Aam Bus: ‘ଆମ ବସ୍’ ଦେଖିଲେ ଡର ଲାଗୁଛି: ୨ ବର୍ଷରେ ୬ ଶହ ଦୁର୍ଘଟଣା, ନେଲାଣି ୨୧ ମୁଣ୍ଡ
"ଭୁବନେଶ୍ବର: ରାଜ୍ୟବାସୀଙ୍କ ସୁବିଧା ପାଇଁ ରାଜ୍ୟ ସରକାର "ଆମ ବସ୍" ସେବା ଆରମ୍ଭ କଲେ।
କିନ୍ତୁ ଏହି ସେବା ସରକାରଙ୍କ ପାଇଁ ବୁମେରାଂ ହେଲାଣି।
ପ୍ରତିଦିନ କେଉଁଠି ନା କେଉଁଠି "ଆମ ବସ୍" ଦୁର୍ଘଟଣା ସାମ୍ନାକୁ ଆସୁଛି।
କେତେବେଳେ ଲୋକଙ୍କ ମୁଣ୍ଡ ଗଡ଼ୁଛି ତ କେତେବେଳେ ଏହା ଲୋକଙ୍କୁ ପଙ୍ଗୁ କରିଦେଉଛି।
ସ୍ଥିତି ଏପରି ହେଲାଣି ଯେ ଲୋକେ "ଆମ ବସ୍" ଦେଖିଲେ ଡରୁଛନ୍ତି। "ଆମ ବସ୍" କଥା ଉଠିଲେ ବିଗୁଡ଼ୁଛନ୍ତି।
ସରକାରୀ ତଥ୍ୟ ବି କହୁଛି, ଘରୋଇ ବସ୍ ତୁଳନାରେ "ଆମ ବସ୍" ଦୁର୍ଘଟଣା ବହୁ ଅଧିକ।
ଗତ ୨ ବର୍ଷ ଭିତରେ "ଆମ ବସ୍" ୬ଶହରୁ ଅଧିକ ଦୁର୍ଘଟଣା ଘଟାଇଛି।
ଯେଉଁଥିରୁ କେବଳ ଭୁବନେଶ୍ବରରେ ୪୪୧ଟି ଦୁର୍ଘଟଣା ଘଟିଛି।
ଏହି ଦୁର୍ଘଟଣା ୨୧ଜଣଙ୍କ ପ୍ରାଣ ନେଇଛି।
ଅନେକ ଗୁରୁତର ହୋଇଛନ୍ତି ଓ ବିଭିନ୍ନ ଅଙ୍ଗ ହରାଇଛନ୍ତି।
ତଥାପି "ଆମ ବସ୍" ଦୁର୍ଘଟଣା ସଂଖ୍ୟା ଦିନକୁ ଦିନ ବଢ଼ିଚାଲିବା ଚିନ୍ତାର କାରଣ ପାଲଟିଛି।
ବାରମ୍ବାର ଅନଭିଜ୍ଞ ଚାଳକଙ୍କ କାରଣରୁ ଦୁର୍ଘଟଣା ସଂଖ୍ୟା ବଢ଼ିଚାଲିଛି ବୋଲି ଅଭିଯୋଗ ହୋଇଆସୁଛି।
ଅତ୍ୟାଧୁନିକ ବୈଷୟିକ ଜ୍ଞାନସଂପନ୍ନ ସୁପରିଚାଳନା ନେଇ ପ୍ରଶ୍ନବାଚୀ ଠିଆ ହୋଇଛି।
ସତରେ ଏହା ଅତ୍ୟାଧୁନିକ ଜ୍ଞାନସଂପନ୍ନ ନା ଡାହା ମିଛ କହି ଲୋକଙ୍କୁ ଭଣ୍ଡାଯାଉଛି, ତାହା ତଦନ୍ତସାପେକ୍ଷ ବୋଲି ମତପ୍ରକାଶ ପାଇଛି।
ରାଜ୍ୟ ସରକାର ବି ଏହାର କାରଣ ଖୋଜିବାର ସମୟ ଆସିଛି ବୋଲି ଲୋକେ ମତବ୍ୟକ୍ତ କରିଛନ୍ତି।Advertisment Education: ୩୨ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯିବ ୬୧ ସ୍ୱର୍ଣ୍ଣ ପଦକ କ୍ରୁଟ୍ "ଆମ ବସ୍" ପରିଚାଳନା ଦାୟିତ୍ବ ବୁଝୁଛି।
