ଦାରିଙ୍ଗବାଡ଼ି ଲୁଟ୍ ଘଟଣାରେ ପୋଲିସର ତଦନ୍ତ ଜୋରଦାର, ପହଞ୍ଚିଲେ ବାଲିଗୁଡା ଏସଡିପିଓ

Aug 03, 2026 - 13:24
ଦାରିଙ୍ଗବାଡ଼ି ଲୁଟ୍ ଘଟଣାରେ ପୋଲିସର ତଦନ୍ତ ଜୋରଦାର, ପହଞ୍ଚିଲେ ବାଲିଗୁଡା ଏସଡିପିଓ

ଦାରିଙ୍ଗବାଡ଼ି,୩ା୮(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଦାରିଙ୍ଗବାଡି ବଜାରରେ ଲୁଗା ବ୍ୟବସାୟୀ ଅଶୋକ କୁମାର ସାହୁଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍ ଘଟଣାରେ ପୋଲିସ ଜୋରଦାର ତଦନ୍ତ ଜାରି ରଖିଛି ।

ତଦନ୍ତର ଦ୍ଵିତୀୟ ଦିନରେ ବାଲିଗୁଡା ଏସଡିପିଓ ତଥା ଆଇପିଏସ ଶୁଭମ ଭୋସଲେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି । ସେ ଲୁଟ୍ ହୋଇଥିବା ଆଲିମିରା, ଘରର ଫାଟକ ଓ କଟାଯାଇଥିବା ତାଲା ଓ ଅନ୍ୟାନ୍ୟ ତଦନ୍ତ କରିବା ସହ ଲୁଟର ଶୀକାର ହୋଇଥିବା ବ୍ୟବସାୟୀ ଅଶୋକ ସାହୁଙ୍କୁ ପଚରାଉଚରା କରିଥିଲେ । ଏଥିସହ ଘଟଣା କିଭଳି କେଉଁ ପରିସ୍ଥିତି ରେ ଘଟିଥିଲା ସେ ସମ୍ପର୍କରେ ତନ ତନ ଯାଞ୍ଚ କରିଥିଲେ । ଏଥିସହ ଏସଡିପିଓଙ୍କ ସାଥିରେ ରହିଥିବା ଦାରିଙ୍ଗବାଡି ଆଇଆଇସି ସଂଗ୍ରାମ କେଶରୀ ଜେନାଙ୍କ ସହ ଏସମ୍ପର୍କରେ ଥାନା ରେ ସମୀକ୍ଷା କରିଥିଲେ ।

ଅନ୍ୟପଟେ ପୂର୍ବରୁ ଦାରିଙ୍ଗବାଡି ଅଞ୍ଚଳରେ ହୋଇଥିବା ଲୁଟ୍ ଘଟଣାର ମଧ୍ୟ ତଦନ୍ତ କରିଥିଲେ । ସୂଚନା ଯୋଗ୍ୟ ଯେ ଶୁକ୍ରବାର ସଂନ୍ଧ୍ୟାରେ ବ୍ୟବସାୟୀ ଜଣଙ୍କ ପରିବାର ସହ ଘର ତାଲା ପକାଇ କୌଣସି କାର୍ଯ୍ୟରେ ବ୍ରହ୍ମପୁର ଯାଇଥିଲେ । ରବିବାର ସକାଳ ୧୦ ଟା ରେ ସେ ବ୍ରହ୍ମପୁରରୁ ଫେରିଲା ପରେ ଘରର ମୁଖ୍ୟ ଫାଟକର ତାଲା ଖୋଲିଥିଲେ ଓ ଘର ଭିତରକୁ ଯିବା ବେଳେ ଘରର ୨ଟି ଫାଟକର ତାଲା ଓ ଗେଡା କଟାଯାଇଥିବା ଦେଖିଥିଲେ । ପରେ ଘରେ ପଶି ଦେଖିଲେ ତାଙ୍କ ବେଡ ରୁମରେ ରହିଥିବା ଆଲିମିରା ଭାଙ୍ଗି ତା ଭିତରେ ରହିଥିବା ସମସ୍ତ ସୁନା ଗହଣା, ରୁପା ଅଳଙ୍କାର, ନଗଦ ଟଙ୍କା ଆଦି ଲୁଟ ହୋଇଥିବା ଜାଣିଥିଲେ । ଏହାପରେ ଦାରିଙ୍ଗବାଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୋଲିସ ଏକ ମାମଲା ରୁଜୁ କରି ଆଇଆଇସି ସଂଗ୍ରାମ କେଶରୀ ଜେନାଙ୍କ ନେତୃତ୍ୱରେ ତଦନ୍ତକାରୀ ଅଧିକାରୀ ସବଇନ୍ସପେକ୍ଟର ଲଷ୍ମୀ ମାଝୀ, ଏଏସଆଇ ଅର୍ଜୁନ ଶବର ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ରବିବାର ସଂନ୍ଧ୍ୟାରେ ସନ୍ଧାନୀ କୁକୁର ପହଞ୍ଚି ଦୁର୍ବୁତ୍ତଙ୍କୁ ଚି଼ହ୍ନଟ କରିବାକୁ ସନ୍ଧାନ କରିଥିଲା।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।