ଥକ୍କାପଣକୁ କରନ୍ତୁନି ଅଣଦେଖା
ବେଳେବେଳେ କିଛି ବାଟ ଚାଲିବା କିମ୍ବା ସିଡି ଚଢିବାରେ ହିଁ ଲୋକମାନେ ଥକି ଯାଇଥାଆନ୍ତି । ତେବେ ଯଦି ଏପରି ବାରମ୍ବାର ହେଉଥାଏ, ତେବେ ଏହାକୁ ସାଧାରଣ ଦୁର୍ବଳତା ଭାବି ଆଦୌ ଅଣଦେଖା କରନ୍ତୁ ନାହିଁ । କାରଣ ଏହା ପଛରେ ପୋଷକ ତତ୍ତ୍ୱର ଅଭାବ, ପର୍ଯ୍ୟାପ୍ତ ନିଦ୍ରା ନ ହେବା, ଶାରୀରିକ ଭାବେ ସକ୍ରିୟ ନ ରହିବା, ମାନସିକ ଚିନ୍ତା ଏବଂ ଶରୀରରେ ଜଳୀୟ ଅଂଶର ଅଭାବ ଭଳି ଅନେକ କାରଣ ଥାଇପାରେ । ଯାହା ଶରୀରର ଷ୍ଟାମିନା ବା ସହନଶକ୍ତିକୁ ଦୁର୍ବଳ କରିଦେଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ଲଗାତାର ବହୁ ସମୟ ପର୍ଯ୍ୟନ୍ତ କିମ୍ବା ଦ୍ରୁତ ଗତିରେ ଚାଲିଲେ, ନିୟମିତ ଚାଲିବାର ଅଭ୍ୟାସ ନଥିଲେ, କିମ୍ବା ଖରା ଓ ଗୁଳୁଗୁଳି ପାଗ ଯୋଗୁଁ କିଛିଟା ଥକ୍କାପଣ ଆସିବା ସ୍ୱାଭାବିକ । ଯଦି କେହି ଅଳ୍ପ ଦୂର ଚାଲିବା ମାତ୍ରେ ତୁରନ୍ତ ଥକି ଯାଉଛନ୍ତି, ତେବେ ତାହା ରକ୍ତହୀନତା (ଆନିମିଆ), ଭିଟାମିନର ଅଭାବ, ଥାଇରଏଡ୍, ମଧୁମେହ, ବିପି, ମେଦବହୁଳତା କିମ୍ବା ହୃଦୟ ଓ ଫୁସଫୁସ ଜନିତ ସମସ୍ୟାର ସଙ୍କେତ ହୋଇପାରେ। ଏଠାରେ ସ୍ପଷ୍ଟ କରିବା ଜରୁରୀ ଯେ କୌଣସି କାର୍ଯ୍ୟକୁ ଲଗାତାର ଭାବେ ବିନା ଥକ୍କାରେ ଦୀର୍ଘ ସମୟ କରିବାର କ୍ଷମତାକୁ ଷ୍ଟାମିନା କୁହାଯାଇଥାଏ । ସେହିଭଳି ଏକାଥରକେ ଶରୀର ଦ୍ୱାରା ବଳ ପ୍ରୟୋଗ କରିବା ବା ଓଜନ ଉଠାଇବା କ୍ଷମତାକୁ ଷ୍ଟ୍ରେନ୍ଥ କୁହାଯାଏ । ତେଣୁ ବିଶେଷଜ୍ଞଙ୍କ ମତରେ ସବୁବେଳେ ଖାଦ୍ୟପେୟରେ ଧ୍ୟାନ ଦେବା ସହିତ ଏହାର ଲକ୍ଷଣକୁ ଅଣଦେଖା କରିବା ଠିକ ନୁହେଁ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।