ପୋଲିସ ନିଜର ମୂଳ ଲକ୍ଷ୍ୟଠାରୁ ବହୁ ଅଧିକ ପରିମାଣର ନିଶାଦ୍ରବ୍ୟ ନଷ୍ଟ କରିବାରେ ସଫଳ ହୋଇଛି । ଏହି ଅଭିଯାନ ସମୟରେ ଓଡ଼ିଶା ପୋଲିସ ମୋଟ ୧୨କେଜି ୩୯୮.୮୫ଗ୍ରାମ ବ୍ରାଉନ ସୁଗାର ନଷ୍ଟ କରିଛି, ଯାହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୨୪.୮୦କୋଟି ଟଙ୍କା ଏବଂ ଏହା ସହିତ ୩,୬୩୧ ବୋତଲ କଫ ସିରପ ମଧ୍ୟ ନଷ୍ଟ କରାଯାଇଛି । ବାଲେଶ୍ୱର ପୋଲିସ ୧୧ କେଜି ୨୯୩ ଗ୍ରାମ, ସ୍ପେଶାଲ ଟାସ୍କ ଫୋର୍ସ (STF) ଓଡ଼ିଶା ୧ କେଜି ୯୦ ଗ୍ରାମ ଏବଂ କେନ୍ଦୁଝର ପୋଲିସ ୧୫.୮୫ ଗ୍ରାମ ନଷ୍ଟ କରିଛନ୍ତି । ବରଗଡ଼ ପୋଲିସ ୩,୬୩୧ ବୋତଲ କଫ ସିରପ ନଷ୍ଟ କରିଛି ।

ଉଲ୍ଲେଖଯୋଗ୍ୟ ଯେ, ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’ ଅନ୍ତର୍ଗତ ୧ ଜୁଲାଇ ୨୦୨୬ତାରିଖରେ ରାଜ୍ୟବ୍ୟାପୀ ନିଶାବିରୋଧୀ ଶପଥ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ୨୫,୦୦୦ରୁ ଅଧିକ ନାଗରିକ ନିଶାମୁକ୍ତ ରହିବା ଓ ମାଦକଦ୍ରବ୍ୟର ଅପବ୍ୟବହାର ଏବଂ ବେଆଇନ କାରବାର ବିରୋଧରେ ସକ୍ରିୟ ସହଯୋଗ କରିବା ପାଇଁ ଶପଥ ଗ୍ରହଣ କରିଥିଲେ । ଏହି ବ୍ୟାପକ ଜନ ସହଭାଗିତା ଏକ ନିଶାମୁକ୍ତ ଓଡ଼ିଶା ଗଠନ ପ୍ରତି ସାଧାରଣ ଲୋକଙ୍କ ଦୃଢ଼ ସଙ୍କଳ୍ପକୁ ପ୍ରତିଫଳିତ କରୁଛି ।

ରାଜ୍ୟରେ ବେଆଇନ ମାଦକ ଦ୍ରବ୍ୟ କାରବାର ଏବଂ ଚୋରା ଚାଲାଣ ବିରୋଧୀ ଲଢ଼େଇକୁ ଆହୁରି ତୀବ୍ର କରିବା ପାଇଁ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ବିଶେଷ ପ୍ରାଥମିକତା ଦେଇଛନ୍ତି । “ବେଆଇନ ନିଶାଦ୍ରବ୍ୟ କାରବାର, ଚୋରା ଚାଲାଣ ଏବଂ ନିଶା ମାଫିଆଙ୍କ ବିରୋଧରେ ଆମର ଏହି ଅଭିଯାନ ଆଗାମୀ ଦିନରେ ଆହୁରି ବ୍ୟାପକ ଓ କଠୋର ହେବ । ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ ଓଡ଼ିଶା ପୋଲିସ ସର୍ବଦା ‘ଶୂନ୍ୟ ସହନଶୀଳତା’ ନୀତି ବଜାୟ ରଖିବ । ସମନ୍ୱିତ ପ୍ରବର୍ତ୍ତନ, ଆଧୁନିକ ଜ୍ଞାନକୌଶଳର ବ୍ୟବହାର, ଜନସାଧାରଣଙ୍କ ସକ୍ରିୟ ସହଯୋଗ ଏବଂ ଦୃଢ଼ ସଂକଳ୍ପ ବଳରେ ଏକ ନିଶାମୁକ୍ତ, ସୁରକ୍ଷିତ ଓ ସଶକ୍ତ ଓଡ଼ିଶା ଗଠନ ପାଇଁ ଆମେ ସଂକଳ୍ପବଦ୍ଧ।” ଓଡ଼ିଶା ପୋଲିସ ମାଦକଦ୍ରବ୍ୟ କାରବାରକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବା ସହିତ ଜନ ସାଧାରଣଙ୍କ ସହଯୋଗରେ ‘ନିଶାମୁକ୍ତ ଓଡ଼ିଶା’ ଗଠନ ଲକ୍ଷ୍ୟରେ ଓଡ଼ିଶା ପୋଲିସ ନିରନ୍ତର କାର୍ଯ୍ୟ କରିବ ବୋଲି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।