ତୁରନ୍ତ ହୋଇଥିଲେ ରାଜି

Jun 21, 2026 - 20:37
ତୁରନ୍ତ ହୋଇଥିଲେ ରାଜି

 

ନିର୍ଦ୍ଦେଶକ ମନୋଜ ତାପଡ଼ିଆଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଭାରତ ଭାଗ୍ୟ ବିଧାତାସିନେମା  ଦର୍ଶକଙ୍କୁ ପସନ୍ଦ ଆସୁଥିବା ଦେଖିବାକୁ ମିଳୁଛି । ଫିଲ୍ମରେ ବଲିଉଡର କୁଇନ୍ କଙ୍ଗନା ରଣାୱତ ନିଜର ଚମତ୍କାର ଅଭିନୟ ଜରିଆରେ ପୁଣି ଥରେ ଦର୍ଶକଙ୍କ ମନ ଜିଣିଛନ୍ତି। ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ସମୟରେ କାମା  ହସ୍ପିଟାଲର ନର୍ସ ଏବଂ ମେଡିକାଲ ଷ୍ଟାଫ୍ଙ୍କ ଅଦମ୍ୟ ସାହସ ଓ ନିଃସ୍ୱାର୍ଥପର ସେବାର ଅକୁହା କାହାଣୀକୁ ନେଇ ଗତିଶୀଳ ଏହି ଚଳଚ୍ଚିତ୍ରରେ କଙ୍ଗନା ଏକ ଗୁରୁତ୍ୱପୂର୍ଣ୍ଣ ଓ ପ୍ରଭାବଶାଳୀ ଭୂମିକାରେ ନଜର ଆସିଛନ୍ତି । ନିର୍ଦ୍ଦେଶକ ମନୋଜଙ୍କ ମତରେ, ଏହି ସ୍କ୍ରିପ୍ଟଟି କୌଣସି ନିର୍ଦ୍ଦିଷ୍ଟ ତାରକାଙ୍କୁ ମନରେ ରଖି ଲେଖାଯାଇ ନଥିଲା । ମାତ୍ର କାଷ୍ଟିଂ ନିର୍ଦ୍ଦେଶକ ମୁକେଶ ଛାବ୍ରାଙ୍କ ଜରିଆରେ ଯେତେବେଳେ କାହାଣୀଟି କଙ୍ଗନାଙ୍କ ପାଖକୁ ଗଲା, ସେ ଏହାର ଗଭୀରତା ଓ ମନସ୍ତାତ୍ତ୍ୱିକ ଦିଗକୁ ତୁରନ୍ତ ବୁଝିପାରି ଚଳଚ୍ଚିତ୍ର ପାଇଁ ସ୍ୱୀକୃତି ଦେଇଥିଲେ । କଙ୍ଗନାଙ୍କ ଭଳି ଜଣେ ପାୱାରହାଉସ୍ ଅଭିନେତ୍ରୀ ଏହି ପ୍ରୋଜେକ୍ଟ ସହ ଯୋଡ଼ିହେବା ପରେ ଚଳଚ୍ଚିତ୍ରର ପରିସର ଅଧିକ ବ୍ୟାପକ ହୋଇଥିଲା ।  ମାନବୀୟ ସମ୍ବେଦନଶୀଳତାକୁ ପ୍ରାଧାନ୍ୟ ଦେଇ ନିର୍ମିତ ଏହି ଚଳଚ୍ଚିତ୍ରର ସେଟ୍ରେ କଙ୍ଗନାଙ୍କ ଉପସ୍ଥିତି ଓ ରଚନାତ୍ମକ ପରାମର୍ଶ ପ୍ରତ୍ୟେକ ଦୃଶ୍ୟକୁ ଅଧିକ ଜୀବନ୍ତ କରିଛି । ଏହା ସହ ନିହତ ସାହସୀ ନର୍ସମାନଙ୍କ ଦୃଷ୍ଟିକୋଣକୁ ପରଦାରେ ଅତି ସ୍ପର୍ଶକାତର ଭାବେ ଉପସ୍ଥାପିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ।