ଭିବିଜୀ-ରାମଜୀ ଯୋଜନାର ଶୁଭାରମ୍ଭ: ଗ୍ରାମୀଣ ରୋଜଗାର ନୂଆ ଗ୍ୟାରେଣ୍ଟି
ଛତ୍ରପୁର,୩ା୭(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାସ୍ତରୀୟ ଜନସମ୍ମିଳନୀ ଓ ଭିବିଜୀ-ରାମଜୀ ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ ଗଞ୍ଜାମ ଜିଲା ପରିଷଦର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ ଅଧ୍ୟକ୍ଷତା କରି ଆଜି ଏକ ଖୁସିର ଦିନ ଗ୍ରାମାଞ୍ଚଳର ଭିତ୍ତିଭୂମିର ବିକାଶ ନିମନ୍ତେ ଭିବିଜୀ-ରାମଜୀ ଶୁଭ ଆରମ୍ଭ ହୋଇଯାଇଛି। ଗ୍ରାମୀଣ ରୋଜଗାର ନୂଆ ଗ୍ୟାରେଣ୍ଟି। ଏହାଦ୍ୱାରା ପ୍ରତ୍ୟେକ ଗ୍ରାମୀଣ ପରିବାର ପ୍ରତିବର୍ଷ ଅତି କମ୍ରେ ୧୨୫ ଦିନ ପାଇଁ ନିଶ୍ଚିତ କର୍ମ ନିଯୁକ୍ତି ପାଇପାରିବେ ବୋଲି ସେ କହିଥିଲେ।
ସେହିପରି ଗଞ୍ଜାମ ଜିଲା ପରିଷଦର ସିଡିଓ ସମୀର କୁମାର ଜେନା କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହିତ ସ୍ବାଗତ ଜଣାଇଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର, ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଅତିଥି ଭାବେ ଯୋଗଦେଇ ଗ୍ରାମାଞ୍ଚଳରେ ରୋଜଗାର ସୁଯୋଗ ସୃଷ୍ଟି, ଗ୍ରାମ୍ୟ ଅର୍ଥନୀତି ଓ ଜୀବନଶୈଳୀରେ ଉନ୍ନତି ସହ ମୌଳିକ ଭିତ୍ତିଭୂମିର ବିକାଶକୁ ଆହୁରି ଗତିଶୀଳ କରିବାରେ ଏହି ଯୋଜନା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ‘ବିକଶିତ ଭାରତ’ ସଂକଳ୍ପ ସାକାର କରିବା ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ସମୃଦ୍ଧ, ସଶକ୍ତ ଓ ଆତ୍ମନିର୍ଭରଶୀଳ ଓଡ଼ିଶା ଗଠନ ଦିଗରେ ଏହା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ଏହା ସହିତ ଗାଁର ବିକାଶ ହେଲେ ସହର ଏବଂ ଦେଶର ବିକାଶ ହେବ ବୋଲି ସେମାନେ କହିଥିଲେ। ଏହି ଯୋଜନା ଅଧୀନରେ ଗଞ୍ଜାମ ଜିଲାର ୮୧ଟି ପ୍ରକଳ୍ପ ରଖାଯାଇଛି। ଏହି ଅବସରରେ ସଫଳ ହିତାଧିକାରୀଙ୍କୁ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି କାର୍ଡ ପ୍ରଦାନ କରାଯାଇଥିଲା। ଏହି ଅବସରରେ ବହୁ ଜନପ୍ରତିନିଧି, ବିଭିନ୍ନ ଲାଇନ ଡିପାର୍ଟମେଣ୍ଟ ଅଧିକାରୀମାନେ ଉପସ୍ଥିତ ଥିଲେ।
Dharitri – Odisha’s No.1 Odia Daily
The post ଭିବିଜୀ-ରାମଜୀ ଯୋଜନାର ଶୁଭାରମ୍ଭ: ଗ୍ରାମୀଣ ରୋଜଗାର ନୂଆ ଗ୍ୟାରେଣ୍ଟି appeared first on Dharitri Odia News.