ଏବେ କ୍ରୁଟ୍ ପକ୍ଷରୁ ୭୬୦ଟି "ଆମ ବସ୍" ଚାଲୁଛି।
ଯେଉଁଥିରେ ୩୮୦ଟି ଡିଜେଲ ଓ ୩୮୦ଟି ଇଲେକ୍ଟ୍ରିକ୍।
ବିଭିନ୍ନ ଡିପୋରୁ ଭୁବନେଶ୍ବର, ପୁରୀ, କଟକ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର, କେନ୍ଦୁଝରରେ "ଆମ ବସ୍" ଚଳାଚଳ କରୁଛି।
କ୍ରୁଟ୍ ପକ୍ଷରୁ ମିଳିଥିବା ତଥ୍ୟ କହୁଛି, ୨୦୨୪ରୁ ୨୦୨୬ ସୁଦ୍ଧା ପଟିଆ ଡିପୋରୁ ଚଳାଚଳ କରୁଥିବା "ଆମ ବସ୍" ୨୦୬ଟି ଦୁର୍ଘଟଣା ଘଟାଇଛି।
ଏଥିରେ ୪ଜଣଙ୍କ ମୃତ୍ୟୁ ହୋଇଛି।
ପାତ୍ରପଡ଼ା ଡିପୋରୁ ଚାଲୁଥିବା ବସ୍ ସର୍ବାଧିକ ୨୧୪ଟି ଦୁର୍ଘଟଣା ଘଟାଇଛି।
ଯେଉଁଥିରେ ସର୍ବାଧିକ ୧୪ଜଣଙ୍କ ମୃତ୍ୟୁ ହୋଇଛି।
ପୋଖରୀପୁଟ ଡିପୋରୁ ଚାଲୁଥିବା "ଆମ ବସ୍" ୫ଟି ଦୁର୍ଘଟଣା ଘଟାଇଛି।
ଏଥିରେ ୨ଜଣଙ୍କ ମୃତ୍ୟୁ ହୋଇଛି।
ଗାଡ଼କଣ ଡିପୋରୁ ଚାଲୁଥିବା "ଆମ ବସ୍"ରେ ୧୬ଟି ଦୁର୍ଘଟଣା ହୋଇଛି ଓ କେହି ମୃତାହତ ହୋଇନାହାନ୍ତି।
ସମ୍ବଲପୁର ଡିପୋରୁ ଚାଲୁଥିବା "ଆମ ବସ୍" ୪୬ଟି ଦୁର୍ଘଟଣା ଘଟାଇଛି ଓ ଏଥିରେ ଜଣକର ମୃତ୍ୟୁ ହୋଇଛି।
ରାଉରକେଲା ଡିପୋରୁ ଚାଲୁଥିବା "ଆମ ବସ୍" ୧୧୨ଟି ଦୁର୍ଘଟଣା ଘଟାଇଛି ଓ ଏଥିରେ ଜଣକର ମୃତ୍ୟୁ ହୋଇଛି।
ଏହି ଦୁର୍ଘଟଣାରେ ଅନେକ ଆହତ ହୋଇଛନ୍ତି ଓ ଗୁରତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
ଅନେକ ଗୋଡ଼, ହାତ ଆଦି ବି ହରାଇଛନ୍ତି।
ରାଜ୍ୟରେ ଆମ ବସ୍ର ଏଭଳି ଭୟଙ୍କର ସ୍ଥିତି ରାଜ୍ୟ ସରକାରଙ୍କ ପାଇଁ ସତର୍କଘଣ୍ଟି ସାଜିଛି।
ମରାମତିରେ ଅଧକୋଟି ଖର୍ଚ୍ଚ ଦୁର୍ଘଟଣାଗ୍ରସ୍ତ "ଆମ ବସ୍"ର ମରାମତି ପାଇଁ ରାଜ୍ୟ ରାଜକୋଷରୁ ପାଣି ଭଳି ଟଙ୍କା ଖର୍ଚ୍ଚ କରାଯାଉଛି।
