ଦିନକ ପରେ ରଥଯାତ୍ରା: ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ କାର୍ଯ୍ୟ, ଚଳଚଞ୍ଚଳ ଗଞ୍ଜାମ ସହର

Jul 14, 2026 - 20:48
ଦିନକ ପରେ ରଥଯାତ୍ରା: ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ କାର୍ଯ୍ୟ, ଚଳଚଞ୍ଚଳ ଗଞ୍ଜାମ ସହର

ଗଞ୍ଜାମ, ୧୪।୭ (ବିଦ୍ୟାଧର ସାହୁ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ରଥଯାତ୍ରା ପାଇଁ ଆଉ ମାତ୍ର ଦିନକର ସମୟ ବାକି ଅଛି। ଜୁଲାଇ ୧୬ ତାରିଖରେ ମହାପ୍ରଭୁଙ୍କ ଏହି ଘୋଷଯାତ୍ରା ଅନୁଷ୍ଠିତ ହେବାକୁ ଥିବା ବେଳେ ଶ୍ରୀକ୍ଷେତ୍ର ପୁରୀ ଭଳି ଗଞ୍ଜାମ ସହରରେ ମଧ୍ୟ ଏହାକୁ ବେଶ୍‌ ଧୂମଧାମରେ ପାଳନ କରିବା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ସହରର ବଡ଼ ବଜାରସ୍ଥିତ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ପକ୍ଷରୁ ରୀତିନୀତି ଅନୁସାରେ ଏହି ରଥଯାତ୍ରାର ଆୟୋଜନ କରାଯାଉଛି।

ଚଳିତ ବର୍ଷ ନୂଆ ରଙ୍ଗରେ ରଥ ନିର୍ମାଣ କରାଯାଉଥିବା ବେଳେ ବର୍ତ୍ତମାନ ଏହାର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଜଗନ୍ନାଥ ମନ୍ଦିର ପରିଚାଳନା ମୁଖ୍ୟ ତଥା ବିଶିଷ୍ଟ ବ୍ୟବସାୟୀ କାଙ୍ଗା ପଲାଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମୁଖ୍ୟ ଶିଳ୍ପୀ ସଞ୍ଜୟ କୁମାର ଗୌଡ଼ ରଥ ନିର୍ମାଣ କାର୍ଯ୍ୟ କରୁଛନ୍ତି। ତାଙ୍କୁ ସମାଜସେବୀ ଶଙ୍କର ପଟ୍ଟନାୟକ ସହଯୋଗ କରୁଛନ୍ତି। ବର୍ଷକର ଏହି ପ୍ରସିଦ୍ଧ ଗୁଣ୍ଡିଚା ଯାତ୍ରା ପାଇଁ ସାରା ଗଞ୍ଜାମ ସହର ଏବେ ଉତ୍ସବମୁଖର ହୋଇଉଠିଛି।

ଏହି ଆୟୋଜନକୁ ସଫଳ କରିବା ପାଇଁ ଜଗନ୍ନାଥଙ୍କ ପୂଜକ କାଳୁଚରଣ ଶତପଥୀ, ବରିଷ୍ଠ ସେବାୟତ ପ୍ରଭାକର ପାଣିଗ୍ରାହୀ, ବିଜୟ ପାଣିଗ୍ରାହୀ, ପ୍ରକାଶ ପାରିଛା, ବାଡ଼ଗ୍ରାହୀ ଦୀପକ ପଣ୍ଡା, ଯୁବ ସେବାୟତ ଅସ୍ମିତ ପଣ୍ଡା, ପପୁ ପଣ୍ଡା ଓ ରବୀନ୍ଦ୍ର ମହାପାତ୍ର ପ୍ରମୁଖ ସେବାୟତମାନେ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ନିର୍ଦ୍ଧାରିତ ସମୟରେ ରଥ ଟଣା କାର୍ଯ୍ୟ ଆରମ୍ଭ ହେବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଗଞ୍ଜାମ ଥାନା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।