ଦିଗପହଣ୍ଡିରେ ରଥଟଣା ସମ୍ପନ୍ନ: ଶ୍ରୀ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଲେ ଶ୍ରୀମହାବାହୁ

Jul 17, 2026 - 20:03
ଦିଗପହଣ୍ଡିରେ ରଥଟଣା ସମ୍ପନ୍ନ: ଶ୍ରୀ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଲେ ଶ୍ରୀମହାବାହୁ

ଦିଗପହଣ୍ଡି, ୧୭।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଅନ୍ୟତମ ଗଡ଼ଜାତ ତଥା ତତ୍କାଳୀନ ବଡ଼ଖେମୁଣ୍ଡି ରାଜ୍ୟର ରାଜଧାନୀ ଦିଗପହଣ୍ଡିରେ ପବିତ୍ର ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଅବସରରେ ଆୟୋଜିତ ଶ୍ରୀ ଗୁଣ୍ଡିଚା ରଥଯାତ୍ରାର ରଥ ଟଣା ଶୁକ୍ରବାର ସମ୍ପନ୍ନ ହୋଇଛି। ଏହି ଅବସରରେ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ବେଳେ ଶ୍ରୀମହାବାହୁଙ୍କ ରଥ ସନ୍ଧ୍ୟାରେ ଶ୍ରୀ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଥିଲା।

ଗୁରୁବାର ପବିତ୍ର ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ସ୍ଥାନୀୟ ରାଜବାଟି ପରିସରରେ ପୂଜା ପାଉଥିବା ଶ୍ରୀବଳଦେବ, ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କର ସମସ୍ତ ପୂଜାର୍ଚ୍ଚନା ଓ ନୀତିକାନ୍ତି ସମ୍ପନ୍ନ ହୋଇଥିଲା। ଅପରାହ୍ନରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସହ ଚକ୍ରରାଜ ଶ୍ରୀ ସୁଦର୍ଶନଙ୍କୁ ଗୋଟି ପହଣ୍ଡିରେ ରଥାରୂଢ଼ କରାଯାଇଥିଲା।

ପ୍ରଚଳିତ ପରମ୍ପରା ଅନୁଯାୟୀ ରାଜ୍ୟର ଅଧିକାଂଶ ସ୍ଥାନରେ ଗୁଣ୍ଡିଚା ଯାତ୍ରା ଦିନ ଅପରାହ୍ନରେ ରଥ ଟଣା ହୋଇଥାଏ। କିନ୍ତୁ ଦିଗପହଣ୍ଡିର ନିଆରା ପରମ୍ପରା ଅନୁଯାୟୀ ଗୁଣ୍ଡିଚା ଯାତ୍ରାର ପରଦିନ ରଥ ଟଣାଯାଏ।

ଶୁକ୍ରବାର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଭୋର ପ୍ରାୟ ସାଢ଼େ ୬ଟାରେ ରଥ ଉପରେ ଶ୍ରୀଜୀଉଙ୍କ ମଙ୍ଗଳ ଆଳତି କରାଯିବା ପରେ ମଇଲମ, ତଡ଼ପଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା ଓ ମଙ୍ଗଳାର୍ପଣ ନୀତି ସମ୍ପନ୍ନ ହୋଇଥିଲା। ଏହାପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ବେଶ ପରିଧାନ କରାଯାଇ ପୂଜାର୍ଚ୍ଚନା ଓ ଭୋଗଲାଗି ନୀତି ସମ୍ପନ୍ନ କରାଯାଇଥିଲା।

ଅପରାହ୍ନରେ ରଥ ଟାଣିବା ପାଇଁ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ହଜାର ହଜାର ଭକ୍ତଙ୍କ ହରିବୋଲ ଓ ଜୟ ଜଗନ୍ନାଥ ଧ୍ୱନି ମଧ୍ୟରେ ଶ୍ରଦ୍ଧାଳୁମାନେ ରଥକୁ ଟାଣି ଶ୍ରୀ ଗୁଣ୍ଡିଚା ମନ୍ଦିର ଅଭିମୁଖେ ନେଇଥିଲେ। ସନ୍ଧ୍ୟାରେ ରଥଟି ଶ୍ରୀ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଥିଲା।

ପରେ ସାନଦାଣ୍ଡ ସାହିସ୍ଥିତ ଶ୍ରୀ ଦଧିବାମନ ଜଗନ୍ନାଥ ମନ୍ଦିର ସମ୍ମୁଖରୁ ଶ୍ରୀ ଦଧିବାମନ ଜଗନ୍ନାଥ ମହାପ୍ରଭୁଙ୍କ ସାନ ରଥକୁ ମଧ୍ୟ ଶ୍ରୀ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଟଣାଯାଇଥିଲା। ରଥଯାତ୍ରାକୁ ଶୃଙ୍ଖଳିତ ଓ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ କରିବା ପାଇଁ ଦିଗପହଣ୍ଡି ଏନଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା, କାଉନସିଲର ସୁନୀଲ ପଣ୍ଡା ଓ ଏନଏସି କାର୍ଯ୍ୟାଳୟର କର୍ମଚାରୀମାନେ ସକ୍ରିୟ ସହଯୋଗ କରିଥିଲେ। ସେହିପରି ଦିଗପହଣ୍ଡି ଥାନା ପକ୍ଷରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।