ଦିଲ୍ଲୀ ପୁଲିସ କର୍ମଚାରୀଙ୍କ ପରିବାର ସଦସ୍ୟଙ୍କ ସାମ୍ବାଦିକ ସମ୍ମିଳନୀ

Jul 31, 2026 - 13:19
ଦିଲ୍ଲୀ ପୁଲିସ କର୍ମଚାରୀଙ୍କ ପରିବାର ସଦସ୍ୟଙ୍କ ସାମ୍ବାଦିକ ସମ୍ମିଳନୀ

ନୂଆଦିଲ୍ଲୀ: ଦିଲ୍ଲୀରେ ନିକଟରେ ହୋଇଥିବା ଛାତ୍ର ଆନ୍ଦୋଳନ ସମୟରେ ଆହତ ଦିଲ୍ଲୀ ପୁଲିସ କର୍ମଚାରୀଙ୍କ ପରିବାର ସଦସ୍ୟମାନେ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ପୁଲିସ କର୍ମଚାରୀଙ୍କ ପରିବାର ସଦସ୍ୟ ଦାବି କରିଛନ୍ତି ଯେ ସେମାନେ ଲଗାତାର ହିଂସାର ଶିକାର ହୋଇଥିଲେ, କିନ୍ତୁ ସେମାନଙ୍କ ଯନ୍ତ୍ରଣା ଏବଂ ଆହତ ଘଟଣା ପ୍ରତି ପର୍ଯ୍ୟାପ୍ତ ଜନଧ୍ୟାନ ଦିଆଯାଇନଥିଲା। ପରିବାର ସଦସ୍ୟମାନେ ସାମ୍ବାଦିକମାନଙ୍କୁ କିଛି ଭିଡିଓ ଦେଖାଇ ଅଭିଯୋଗ କରିଥିଲେ ଯେ, ଆନ୍ଦୋଳନ ମଧ୍ୟରେ ଅସାମାଜିକ ବ୍ୟକ୍ତି ପ୍ରବେଶ କରିଥିଲେ ଏବଂ ପୁଲିସ ଉପରେ ଆକ୍ରମଣ କରିଥିଲେ। ସେମାନଙ୍କ କହିବା ଅନୁସାରେ, ଅନେକ ପୁଲିସ କର୍ମଚାରୀ ଗୁରୁତର ଆହତ ହୋଇଥିଲେ ଏବଂ ଅନେକେ ଏବେ ମଧ୍ୟ ଚିକିତ୍ସାଧୀନ ଅଛନ୍ତି। ସେମାନେ ଆହତ ପୁଲିସ କର୍ମଚାରୀଙ୍କ ପାଇଁ ମଧ୍ୟ ନ୍ୟାୟ ଦାବି କରିଥିଲେ। ପରିବାରଗୁଡ଼ିକର କହିବା ଅନୁସାରେ, ଛାତ୍ରମାନଙ୍କ ବିରୋଧରେ ପୁଲିସର ଅତ୍ୟଧିକ ବଳପ୍ରୟୋଗ ନେଇ ଉଠିଥିବା ଅଭିଯୋଗ ଯୋଗୁ ପୁଲିସ ପରିବାରମାନଙ୍କ ଯନ୍ତ୍ରଣା ଆଡ଼ରେ ରହିଯାଇଛି। ସେମାନେ ସାଧାରଣ ଲୋକଙ୍କୁ ଆହ୍ୱାନ କରିଥିଲେ ଯେ, କକ୍ରୋଚ ଜନତା ପାର୍ଟି ନେତୃତ୍ୱରେ ହୋଇଥିବା ଏହି ଆନ୍ଦୋଳନ ସମୟରେ ପୁଲିସର କାର୍ଯ୍ୟକଳାପକୁ ନେଇ ପୁଲିସ କର୍ମଚାରୀଙ୍କୁ ଅପମାନ କରିବା ବନ୍ଦ କରନ୍ତୁ। ଆନ୍ଦୋଳନ ସମୟରେ ଆହତ ହୋଇଥିବା ଜଣେ ଦିଲ୍ଲୀ ପୁଲିସ ସବ୍-ଇନ୍ସପେକ୍ଟରଙ୍କ ଝିଅ ଦାବି କରିଥିଲେ ଯେ, ତାଙ୍କ ବାପା ଭିଡ଼ ହିଂସାର ଶିକାର ହୋଇଥିଲେ। ଏହି ଆକ୍ରମଣରେ ସେ ଅଚେତ ହୋଇପଡ଼ିଥିଲେ ଏବଂ ସମଗ୍ର ପରିବାର ଗଭୀର ମାନସିକ ଆଘାତ ପାଇଥିଲା। ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଏହି ଛାତ୍ରୀ କହିଥିଲେ ଯେ, ତାଙ୍କ ବାପା ବ୍ୟାରିକେଡ୍‌ ନିକଟରେ ମୋର୍ଚ୍ଚାରେ ନିୟୋଜିତ ଥିଲେ ଏବଂ ପରିସ୍ଥିତିକୁ ନିୟନ୍ତ୍ରଣ କରୁଥିଲେ। ସେ କହିଥିଲେ, ରାତିରେ ସହକର୍ମୀମାନେ ଯେତେବେଳେ ତାଙ୍କ ବାପାଙ୍କୁ ଘରକୁ ଆଣିଥିଲେ, ସେତେବେଳେ ତାଙ୍କ ୟୁନିଫର୍ମ ରକ୍ତରେ ସମ୍ପୂର୍ଣ୍ଣ ଭିଜିଯାଇଥିଲା। ସେ କହିଥିଲେ ,ମୋ ବାପା ପ୍ରତିଦିନ ଘରକୁ ଫେରି କହୁଥିଲେ ଯେ, ଏହା ଆଉ କେବଳ ଛାତ୍ର ଆନ୍ଦୋଳନ ଭଳି ଲାଗୁନାହିଁ। ଏଥିରେ ଅନେକ ଅସାମାଜିକ ଯୋଗ ଦେଇଛନ୍ତି। ଜୁଲାଇ ୨୫ର ଘଟଣା ବର୍ଣ୍ଣନା କରି ସେ କହିଛନ୍ତି, ‘ ମୋ ବାପାଙ୍କୁ ଜନ୍ତର ମନ୍ତର ନିକଟରେ ଏକ ଉଚ୍ଛୃଙ୍ଖଳ ଭିଡ଼ ଟାଣିନେଇ ନିସ୍ତୁକ ମାଡ଼ ମାରିଥିଲେ। ପ୍ରାୟ ୨ଟା ସମୟରେ ଏହା ଘଟିଥିଲା। ସେ ପ୍ରାୟ ଚାରି ଘଣ୍ଟା ଧରି ଆରଏମଏଲ ହସ୍ପିଟାଲରେ ଅଚେତ ଅବସ୍ଥାରେ ଥିଲେ। ରାତି ପ୍ରାୟ ୧୦ଟାରେ ସହକର୍ମୀମାନେ ତାଙ୍କୁ ଘରକୁ ଆଣିଥିଲେ। ତାଙ୍କ ୟୁନିଫର୍ମ ରକ୍ତରେ ସମ୍ପୂର୍ଣ୍ଣ ଭିଜିଯାଇଥିଲା। ସେହି ଦୃଶ୍ୟ ଆମ ପାଇଁ ଅତ୍ୟନ୍ତ କଷ୍ଟଦାୟକ ଥିଲା ବୋଲି ସେ କହିଛନ୍ତି।

ସୋସିଆଲ ମିଡିଆରେ ନିଜ ବାପାଙ୍କୁ ଅପରାଧୀ ଭାବେ ଦେଖାଯାଉଥିବା ଦେଖି ସେ ଦୁଃଖ ପ୍ରକାଶ କରି କହିଥିଲେ, ଯେଉଁମାନେ ତାଙ୍କୁ ଆକ୍ରମଣ କରିଥିଲେ, ସେମାନେ ସୁପ୍ରିମକୋର୍ଟକୁ ଯାଇଛନ୍ତି ବୋଲି ଜାଣିଲି। ଆମର ମଧ୍ୟ ସମାନ ଅଧିକାର ଅଛି। ଆମେ ମଧ୍ୟ ନ୍ୟାୟ ପାଇବାର ଅଧିକାରୀ। ସେ କହିଥିଲେ ଯେ, ତାଙ୍କ ବାପା ଦିଲ୍ଲୀ ପୁଲିସରେ ଯୋଗଦେବା ପୂର୍ବରୁ ମେରିନ୍ କମାଣ୍ଡୋ ଥିଲେ ଏବଂ ଏତେ ବଡ଼ ଆକ୍ରମଣ ପରେ ମଧ୍ୟ ସେ କେବେ ଛାତ୍ରମାନଙ୍କ ବିରୋଧରେ କୌଣସି ନକାରାତ୍ମକ କଥା କହିନାହାନ୍ତି। ପଥରମାଡ଼ରେ ହେଲମେଟ୍ ଭାଙ୍ଗିଯାଇଥିଲା। ଦିଲ୍ଲୀ ପୁଲିସର ଅନ୍ୟ ଜଣେ ସହକାରୀ ସବ୍-ଇନ୍ସପେକ୍ଟରଙ୍କ ପତ୍ନୀ ସୀମା କହିଥିଲେ ଯେ, ଜୁଲାଇ ୨୦ରେ CJPର ସଂସଦ ଅଭିମୁଖେ ପଦଯାତ୍ରା ସମୟରେ ତାଙ୍କ ସ୍ୱାମୀ ପଥରମାଡ଼ରେ ଆହତ ହୋଇଥିଲେ। ଆକ୍ରମଣ ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ କହିଥିଲେ, ସକାଳେ ସ୍ୱାମୀ ଫୋନ୍ କରି କହିଥିଲେ ଯେ, ଭିଡ଼ ବହୁତ ବଢ଼ିଯାଇଛି ଏବଂ ସଂସଦ ଆଡ଼କୁ ଯିବାକୁ ଚେଷ୍ଟା କରୁଛି। ପରେ ସେ ଜାଣିଥିଲେ ଯେ, ହିଂସା ସମୟରେ ତାଙ୍କ ସ୍ୱାମୀ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ ଭିଡ଼ ବହୁତ ଆକ୍ରମଣାତ୍ମକ ହୋଇଯାଇଥିଲା। ଅସାମାଜିକ ତତ୍ତ୍ୱମାନେ ଫୁଲକୁଣ୍ଡ, ଚପଲ, ଜୋତା, ପଥର ଏବଂ ଯାହା ପାଇଲେ ତାହାଦ୍ୱାରା ପୁଲିସ ଉପରେ ଆକ୍ରମଣ କରିଥିଲେ। ସେ କହିଥିଲେ, ଡ୍ୟୁଟି ସମୟରେ ତାଙ୍କୁ ଦିଆଯାଇଥିବା ହେଲମେଟ୍ ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିଲା। ପଥରଟି ଯଦି ହେଲମେଟ୍ ଭେଦ କରି ସିଧା ମୁଣ୍ଡରେ ବାଜିଥାନ୍ତା, ତେବେ ସେ ଆଜି ବଞ୍ଚିନଥାନ୍ତେ। ସେ ସଂସଦ ସଦସ୍ୟମାନଙ୍କୁ ଅନୁରୋଧ କରିଥିଲେ ଯେ, ପୁଲିସ କର୍ମଚାରୀ ଏବଂ ସେମାନଙ୍କ ପରିବାରର ଅଧିକାର ଓ କଲ୍ୟାଣ ନେଇ ମଧ୍ୟ ଆଲୋଚନା କରାଯାଉ। ବରିଷ୍ଠ ଅଧିକାରୀଙ୍କୁ ସୁରକ୍ଷା ଦେଉଥିବାବେଳେ ବାପା ଆହତ ହୋଇଥିଲେ। ଦିଲ୍ଲୀ ପୁଲିସର ଜଣେ ସହକାରୀ ସବ୍-ଇନ୍ସପେକ୍ଟରଙ୍କ ପୁଅ ଲକ୍ଷ୍ୟ ସିଂହ ମେହେତା କହିଥିଲେ ଯେ, ତାଙ୍କ ବାପା କହିଥିଲେ ଯେ, ସମାବେଶରେ କେବଳ ଛାତ୍ରମାନେ ନଥିଲେ। ପରେ ସହକର୍ମୀଙ୍କଠାରୁ ସେ ଜାଣିଥିଲେ ଯେ, ତାଙ୍କ ବାପା ହିଂସା ସମୟରେ ଆହତ ହୋଇଛନ୍ତି। ଫଟୋରେ ଦେଖିଲି ତାଙ୍କ ମୁଣ୍ଡର କେଶ କାଟିଦିଆଯାଇଛି ଏବଂ ଚାରୋଟି ସିଲାଇ ପଡ଼ିଛି। ମୁଁ ବହୁତ ଭୟଭୀତ ହୋଇପଡ଼ିଥିଲି। କିଛି ବିଶୃଙ୍ଖଳ ବ୍ୟକ୍ତି ସୁଯୋଗ ନେଇ ବିଶୃଙ୍ଖଳା ସୃଷ୍ଟି କରୁଥିଲେ ଏବଂ ପଥରମାଡ଼ ଆରମ୍ଭ କରିଥିଲେ। ସେ ବରିଷ୍ଠ ଅଧିକାରୀମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେଉଥିବା ବେଳେ ଏକ ପଥର ତାଙ୍କ ମୁଣ୍ଡରେ ବାଜିଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।