Welcome!

Unlock your personalized experience.
Sign Up

Unidentified Body: ୧୦ ବର୍ଷରେ ୩୧୪ ମୃତଦେହର ମିଳିନି ପରିଚୟ, ଶବ ଚିହ୍ନିବାରେ କଟକ ପୁଲିସ ଫେଲ୍

Jul 13, 2026 - 11:13
Unidentified Body: ୧୦ ବର୍ଷରେ ୩୧୪ ମୃତଦେହର ମିଳିନି ପରିଚୟ, ଶବ ଚିହ୍ନିବାରେ କଟକ ପୁଲିସ ଫେଲ୍

କଟକ, ୧୩/୦୭: ଫିଙ୍ଗର୍ ପ୍ରିଣ୍ଟ୍ ରିଡ୍, ଚକ୍ଷୁର ରେଟିନା ସ୍କାନ୍ ଓ ଡିଏନ୍ଏ ଟେଷ୍ଟ୍ ଭଳି ଅତ୍ୟାଧୁନିକ ବ୍ୟବସ୍ଥା ହାତ ପାଆନ୍ତାରେ । କିଛି ମିନିଟ୍‌ରେ ସାରା ରାଜ୍ୟର ଥାନା ହ୍ୱାଟ୍ସ୍ଆପ୍ ଗ୍ରୁପ୍‌ରେ ଫଟୋ ସହ ତଥ୍ୟ ପହଞ୍ଚି ଯାଉଛି । ନିଖୋଜ ବ୍ୟକ୍ତିଙ୍କ ଫଟୋକୁ ମିଳାଇ ସ୍କାନ୍ କରିବା ପାଇଁ ବ୍ୟବସ୍ଥା ବି ରହିଛି । ଏତେ ସବୁ ସୁବିଧା ସତ୍ତେ୍ୱ ଅପରିଚିତ ମୃତଦେହକୁ ପୁଲିସ ଚିହ୍ନଟ କରିପାରୁନି । ମୃତଦେହ ମିଳିଲେ ଅପମୃତ୍ୟୁ ମାମଲା ଓ ବ୍ୟବଚ୍ଛେଦ କରି ହାତ ଝାଡ଼ି ବସିଯାଉଛି । ବ୍ୟବଚ୍ଛେଦ ରିପୋର୍ଟରେ ମୃତ୍ୟୁକୁ ନେଇ ସନ୍ଦେହ ଉପୁଜିଲେ ମଧ୍ୟ ତତ୍ପରତା ଦିଶୁନାହିଁ । ଫଳସ୍ୱରୂପ କଟକରେ ଗଲା ୧୦ ବର୍ଷରେ ମିଳିଥିବା ୩୧୪ଟି ଅଜଣା ମୃତଦେହର ଏପର୍ଯ୍ୟନ୍ତ ପରିଚୟ ମିଳିପାରି ନାହିଁ । ତଦନ୍ତରେ ଏହା ପୁଲିସର ବଡ଼ ବିଫଳତା ବୋଲି କୁହାଯାଉଛି ।

୨୦୧୭ ଅଗଷ୍ଟ । ମଧୁପାଟଣା ଥାନା ଅଧୀନ ସରକାରୀ ପ୍ରେସ୍ ସ୍କୁଲ୍ କ୍ୟାମ୍ପସ୍ କଡ଼ ପରିତ୍ୟକ୍ତ ସ୍ଥାନର ଏକ ଅଖା ଭିତରୁ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହେଲା । ପରବର୍ଷ ଫେବ୍ରୁଆରୀ ୩ରେ ତାଳଦଣ୍ଡା କେନାଲ୍‌ର ଓଏମ୍ପି ନିକଟ ବ୍ରିଜ୍ ତଳୁ ଜଣେ ୪୫ ବର୍ଷୀୟ ଯୁବକଙ୍କ ମୃତଦେହ ହାତଗୋଡ଼ ବନ୍ଧା ଅବସ୍ଥାରେ ମିଳିଲା । ୨୦୧୯ ଜୁଲାଇ ତୃତୀୟ ସପ୍ତାହରେ ରାଣୀହାଟ ପୋଲ ନିକଟ ଏକ ଦୋକାନ ସାମ୍ନାରୁ ରକ୍ତାକ୍ତ ଅବସ୍ଥାରେ ଏକ ମୃତଦେହ ମିଳିଲା । ଏହି ତିନିଟି ଘଟଣା କେବଳ ଉଦାହରଣ । ଏହା ବାଦ୍ ପ୍ରତି ମାସରେ ୨ରୁ ୩ଟି ଅପରିଚିତ ମୃତଦେହ କଟକ ସହରାଞ୍ଚଳ ପୁଲିସ ଉଦ୍ଧାର କରୁଛି । ମହାନଦୀ, କାଠଯୋଡ଼ି, ତାଳଦଣ୍ଡା କେନାଲ୍, ପୁରୀ ମେନ୍ କେନାଲ୍ ଓ ସିଢ଼ୁଆ ନଦୀରୁ ଅଜଣା ମୃତଦେହ ମିଳୁଛି । ଜାତୀୟ ରାଜପଥ କଡ଼, ବସ୍‌ଷ୍ଟାଣ୍ଡ୍ ଓ ରେଳଷ୍ଟେସନ୍ ନିକଟରୁ ଅପରିଚିତଙ୍କ ମୃତଦେହ ମିଳିବା ଏକ ସାଧାରଣ ଘଟଣା ହେଲାଣି । ହେଲେ ସବୁଥର ସେହି ସମାନ କଥା । ମୃତଦେହ ବ୍ୟବଚ୍ଛେଦ ପରେ ପରିଚୟ କିଭଳି ମିଳିବ ତାକୁ ତଦନ୍ତକାରୀ ପୁଲିସ ପୂରା ଭୁଲି ଯାଉଛି । ପଚାରିଲେ ସମାନ ଉତ୍ତର, ଫଟୋ ଓ ତଥ୍ୟ ବିଭିନ୍ନ ଥାନାକୁ ଯାଇଛି । ଏଯାବତ କିଛି ସୂଚନା ଆସିନି । ବାସ୍ ମୃତଦେହ ଜବତ କରିବା ଘଟଣାକୁ ୪ ଦିନ ପୂରିବା ମାତ୍ରେ ତାହାର ସତ୍କାର କରିଦେଇ ତଦନ୍ତ ବନ୍ଦ କରି ଦିଆଯାଉଛି ।

