ଦିନିକିଆ ବିଶ୍ୱକପ୍ ୨୦୨୭ ଫର୍ମାଟ୍ ବଦଳାଇଲା ICC; ଜୟ ଶାହାଙ୍କ ନିଷ୍ପତ୍ତିକୁ ତୀବ୍ର ବିରୋଧ କଲେ ୪ ଦେଶର ଅଧିନାୟକ

Jul 17, 2026 - 20:42
ଦିନିକିଆ ବିଶ୍ୱକପ୍ ୨୦୨୭ ଫର୍ମାଟ୍ ବଦଳାଇଲା ICC; ଜୟ ଶାହାଙ୍କ ନିଷ୍ପତ୍ତିକୁ ତୀବ୍ର ବିରୋଧ କଲେ ୪ ଦେଶର ଅଧିନାୟକ

ନୂଆଦିଲ୍ଲୀ,୧୭।୭: ଆସନ୍ତା ବର୍ଷ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଏବଂ ନାମିବିଆରେ ଅନୁଷ୍ଠିତ ହେବାକୁ ଥିବା ଦିନିକିଆ ବିଶ୍ୱକପ୍‌ର ଫର୍ମାଟ୍‌ରେ ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ହଠାତ ବଡ଼ ପରିବର୍ତ୍ତନ କରିଛି। ଜୟ ଶାହାଙ୍କ ଅଧ୍ୟକ୍ଷତାରେ ICC ନେଇଥିବା ଏହି ନିଷ୍ପତ୍ତିକୁ ନେଇ ଏବେ କ୍ରିକେଟ ଜଗତରେ ବିବାଦ ତେଜିଛି। ବିଶେଷ କରି ଛୋଟ ଏବଂ ଆସୋସିଏଟ୍ ଦେଶଗୁଡ଼ିକ ପାଇଁ ଏହି ନୂଆ ନିୟମ ବଡ଼ ଝଟକା ସାବ୍ୟସ୍ତ ହୋଇଥିବାରୁ ନାମିବିଆ, ସ୍କଟଲ୍ୟାଣ୍ଡ, ନେଦରଲ୍ୟାଣ୍ଡ ଏବଂ ଆୟରଲ୍ୟାଣ୍ଡ ଭଳି ୪ଟି ପ୍ରମୁଖ ଦଳର ଅଧିନାୟକ ଏହା ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି।

ICCର ନୂଆ ନିୟମ ଅନୁସାରେ, ପୂର୍ବରୁ ପ୍ରସ୍ତୁତ ହୋଇଥିବା ୧୪ଟି ଦଳ ବିଶିଷ୍ଟ ଗ୍ରୁପ୍ ପର୍ଯ୍ୟାୟ ବଦଳରେ ମୁଖ୍ୟ ରାଉଣ୍ଡରେ କେବଳ ୧୨ଟି ଦଳକୁ ହିଁ ସ୍ଥାନ ମିଳିବ। ରାଙ୍କିଙ୍ଗର ଶେଷ ୩ଟି ଦଳ ମଧ୍ୟରେ ଏକ କ୍ୱାଲିଫାୟର୍ ସିରିଜ୍ ଖେଳାଯିବ ଏବଂ ସେଥିରୁ କେବଳ ଗୋଟିଏ ଦଳ ହିଁ ମୁଖ୍ୟ ଗ୍ରୁପ୍‌ ପର୍ଯ୍ୟାୟକୁ ଯିବ, ବାକି ୨ଟି ଦଳ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିବେ। ଏହି ନିଷ୍ପତ୍ତି ଯୋଗୁ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଆସୋସିଏଟ୍ ଦଳଗୁଡ଼ିକର ପୂରା ଟୁର୍ଣ୍ଣାମେଣ୍ଟ ଖେଳିବା ଆଶା ଧୂଳିସାତ ହେବାକୁ ଯାଉଛି, କାରଣ ରାଙ୍କିଙ୍ଗ ଆଧାରରେ ସେମାନଙ୍କୁ ହିଁ ଏହି ଅଗ୍ନିପରୀକ୍ଷା ଦେବାକୁ ପଡ଼ିବ।

ଏହି ନିଷ୍ପତ୍ତିକୁ ନେଇ ନେଦରଲ୍ୟାଣ୍ଡ ଅଧିନାୟକ ସ୍କଟ୍ ଏଡୱାର୍ଡସ ଆଇସିସିର କ୍ରିକେଟ ବିକାଶ ଦାବି ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ ଏହା ଦ୍ୱାରା ଛୋଟ ଦଳଗୁଡ଼ିକ ବିଶ୍ୱର ଶ୍ରେଷ୍ଠ ଦଳମାନଙ୍କ ବିପକ୍ଷରେ ଖେଳିବାର ସୁଯୋଗ ହରାଉଛନ୍ତି। ସେହିପରି ଆୟୋଜକ ଦେଶ ନାମିବିଆର ଅଧିନାୟକ ଗେରହାର୍ଡ ଇରାସମସ ଏବଂ ସ୍କଟଲ୍ୟାଣ୍ଡର ରିଚି ବେରିଙ୍ଗଟନ ମଧ୍ୟ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେମାନଙ୍କ କହିବା କଥା ଯେ ଖେଳାଳିଙ୍କ କ୍ୟାରିୟର ସହ ଜଡ଼ିତ ଏଭଳି ବଡ଼ ନିଷ୍ପତ୍ତି ନେବା ପୂର୍ବରୁ ସେମାନଙ୍କ ସହ ଆଲୋଚନା ହେବା ଉଚିତ। ଅନ୍ୟପଟେ ଆୟରଲ୍ୟାଣ୍ଡର ଅଧିନାୟକ ପଲ୍ ଷ୍ଟର୍ଲିଂ ଫିଫା ବିଶ୍ୱକପ୍‌ର ଉଦାହରଣ ଦେଇ କହିଛନ୍ତି ଯେ ଫୁଟବଲ୍ ଭଳି କ୍ରିକେଟରେ ମଧ୍ୟ ଛୋଟ ଦଳକୁ ଅଧିକ ସୁଯୋଗ ଦେଇ ଖେଳର ପରିସର ବଢ଼ାଇବା ଆବଶ୍ୟକ। ଆଇସିସିର ଏହି ପଦକ୍ଷେପ ଯୋଗୁଁ ଏବେ ବିଶ୍ୱ କ୍ରିକେଟ୍ ପ୍ରଶାସନ ତୀବ୍ର ସମାଲୋଚନାର ଶିକାର ହୋଇଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।