କର୍ଲାମୁଣ୍ତା କଅଁସିଲ ଗ୍ରାମରେ ଫେଲ୍ ମାରିଛି ବସୁଧା ଯୋଜନା, ବିଡ଼ିଓଙ୍କ ଦ୍ବାରସ୍ଥ ହେଇ ଗ୍ରାମବାସୀ କହିଲେ….

Jul 01, 2026 - 19:12
କର୍ଲାମୁଣ୍ତା କଅଁସିଲ ଗ୍ରାମରେ ଫେଲ୍ ମାରିଛି ବସୁଧା ଯୋଜନା, ବିଡ଼ିଓଙ୍କ ଦ୍ବାରସ୍ଥ ହେଇ ଗ୍ରାମବାସୀ କହିଲେ….

ରିଷିଡା,୧।୭(ସୁଶାନ୍ତ ମଲ୍ଲିକ): ବିଡ଼ିଓଙ୍କ ଦ୍ବାରସ୍ଥ ହେଲେ କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ କଅଁସିଲ ଗ୍ରାମର ଗ୍ରାମବାସୀ। ଲୋକଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇବାକୁ ସରକାରଙ୍କ ‘ବସୁଧା ଯୋଜନା’ ଏଠାରେ ନାମକୁ ମାତ୍ର ଥିବାବେଳେ,ଏହି ଯୋଜନା ଉକ୍ତ ଗ୍ରାମବାସୀଙ୍କ ପାଇଁ କାଳ ସାଜିଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଏହି ଯୋଜନା କେବଳ ଠିକାଦାର ଓ କିଛି ବିଭାଗୀୟ ବାବୁଙ୍କ ପାଇଁ ଅର୍ଣ୍ଣଭଣ୍ଡାର ପାଲଟିଥିବା ଚର୍ଚ୍ଚା ଜୋର ଧରିଛି।

ସୂଚନାଯେ, ବସୁଧା ଯୋଜନାରେ ଜଡିତ ପାଣିମୋଟର ମେସିନ ଖରାପ ହୋଇ ପଡ଼ିରହିଛି । ବସୁଧା ଯୋଜନା ପାନୀୟ ଜଳ ଯୋଗାଇ ଦେବାକୁ ସରକାର ଲକ୍ଷ ଲକ୍ଷ ଟଙ୍କା ବିନିଯୋଗରେ ବିଭିନ୍ନ ଗ୍ରାମମାନଙ୍କରେ ନିର୍ମାଣ ହୋଇଛି । ଅଥଚ କେତେକ ଗ୍ରାମରେ ଅଳ୍ପ ପାଣି ମୋଟର ଚାଲୁଛି ତ ଆଉ କେତେକ ଗ୍ରାମରେ ନିମ୍ନମାନର ଯନ୍ତ୍ରପାତି ସଂଯୋଗ ଯୋଗୁଁ ବ୍ଲକର ଅନେକ ବସୁଧା ଯୋଜନା ପାନୀୟ ଜଳ ଯୋଗାଣ କାମକୁ ଆସିପାରୁନି । ଯାହା ଫଳରେ ଅଞ୍ଚଳରେ ଅନେକ ଗାଁ ବସୁଧା ଯୋଜନା ପାନୀୟ ଜଳ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଏଭଳି ଏକ ଅଭିଯୋଗ କରି ଗଜବାହଲ ପଞ୍ଚାୟତ କଁଅସିଲ ଗ୍ରାମର ଶତାଧିକ ମହିଳାମାନେ ଆଜି କର୍ଲାମୁଣ୍ତା ଗୋଷ୍ଠୀ ଉନ୍ନୟନ ଅଧିକାରୀଣୀ ସୁଶ୍ରୀ ସୁଚରିତା ମୁଗ୍ରୀଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି। ଗୋଷ୍ଠୀ ଉନ୍ନୟନ ଅଧିକାରୀ ତାଗିଦ କରି ତୁରନ୍ତ ତିନିଦିନ ମଧ୍ୟରେ ମରାମତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କୁ । ଏପଟେ ପୋରକେଲା ପଞ୍ଚାୟତ ସିରାବାହାଲ ଗାଁରେ ଓ ରାଜପୁର ପଞ୍ଚାୟତରେ ମଧ୍ୟ ଦିର୍ଘଦିନ ଧରି ବସୁଧା ଯୋଜନାରେ ନିର୍ମିତ ପାଣି ଟାଙ୍କି ବର୍ତ୍ତମାନ ସୁଦ୍ଧା ପାନୀୟ ଜଳ ଯୋଗାଣରେ କାର୍ଯ୍ୟକ୍ଷମ ହୋଇନାହିଁ।
ଅନ୍ୟପଟେ ହାତୀଭଳି ଉଭା ହୋଇଥିବା ଓଭର ହେଡ଼ ଟାଙ୍କିକୁ ନେଇ RWSS ବିଭାଗ ବାଃ ବାଃ ନେଉଥିବାବେଳେ, ଗ୍ରାମବାସୀ କହୁଛନ୍ତି “ହାତୀ ଭଳି ଉଭା ହୋଇଥିବା ଟାଙ୍କି ଲୋକଙ୍କୁ ବୁନ୍ଦାଏ ପାଣି ଯୋଗାଇ ପାରୁନଥିବା ବସୁଧା ଯୋଜନାର ଅର୍ଥ କଣ?”
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ପ୍ରଶାସନର ତତ୍ପରତା ଅଭାବ ଓ ବିଭାଗୀୟ ଅବହେଳା ଯୋଗୁଁ ବର୍ଷ ବର୍ଷ ଧରି ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରୁନାହିଁ। ସାଧାରଣ ଜନତାଙ୍କ ଟିକସରେ ଦରମା ପାଉଥିବା କିଛି ବାବୁ ଠିକାଦାରଙ୍କ ସହ ସଲାସୁତରା କରି ନିମ୍ନମାନର କାର୍ଯ୍ୟକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ମଧ୍ୟ ହୋଇଛି। ଏହା ପଛରେ ଉଭୟଙ୍କ ମଧ୍ୟରେ ପରସ୍ପର ସହଯୋଗରେ ମାଲେମାଲ ହେବାର ଯୋଜନା ଲୁଚିଥିବା ଗ୍ରାମବାସୀଙ୍କ ସନ୍ଦେହକୁ ଆହୁରି ଗଭୀର କରିଛି।
RWSS ବିଭାଗ ନାମରେ ବାରମ୍ବାର ଅଭିଯୋଗ ଆସୁଥିଲେ ମଧ୍ୟ ପ୍ରଶାସନ ନିରବ ରହିଥିବା ଅଭିଯୋଗ ହେଉଛି।

 

Dharitri – Odisha’s No.1 Odia Daily