ଅଧିକ ପଢ଼ନ୍ତୁ :-  Cuttack Robbery: କଟକ ସହରରେ ଲୁଟେରାଙ୍କ ଆତଙ୍କ, ମହିଳାଙ୍କୁ ଖଣ୍ଡାରେ ହାଣି ୩୬ ଲକ୍ଷ ଲୁଟିନେଲେ, ଟଙ୍କା ଥିବା ନେଇ କେମିତି ଜାଣିଲେ ?

ମିଳିଥିବା ତଥ୍ୟ ଅନୁସାରେ, ୨୦୧୬ ପରଠୁ କଟକ ପୁଲିସ ଉଦ୍ଧାର କରିଥିବା ୧୭୧ଟି ମୃତଦେହର ପରିଚୟ ମିଳିପାରିନି । ସେହିପରି କଟକ ଜିଆର୍ପି କଟକର ବିଭିନ୍ନ ରେଳ ଧାରଣା କଡ଼ରୁ ମିଳିଥିବା ୨ଶହରୁ ଅଧିକ ମୃତଦେହ ମଧ୍ୟରୁ ୧୪୩ଟି ମୃତଦେହର ପରିଚୟ ଖୋଜିପାଇନି । କଟକ ସହରାଞ୍ଚଳ ପୁଲିସ ଭଳି ଶବ ସତ୍କାର ପରେ ଅପମୃତ୍ୟୁ ମାମଲାକୁ ବନ୍ଦ କରି ଦେଇଛି । ଏମିତି ମୋଟ ୩୧୪ ମୃତଦେହ ଚିହ୍ନଟ ହୋଇପାରିନି । ଗତ ମାସରୁ ଏଇ ମାସ ଭିତରେ କାଠଯୋଡ଼ିରୁ ତିନି ଜଣ ମହିଳାଙ୍କ ମୃତଦେହ ଠାବ କରାଯିବା ଘଟଣାରେ ବି ସମାନ ସ୍ଥିତି । ମହିଳାଙ୍କ ପରିଚୟ ଜାଣିବା ତ ଦୂରର କଥା, ମୃତଦେହ ସେଠାକୁ କିଭଳି ଆସିଲା ତାହା ମଧ୍ୟ ପୁଲିସ ଜାଣିପାରିନି ।

ଏନେଇ ଅପରିଚିତଙ୍କ ଅନ୍ତିମ ସତ୍କାର କରୁଥିବା ଅଭିମନ୍ୟୁ ଦାସଙ୍କ କହିବା କଥା, ସୋସିଆଲ୍ ମିଡିଆ ଓ ଇଣ୍ଟର୍ନେଟ୍ ଯୁଗରେ ପରିଚୟ ଅଜଣା ରହିବା କଥା ନୁହେଁ । ପୁଲିସ ତତ୍ପରତା ଦେଖାଇ ତଦନ୍ତ କଲେ ବହୁ ଅଜଣା ବ୍ୟକ୍ତିଙ୍କ ପରିଚୟ ମିଳିପାରିବ । ହତ୍ୟା ଭଳି ସଂଗିନ ମାମଲାର କେହି ଶିକାର ହୋଇଥିଲେ ଦୋଷୀ ଦଣ୍ଡ ପାଇପାରିବେ । କଟକର ଏଡିସିପି ଅମରେନ୍ଦ୍ର ପଣ୍ଡାଙ୍କ କହିବା କଥା, ଅଜଣା ମୃତଦେହ ମିଳିଲେ ରାଜ୍ୟ ତମାମ୍ ଫଟୋ ଓ ତଥ୍ୟ ଯାଉଛି । ମାତ୍ର ଏହାକୁ ବହୁ ଥାନାରେ ହାଲୁକା ଭାବେ ନିଆଯାଉଛି । ସ୍ଥାନୀୟ ଅଞ୍ଚଳର ନିଖୋଜଙ୍କ ସହିତ ଉକ୍ତ ଫଟୋକୁ ମେଳ କରାଯାଉନି ଯେଉଁଥିପାଇଁ ପରିଚୟ ମିଳିବାରେ ଅସୁବିଧା ହେଉଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।