ଅଧକୋଟିରୁ ଅଧିକ ଟଙ୍କା ଏ ବାବଦରେ ଖର୍ଚ୍ଚ କରାଯାଇଛି।
କେବଳ ପଟିଆ ଓ ପାତ୍ରପଡ଼ା ଡିପୋର ଦୁର୍ଘଟଣାଗ୍ରସ୍ତ ବସ୍ ବାବଦରେ ୨ ବର୍ଷରେ ୪୪ ଲକ୍ଷ ୧୪ ହଜାର ୨ଶହ ଟଙ୍କା ମରାମତିରେ ଖର୍ଚ୍ଚ କରାଯାଇଛି।
ପାତ୍ରପଡ଼ା ଡିପୋର ଦୁର୍ଘଟଣାଗ୍ରସ୍ତ ବସ୍ ମରାମତିରେ ସର୍ବାଧିକ ୨୯ଲକ୍ଷ ୮ହଜାର ୨ଶହ ଟଙ୍କା ରାଜକୋଷରୁ ଖର୍ଚ୍ଚ କରାଯାଇଛି।
ଏହା ପଛକୁ ରହିଛି ପଟିଆ ଡିପୋ।
ଏହା ଅଧୀନ ଦୁର୍ଘଟଣାଗ୍ରସ୍ତ ଆମ ବସ୍ ବାବଦରେ ୧୫ଲକ୍ଷ ୪ହଜାର ୫ଶହ ଟଙ୍କା ଖର୍ଚ୍ଚ କରାଯାଇଛି।
Odisha: ନିଟ୍ ୟୁଜିରେ ଆଲେନ୍ ଓଡ଼ିଶାର ସଫଳତା ୨୨୦ରୁ ଅଧିକ ଦୁର୍ଘଟଣାରେ ଚାଳକଙ୍କ ତ୍ରୁଟି "ଆମ ବସ୍" ଦୁର୍ଘଟଣାରେ ୨୨୦ରୁ ଅଧିକ ଚାଳକଙ୍କୁ ଦୋଷୀ ସାବ୍ୟସ୍ତ କରିଛି କ୍ରୁଟ୍।
ଏମାନଙ୍କ ତ୍ରୁଟି କାରଣରୁ ବସ୍ ଦୁର୍ଘଟଣାଗ୍ରସ୍ତ ହେବା ସହ ଲୋକଙ୍କ ମୁଣ୍ଡ ନେଇଛି ଓ ଅନେକଙ୍କୁ ପଙ୍ଗୁ କରିଛି।
ପଟିଆ ଡିପୋର ସର୍ବାଧିକ ୧୫୨ଜଣ ଓ ପାତ୍ରପଡ଼ା ଡିପୋର ୬୮ଜଣ ଚାଳକଙ୍କ ତ୍ରୁଟି ଧରାପଡ଼ିଛି।
କ୍ରୁଟ୍ କର୍ତ୍ତୃପକ୍ଷ କହିଛନ୍ତି, ୬ଶହରୁ ଅଧିକ ଦୁର୍ଘଟଣାରେ ୧୨ଜଣ ଚାଳକଙ୍କୁ ବହିଷ୍କାର କରାଯାଇଛି।
୮୮ଜଣଙ୍କୁ ନିଲମ୍ବିତ କରାଯାଇଛି।
ବାକିଙ୍କୁ କାଉନ୍ସେଲିଂ କରାଯାଇଛି।
ବହିଷ୍କାର ତଥ୍ୟ ଦେଖିଲେ, ପଟିଆ ଡିପୋର ୨ଜଣ, ପାତ୍ରପଡ଼ା ଡିପୋର ୯ଜଣ, ପୋଖରୀପୁଟ ଡିପୋର ଜଣେ ଚାଳକଙ୍କୁ ବହିଷ୍କାର କରାଯାଇଛି।
ସେହିଭଳି ପଟିଆ ଡିପୋର ୫୭ଜଣ, ପାତ୍ରପଡ଼ା ଡିପୋର ୩୦ଜଣ, ପୋଖରୀପୁଟ ଡିପୋର ଜଣେ ନିଲମ୍ବିତ ହୋଇଛନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।