ଦିଗପହଣ୍ଡିରେ ନିଆରା ପରମ୍ପରା: ଆଜି ଶେଷ ହେଲା ଶ୍ରୀଜୀଉଙ୍କ ପହଣ୍ଡି, କାଲି ଟଣା ହେବ ରଥ

Jul 16, 2026 - 20:48
ଦିଗପହଣ୍ଡିରେ ନିଆରା ପରମ୍ପରା: ଆଜି ଶେଷ ହେଲା ଶ୍ରୀଜୀଉଙ୍କ ପହଣ୍ଡି, କାଲି ଟଣା ହେବ ରଥ

ଦିଗପହଣ୍ଡି, ୧୬।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଗଡ଼ଜାତ ଅଞ୍ଚଳ ଦିଗପହଣ୍ଡିରେ ପବିତ୍ର ଘୋଷଯାତ୍ରା ଅବସରରେ ଏକ ନିଆରା ପରମ୍ପରା ଦେଖିବାକୁ ମିଳିଛି। ଗୁରୁବାର ସନ୍ଧ୍ୟାରେ ଦିଗପହଣ୍ଡି ରାଜବାଟି ପରିସରରେ ପୂଜା ପାଉଥିବା ପ୍ରଭୁ ଶ୍ରୀ ବଳଦେବ, ଶ୍ରୀ ଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ପହଣ୍ଡି ବିଜେ ନୀତିକାନ୍ତି ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି। ପ୍ରଚଳିତ ପରମ୍ପରା ଅନୁଯାୟୀ, ଚତୁର୍ଦ୍ଧାମୂର୍ତ୍ତିଙ୍କ ସମେତ ଶ୍ରୀ ସୁଦର୍ଶନଙ୍କୁ ଗୋଟି ପହଣ୍ଡି କରାଯାଇ ରଥାରୂଢ଼ କରାଯାଇଥିଲା। ଏଠାକାର ପାରମ୍ପରିକ ରୀତି ଅନୁସାରେ, ଶ୍ରୀ ଗୁଣ୍ଡିଚା ଯାତ୍ରାର ଦିନକ ପରେ ଅର୍ଥାତ୍ ଶୁକ୍ରବାର ଦିନ ରଥ ଟଣାଯିବ ବୋଲି ଶ୍ରୀ ମନ୍ଦିର ପରିଚାଳନା କମିଟି ପକ୍ଷରୁ ରାଜପୁରୋହିତ ଦେବୀ ପ୍ରସାଦ ରଥ ସୂଚନା ଦେଇଛନ୍ତି।

ଗୁରୁବାର ଭୋର ପ୍ରାୟ ୬:୩୦ ମିନିଟ୍‌ରେ ମଙ୍ଗଳ ଆଳତି ସହ ଶ୍ରୀଜୀଉଙ୍କ ନୀତିକାନ୍ତି ଆରମ୍ଭ ହୋଇଥିଲା। ଏହାପରେ ମଇଲମ, ତଡ଼ପଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା ଓ ଦ୍ଵାରପାଳ ପୂଜା ଶେଷ ହୋଇଥିଲା। ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ସୁସଜ୍ଜିତ ବେଶ କରାଯାଇ ପୂଜାର୍ଚ୍ଚନା ଓ ଭୋଗଲାଗି କରାଯାଇଥିଲା।

ସକାଳେ ରଥଖଳାରେ ରଥ ପ୍ରତିଷ୍ଠା କରାଯିବା ପରେ ଅପରାହ୍ନରେ ମନ୍ଦିରରେ ମଙ୍ଗଳାର୍ପଣ ନୀତି ଶେଷ ହୋଇଥିଲା। ଏହାପରେ ଶ୍ରୀଜୀଉଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇ ସନ୍ଧ୍ୟା ପ୍ରାୟ ୬:୩୦ ମିନିଟ୍‌ରେ ଶେଷ ହୋଇଥିଲା। ସେହିପରି ଶ୍ରୀ ଦଧିବାମନ ଜଗନ୍ନାଥଙ୍କୁ ମଧ୍ୟ ସନ୍ଧ୍ୟାରେ ପହଣ୍ଡି କରାଯାଇ ରଥାରୂଢ଼ କରାଯାଇଥିଲା।

ଅନ୍ୟପକ୍ଷରେ, ଅପରାହ୍ନରେ ଦିଗପହଣ୍ଡି ଜନତା ଲେନ୍ ସ୍ଥିତ ଶ୍ରୀ ପତିତପାବନ ଜଗନ୍ନାଥଙ୍କ ନୀତିକାନ୍ତି ଓ ପୂଜାର୍ଚ୍ଚନା ପରେ ରଥଟଣା ଅନୁଷ୍ଠିତ ହୋଇଯାଇଛି। ସେହିପରି ଦିଗପହଣ୍ଡି ବ୍ଲକର ଭୀଷ୍ମଗିରି, ସିଦ୍ଧେଶ୍ୱର, ବମକେଇ, ବାସୁଦେବପୁର, ଗୋକର୍ଣ୍ଣପୁର, ଫାସିଗୁଡ଼ା, ପଦ୍ମନାଭପୁର, ଭ୍ରମରପୁର ଏବଂ ଜକମେରୀପଲ୍ଲୀ ଭଳି ବିଭିନ୍ନ ଗ୍ରାମାଞ୍ଚଳରେ ଥିବା ଜଗନ୍ନାଥ ମନ୍ଦିରଗୁଡ଼ିକରେ ଗୁରୁବାର ପବିତ୍ର ରଥଯାତ୍ରା ଅନୁଷ୍ଠିତ ହେବା ସହ ସନ୍ଧ୍ୟା ସୁଦ୍ଧା ରଥଟଣା କାର୍ଯ୍ୟ ସମ୍ପନ୍ନ ହୋଇଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।