ଏଆଇ ପ୍ରସ୍ତୁତ କଲା ଟିକା

Jun 20, 2026 - 18:42
ଏଆଇ ପ୍ରସ୍ତୁତ କଲା ଟିକା

 

ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏକ ବଡ଼ ସଫଳତା ସ୍ୱରୂପ ବ୍ରିଟେନର କେମ୍ବ୍ରିଜ ବିଶ୍ବବିଦ୍ୟାଳୟର ବୈଜ୍ଞାନିକମାନେ ପ୍ରଥମ ଥର ପାଇଁ ଏଆଇକୁ ବ୍ୟବହାର କରି  ଭ୍ୟାକ୍ସିନ୍ ପ୍ରସ୍ତୁତ କରିଛନ୍ତି । ଯାହା ଭବିଷ୍ୟତରେ କରୋନା ସମେତ ଅନେକ ମହାମାରୀରୁ ରକ୍ଷା କରିବାରେ ସହାୟକ ହେବ । ବ୍ରିଟେନ୍ର ପ୍ରସିଦ୍ଧ କେମ୍ବ୍ରିଜ୍ ୟୁନିଭର୍ସିଟିର ବୈଜ୍ଞାନିକମାନଙ୍କ ଦ୍ୱାରା କରାଯାଇଥିବା ଏହି ଗବେଷଣାରେ ଏଆଇ ମାଧ୍ୟମରେ ଭାଇରସ୍ର ଜେନେଟିକ୍ ଡାଟାକୁ ବିଶ୍ଳେଷଣ କରାଯାଇ ଏକ 'ସୁପର-ଆଣ୍ଟିଜେନ୍' ପ୍ରସ୍ତୁତ କରାଯାଇଛି । ବର୍ତ୍ତମାନ ବଜାରରେ ଥିବା ସାଧାରଣ ଟିକାଗୁଡ଼ିକ ଭାଇରସ୍ର ନୂଆ ଭେରିଏଣ୍ଟ୍ ସାମ୍ନାରେ ପ୍ରଭାବହୀନ ବା ଦୁର୍ବଳ ପ୍ରମାଣିତ ହେଉଥିବା ବେଳେ, ଏହି ନୂତନ ଟିକାଟି କ୍ରମାଗତ ଭାବେ ରୂପ ବଦଳାଉଥିବା ଭାଇରସ୍ଗୁଡ଼ିକୁ ଧ୍ୟାନରେ ରଖି ଡିଜାଇନ୍ କରାଯାଇଛି । ଏହା ଶରୀରକୁ ଏକାସାଙ୍ଗରେ ବିଭିନ୍ନ ପ୍ରକାରର ଭାଇରସ୍କୁ ଚିହ୍ନିବା ପାଇଁ ପ୍ରଶିକ୍ଷିତ କରିଥାଏ । ରିପୋର୍ଟ ଅନୁଯାୟୀ, ମଣିଷ ଉପରେ କରାଯାଇଥିବା ଏହି ଭ୍ୟାକ୍ସିନ୍ର ପ୍ରଥମ ପର୍ଯ୍ୟାୟ ଟ୍ରାୟଲ୍ରେ ୩୯ ଜଣ ଲୋକ ସାମିଲ ହୋଇଥିଲେ, ଯେଉଁଥିରେ ଏହା ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ଜଣାପଡ଼ିଛି । ଏବେ ଆଗାମୀ ପର୍ଯ୍ୟାୟରେ ୨୦୦ ଜଣ ଲୋକଙ୍କ ଉପରେ ଏହାର ପରୀକ୍ଷଣ କରାଯିବ। ଏହି ସଫଳତା ପରେ ଗବେଷକମାନେ ଏବେ ଏହି ସମାନ ଏଆଇ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଫ୍ଲୁ ଏବଂ ଇବୋଲା ଭଳି ସଂଘାତିକ ରୋଗର ଟିକା ପ୍ରସ୍ତୁତ କରିବା ଦିଗରେ ମଧ୍ୟ କାମ ଆରମ୍ଭ କରିଥିବା ସୂଚନା ରହିଛି ।