ଦାଦନ ଖଟି ଯାଇଥିଲେ, ଫେରିଲା ମୃତଦେହ: ତେଲେଙ୍ଗାନାରେ ବିଦ୍ୟୁତ ଆଘାତରେ ଗଜପତିର ଶ୍ରମିକଙ୍କ ମୃତ୍ୟୁ

Jul 03, 2026 - 21:58

ପାରଳାଖେମୁଣ୍ଡି,୩।୭(ଗିରିଧାରୀ ପରିଛା): ଗଜପତି ଜିଲାରେ ଦାଦନ ଦୁଃଖର କରୁଣ ଚିତ୍ର ପୁଣି ସାମ୍ନାକୁ ଆସିଛି। ସ୍ଥାନୀୟ ଅଞ୍ଚଳରେ କାମର ଅଭାବ ଯୋଗୁ ଜୀବିକା ଅନ୍ୱେଷଣରେ ବାହାର ରାଜ୍ୟକୁ ଯାଇଥିବା ଆଉ ଜଣେ ଶ୍ରମିକଙ୍କ ମୃତଦେହ ଶୁକ୍ରବାର ନିଜ ଗାଁରେ ପହଞ୍ଚିଛି। ମୃତଦେହ ପହଞ୍ଚିବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତ ଶ୍ରମିକଜଣକ ହେଲେ ଗୋଷାଣି ବ୍ଲକ ଅନ୍ତର୍ଗତ ବାଟିସିରିପୁର ଗ୍ରାମର ରାଣାସ୍ଥଳମ କୃଷ୍ଣା ରାଓ (୩୫)।

ସୂଚନାନୁସାରେ, ପରିବାରର ଆର୍ଥିକ ଅନଟନ ଯୋଗୁ କୃଷ୍ଣା ରାଓ ନିଜ ଭାଇଙ୍କ ସହ ତେଲେଙ୍ଗାନାର ମେଡାକ ଜିଲା ଅନ୍ତର୍ଗତ କୁସାଇଗୁଡା ଥାନା ଅଞ୍ଚଳର କୈଳାଶଗିରିରେ ନିର୍ମାଣ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ଗତ ବୁଧବାର ଦିନ ଏକ ଦୁଇ ମହଲା ବିଶିଷ୍ଟ ନିର୍ମାଣାଧୀନ କୋଠାର ସେଣ୍ଟରିଂ କାଠ ଖୋଲୁଥିବା ସମୟରେ ସେ ହଠାତ ସେଠାରେ ଯାଇଥିବା ହାଇଭୋଲ୍ଟେଜ୍ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ। ବିଦ୍ୟୁତ ଆଘାତ ଖାଇ ସେ କୋଠା ଉପରୁ ସିଧା ତଳକୁ ଖସି ପଡ଼ିଥିଲେ ଏବଂ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ସେହି ସମୟରେ ପାଖରେ କାମ କରୁଥିବା ତାଙ୍କ ଭାଇ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି।

ଏହି ସୂଚନା ପାଇବା ପରେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ କରାଇ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଶୁକ୍ରବାର କୃଷ୍ଣା ରାଓଙ୍କ ମୃତଦେହ ଆମ୍ବୁଲାନ୍ସ ଯୋଗେ ନିଜ ଗାଁ ବାଟିସିରିପୁରରେ ପହଞ୍ଚିବା ପରେ ଏକ ଶୋକାକୁଳ ପରିବେଶରେ ଅନ୍ତ୍ୟେଷ୍ଟିକ୍ରିୟା ସମ୍ପନ୍ନ ହୋଇଛି।

ମୃତକଙ୍କ ଭାଇ ଆର୍‌. ଶଙ୍କର ରାଓ ଓ ପରିବାର ସଦସ୍ୟମାନେ ଅଭିଯୋଗ କରିଛନ୍ତି ଯେ, ନିର୍ମାଣାଧୀନ କୋଠାରେ ଶ୍ରମିକଙ୍କ ପାଇଁ କୌଣସି ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ନ ଥିଲା। କାର୍ଯ୍ୟସ୍ଥଳରେ ସୁରକ୍ଷା ଉପକରଣର ଘୋର ଅଭାବ ଯୋଗୁଁ ହିଁ ଏଭଳି ଦୁର୍ଘଟଣା ଘଟି କୃଷ୍ଣାଙ୍କ ଜୀବନ ଚାଲିଗଲା। ପରିବାରର ରୋଜଗାରିଆ ପୁଅକୁ ହରାଇ ଏବେ ସମ୍ପୂର୍ଣ୍ଣ ପରିବାର ଭାଙ୍ଗି ପଡ଼ିଛି।

Dharitri – Odisha’s No.1 Odia Daily

The post ଦାଦନ ଖଟି ଯାଇଥିଲେ, ଫେରିଲା ମୃତଦେହ: ତେଲେଙ୍ଗାନାରେ ବିଦ୍ୟୁତ ଆଘାତରେ ଗଜପତିର ଶ୍ରମିକଙ୍କ ମୃତ୍ୟୁ appeared first on Dharitri Odia News.