ନମ୍ବରହୀନ କାର୍‌ରେ ଚାଲାଣ ହେଉଥିଲା ୪୦ କେଜି ଗଞ୍ଜେଇ: ପାଟପୁର ପୋଲିସ ହାତରେ ଧରାପଡ଼ିଲେ ୨…

Jul 22, 2026 - 22:18
ନମ୍ବରହୀନ କାର୍‌ରେ ଚାଲାଣ ହେଉଥିଲା ୪୦ କେଜି ଗଞ୍ଜେଇ: ପାଟପୁର ପୋଲିସ ହାତରେ ଧରାପଡ଼ିଲେ ୨…

ଦିଗପହଣ୍ଡି,୨୨।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ବୁଧବାର ଅପରାହ୍ନରେ ଏକ ଗଞ୍ଜେଇ ବୋଝେଇ ନମ୍ବରହୀନ ହୁଣ୍ଡାଇ କାର୍ ଜବତ କରିବା ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଜବତ ହୋଇଥିବା ଗଞ୍ଜେଇର ଓଜନ ୪୦ କେଜି ୫୦୦ ଗ୍ରାମ ବୋଲି ଜଣାପଡିଛି। ଗିରଫ ହୋଇଥିବା ଅଭିଯୁକ୍ତ ଦ୍ବୟ ହେଲେ ଗଜପତି ଜିଲା ଆର୍. ଉଦୟଗିରି ଅଞ୍ଚଳର ଜେଠାଫ ମଣ୍ଡଳ ଏବଂ ଆଶିଷ କୁମାର ଗମାଙ୍ଗ।

ପାଟପୁର ପୋଲିସ ଟିମ୍ ତପ୍ତପାଣି ଓ ପୋଡ଼ାମାରି ଇଲାକାରେ ପାଟ୍ରୋଲିଂ କରିବା ସହ ଯାଞ୍ଚ କରୁଥିବାବେଳେ ଗଜପତି ଜିଲା ମୋହନାରୁ ବ୍ରହ୍ମପୁର ଅଭିମୁଖେ ଦ୍ରୁତ ଗତିରେ ଆସୁଥିବା ଏହି ହୁଣ୍ଡାଇ କାର୍ଟିକୁ ସନ୍ଦେହ କରି ଅଟକାଇଥିଲେ। ସାକ୍ଷୀମାନଙ୍କ ଉପସ୍ଥିତିରେ ଗାଡ଼ିଟିକୁ ଖାନତଲାସୀ କଲାବେଳେ ସେଥିରେ ଗଞ୍ଜେଇ ଥିବା ଜଣାପଡିଥିଲା। ପରେ ଦିଗପହଣ୍ଡି ଅତିରିକ୍ତ ତହସିଲଦାର ତଥା ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ଆଶିଷ କୁମାର ନାୟକଙ୍କ ଉପସ୍ଥିତିରେ ଗଞ୍ଜେଇ ଜବତ କରାଯାଇ ଓଜନ କରାଯାଇଥିଲା। ଏହି ଘଟଣା ନେଇ ପାଟପୁର ଥାନା ଏସ୍.ଆଇ. ତ୍ରିନାଥ ଭୋଇଙ୍କ ଏତଲା କ୍ରମେ ଆଇ.ଆଇ.ସି. ଦୀପ୍ତି ରଞ୍ଜନ ବେହେରା ମାମଲା ନଂ. ୨୧୦/୨୬ ଅନୁଯାୟୀ ମକଦ୍ଦମା ରୁଜୁ କରିଛନ୍ତି ଏବଂ ଗୁରୁବାର ଉଭୟ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜିଲ୍ଲା ଜଜ୍ କୋର୍ଟକୁ ଚାଲାଣ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।