ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ: ଓଡ଼ିଶା ଉପକୂଳ ଆଡ଼କୁ ମାଡ଼ି ଆସୁଛି, ୨୪ ଘଣ୍ଟା ମଧ୍ୟରେ…

Jul 05, 2026 - 13:26
ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ: ଓଡ଼ିଶା ଉପକୂଳ ଆଡ଼କୁ ମାଡ଼ି ଆସୁଛି, ୨୪ ଘଣ୍ଟା ମଧ୍ୟରେ…

ଭୁବନେଶ୍ୱର,୫ା୭: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଅବପାତ। ବାଲେଶ୍ୱରର ଦକ୍ଷିଣ-ଦକ୍ଷିଣପୂର୍ବ ଦିଗର ୫୦ କିମି ଦୂରରେ ଅବପାତ ହୋଇଥିବାବେଳେ ଚାନ୍ଦବାଲିର ଉତ୍ତରପୂର୍ବ ଦିଗର ୬୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ବର୍ତ୍ତମାନ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି ଅବପାତ। ଓଡ଼ିଶା ଉପକୂଳକୁ ମାଡି ଆସୁଥିବାବେଳେ ଚାନ୍ଦବାଲି-ଦିଘା ମଧ୍ୟରେ ବାଲେଶ୍ୱର ନିକଟରୁ ୨୪ ଘଣ୍ଟା ମଧ୍ୟରେ ଅତିକ୍ରମ କରିବା ସମ୍ଭାବନା ରହିଥିବା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜଣାପଡ଼ିଛି।

ଓଡ଼ିଶା ସମେତ ଗୁଜରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶକୁ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ରେଡ୍‌ ଆଲର୍ଟ ଜାରି କରାଯାଇଛି। ଏଥିସହ ଏହି ୩ଦିନ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ରବିବାର ବରଗଡ଼, ସମ୍ବଲପୁର ଏବଂ ନୂଆପଡ଼ା ଜିଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ୍‌ ଓ୍ବାର୍ନିଂ ଦିଆଯାଇଛି। ସେହିପରି ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସୁବର୍ଣ୍ଣପୁର, ବଲାଙ୍ଗୀର ଏବଂ କଳାହାଣ୍ଡି ଜିଲାକୁ ଅରେଞ୍ଜ ଓ୍ବାର୍ନିଂ ଏବଂ ବାଲେଶ୍ୱର, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ପାଣିପାଗ କେନ୍ଦ୍ରର ତଥ୍ୟ ଅନୁସାରେ, ଶନିବାର ସକାଳ ସାଢ଼େ ୮ଟାରୁ ଅପରାହ୍ନ ୫ଟା ୩୦ ମଧ୍ୟରେ କୋରାପୁଟ ଓ ବଲାଙ୍ଗୀରରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। କୋରାପୁଟରେ ୬୯.୨ ମି.ମି., ବଲାଙ୍ଗୀର ୬୭ ମି.ମି., ସୋନପୁର ୫୨ ମି.ମି, ଖୋର୍ଦ୍ଧା ୪୭ ମି.ମି., ଭୁବନେଶ୍ୱର ୪୫.୬ ମି.ମି. ଓ ଢେଙ୍କାନାଳ ୪୧ ମି.ମି. ବର୍ଷା ରେକର୍ଡ ହୋଇଛି।

Dharitri – Odisha’s No.1 Odia Daily