ନିଟ୍ ପ୍ରବେଶିକା ପରୀକ୍ଷାରେ ସ୍ବରୂପା ପ୍ରିୟଦର୍ଶିନୀଙ୍କ ବଡ଼ ସଫଳତା: ୧୫ରୁ ୧୬ ଘଣ୍ଟା ପଢି…
ଅମରପାଲି, ୧୮।୭ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ନିକଟସ୍ଥ ନୂଆଁପଡ଼ା ଗ୍ରାମର ସ୍ବରୂପା ପ୍ରିୟଦର୍ଶିନୀ ମିଶ୍ର ଚଳିତ ବର୍ଷର ନିଟ୍ ପ୍ରବେଶିକା ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରି ଅଞ୍ଚଳ ପାଇଁ ଗର୍ବର ବିଷୟ ପାଲଟିଛନ୍ତି। ସେ ସମୁଦାୟ ୭୨୦ ନମ୍ବରରୁ ୫୮୮ ନମ୍ବର ରଖି ସର୍ବଭାରତୀୟ ସ୍ତରରେ ୧୪,୩୬୨ ରାଙ୍କ ହାସଲ କରି ଏମ୍ବିବିଏସ ପଢ଼ିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସ୍ବରୂପା ପ୍ରିୟଦର୍ଶିନୀଙ୍କ ପିତା ପ୍ରକାଶ ମିଶ୍ର ଜଣେ ଆଇନଜୀବୀ ହୋଇଥିବାବେଳେ ମାତା ବିଶ୍ୱ ରଞ୍ଜିତା ମହାପାତ୍ର ଜଣେ ଅଙ୍ଗନୱାଡ଼ି କର୍ମୀ। ନିଟ୍ ସହିତ ସେ ଚଳିତ ବର୍ଷ ନାଇଜର ପ୍ରବେଶିକା ପରୀକ୍ଷାରେ ୧୧୫.୫ ନମ୍ବର ରଖି ୩୧୨ ରାଙ୍କ ହାସଲ କରି ନାଇଜର, ଭୁବନେଶ୍ୱରରେ ଅଧ୍ୟୟନ ପାଇଁ ମନୋନୀତ ହୋଇଥିଲେ। ସେହିପରି ଜେଇଇ ମେନ୍ ପରୀକ୍ଷାରେ ୩୫,୪୯୯ ରାଙ୍କ ହାସଲ କରି ଏନ୍ଆଇଟି ରାଉରକେଲାର କେମିକାଲ ଇଞ୍ଜିନିୟରିଂରେ ନାମ ଲେଖାଇବାକୁ ଯୋଗ୍ୟତା ଅର୍ଜନ କରିଥିଲେ। ଏହାଛଡ଼ା ୨୦୨୫ର ଓୟୁଏଟି ପ୍ରବେଶିକା ପରୀକ୍ଷାରେ ସମୁଦାୟ ୨୦୦ରୁ ୧୮୫ ନମ୍ବର ରଖି ମଧ୍ୟ କୃତକାର୍ଯ୍ୟ ହୋଇଥିଲେ।
ସେ ସୁବଳୟା ଶିଶୁ ମନ୍ଦିରରୁ ପ୍ରାଥମିକ ଶିକ୍ଷା ସମାପ୍ତ କରିବା ପରେ ବୀରମହାରାଜପୁର ରଥପୁର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରୁ ମାଟ୍ରିକ୍ ପାସ୍ କରିଥିଲେ। ପରେ ଭୁବନେଶ୍ୱରର ଏକ ଘରୋଇ କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ଅଧ୍ୟୟନ କରିଥିଲେ।
ଦ୍ୱିତୀୟ ପ୍ରୟାସରେ ନିଟ୍ରେ ସଫଳତା ପାଇଥିବା ସ୍ବରୂପା ପ୍ରିୟଦର୍ଶିନୀ କହିଛନ୍ତି ଯେ, ଏହି ସଫଳତା ପାଇଁ ସେ ପ୍ରତିଦିନ ପ୍ରାୟ ୧୫ରୁ ୧୬ ଘଣ୍ଟା ପର୍ଯ୍ୟନ୍ତ ନିୟମିତ ଅଧ୍ୟୟନ କରୁଥିଲେ। ସଫଳତା ହାସଲ କରିବା ପାଇଁ କଠୋର ପରିଶ୍ରମ, ଆତ୍ମବିଶ୍ୱାସ ଓ ଶୃଙ୍ଖଳିତ ଜୀବନଶୈଳୀ ଅପରିହାର୍ଯ୍ୟ ବୋଲି ସେ ମତ ପ୍ରକାଶ କରିଛନ୍ତି। ନିଜର ଏହି ସଫଳତାର ଶ୍ରେୟ ସେ ମାତା-ପିତା, ଶିକ୍ଷକ ଓ ସାଙ୍ଗସାଥୀଙ୍କୁ ଦେଇଛନ୍ତି। ସ୍ବରୂପା ପ୍ରିୟଦର୍ଶିନୀଙ୍କ ଏହି ସଫଳତା ପାଇଁ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିବାବେଳେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି।
Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।