ଶିକ୍ଷୟିତ୍ରୀଙ୍କ ଘରୁ କରିଥିଲେ ଚୋରି: ୩ ଗିରଫ, ଜଣେ ଫେରାର; ସୁନା, ରୁପା ଅଳଙ୍କାର ସହ…
ତୁମୁଡିବନ୍ଧ, ୧୪।୭ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ଥାନା ପୋଲିସ ଏକ ଚୋରି ମାମଲାର ପର୍ଦ୍ଦାଫାଶ କରିବାରେ ସଫଳ ହୋଇଛି। ପ୍ରାୟ ମାସେ ତଳେ ଘଟିଥିବା ଏହି ଚୋରି ଘଟଣାରେ ସଂପୃକ୍ତ ୪ ଜଣ ଚୋରଙ୍କ ମଧ୍ୟରୁ ୩ ଜଣଙ୍କୁ ସୋମବାର ଦିନ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବେନାରବାହାଲ ଗ୍ରାମର ସିତୁ ଓରଫ ଲିଚୁ ଗୌଡ଼, ମିଲନ ଗାଉଁଟିଆ ଏବଂ ଶୁଭମ ବେହେରଦଳେଇ। ଏହି ଘଟଣାରେ ଅନ୍ୟ ଜଣେ ଅଭିଯୁକ୍ତ ଏବେ ବି ଫେରାର ଅଛି।
ପୋଲିସ ସେମାନଙ୍କ ନିକଟରୁ ବିଦ୍ୟାଳୟ କାର୍ଯ୍ୟ ପାଇଁ ମିଳିଥିବା ଗୋଟିଏ ଟାବଲେଟ୍ ମୋବାଇଲ୍, ଗୋଟିଏ ସୁନା ମଙ୍ଗଳସୂତ୍ର, ଗୋଟିଏ ସୁନା ହନୁମାନ ଲକେଟ୍, ୨ ହଳ ରୁପା ପାଉଁଜି, ୨ ହଳ ରୁପା ଖଡ଼ୁ ଏବଂ ୪ ହଳ ଗୋଡ଼ ମୁଦି ଜବତ କରିଛି।
ସୂଚନା ଅନୁଯାୟୀ, ଗତ ଜୁନ୍ ୩ ତାରିଖରେ ତୁମୁଡିବନ୍ଧ ଥାନା ଅନ୍ତର୍ଗତ ଲବଣ୍ୟନଗର ଗ୍ରାମର ଶିକ୍ଷୟିତ୍ରୀ ଜନନୀ ପ୍ରଧାନଙ୍କ ଘରୁ ଚୋରି ହୋଇଥିଲା। ଏ ନେଇ ଶିକ୍ଷୟିତ୍ରୀଙ୍କ ଏତଲା କ୍ରମେ ଥାନାରେ କେସ୍ ନମ୍ବର ୭୫/୨୬ ରେ ଏକ ଚୋରି ମାମଲା ରୁଜୁ ହୋଇଥିଲା। ମାମଲାର ତଦନ୍ତ ଅଧିକାରୀ ଏଏସଆଇ ଅମ୍ବିକା ପାତ୍ର ଏହି ଘଟଣାର ଛାନଭିନ କରି ଉକ୍ତ ୩ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରିଥିଲେ।
ଅଭିଯୁକ୍ତମାନେ ନିଜର ଅପରାଧ ସ୍ୱୀକାର କରିବା ପରେ ପୋଲିସ ସେମାନଙ୍କୁ ଗିରଫ କରି ତୁମୁଡିବନ୍ଧ ଦେୱାନୀ ଓ ଫୌଜଦାରୀ ଅଦାଲତକୁ ଚାଲାଣ କରିଛି। ଏ ସଂକ୍ରାନ୍ତରେ ତୁମୁଡିବନ୍ଧ ଥାନା ଅଧିକାରୀ (ଆଇଆଇସି) ନିରଞ୍ଜନ ଦାସ ଗଣମାଧ୍ୟମକୁ ସବିଶେଷ ସୂଚନା ପ୍ରଦାନ କରିଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।