ଟ୍ରମ୍ପ୍‌ଙ୍କୁ ଝଟକା: ସିନେଟ୍‌ରେ ଯୁଦ୍ଧ ବିରୋଧୀ ପ୍ରସ୍ତାବ ଗୃହୀତ

Jun 25, 2026 - 08:04
ଟ୍ରମ୍ପ୍‌ଙ୍କୁ ଝଟକା: ସିନେଟ୍‌ରେ ଯୁଦ୍ଧ ବିରୋଧୀ ପ୍ରସ୍ତାବ ଗୃହୀତ

ୱାଶିଂଟନ, ୨୫ା୬: ଇରାନ୍‌ ବିରୋଧରେ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନକୁ ରୋକିବା ଏବଂ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏହି ଯୁଦ୍ଧନୀତିକୁ ବଡ଼ ବିରୋଧ କରାଯାଇ ସିନେଟ ପ୍ରଥମ ଥର ପାଇଁ ଏହି ‘ଯୁଦ୍ଧ କ୍ଷମତା ସଂକଳ୍ପ’ (ୱାର ପାୱାର୍ସ ଜିଜୋଲ୍ୟୁଶନ)କୁ ଅନୁମୋଦନ କରିଛି। ଟ୍ରମ୍ପ୍‌ ପ୍ରଶାସନ ନିଜ ସ୍ତରରେ ଆରମ୍ଭ କରିଥିବା ଏହି ସଂଘର୍ଷ ପାଇଁ ଏବେ ସଂସଦ (କଂଗ୍ରେସ) ନିକଟରୁ ପାଣ୍ଠି ମାଗୁଥିବା ବେଳେ ସାଂସଦମାନେ ଏହି ପଦକ୍ଷେପକୁ ସନ୍ଦେହଜନକ ଦୃଷ୍ଟିରେ ଦେଖୁଛନ୍ତି। ଚଳିତ ମାସ ପ୍ରାରମ୍ଭରେ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍ସ ମଧ୍ୟ ଏହି ସଂକଳ୍ପକୁ ଅନୁମୋଦନ କରିସାରିଛି। ଯଦିଓ ଏହି ସଂକଳ୍ପଟି ମୁଖ୍ୟତଃ ପ୍ରତୀକାତ୍ମକ ଏବଂ ଏହାର ସମ୍ପୂର୍ଣ୍ଣ ଆଇନଗତ ବାଧ୍ୟବାଧକତା ନାହିଁ, ତଥାପି ଏହା ଟ୍ରମ୍ପ୍‌ଙ୍କ ନିଜ ଦଳ ରିପବ୍ଲିକାନ ପାର୍ଟିର ସାଂସଦମାନଙ୍କ ମଧ୍ୟରେ ବଢୁଥିବା ଅସନ୍ତୋଷକୁ ସ୍ପଷ୍ଟ କରୁଛି।
ସିନେଟ୍‌ରେ ଭୋଟ ଗ୍ରହଣ ପରେ ଟ୍ରମ୍ପ୍‌ ନିଜ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ (ଟ୍ରୁଥ୍‌ ସୋସିଆଲ)ରେ କ୍ଷୋଭ ପ୍ରକାଶ କରି ଏହି ଭୋଟ୍‌କୁ ‘ଅସମୟୋଚିତ ଏବଂ ଅର୍ଥହୀନ’ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଏହାଦ୍ୱାରା ଇରାନ୍‌କୁ ପରୋକ୍ଷ ସହାୟତା ମିଳୁଛି। ୪ ଜଣ ରିପବ୍ଲିକାନ ସିନେଟର ସଦସ୍ୟ ଲିସା ମୁରକୋସ୍କି, ସୁସାନ କଲିନ୍ସ, ରାଣ୍ଡ ପଲ୍‌ ଏବଂ ବିଲ୍‌ କାସିଡି ଦଳୀୟ ଆଦେଶ ବିରୋଧରେ ଯାଇ ଯୁଦ୍ଧ ବିରୋଧୀ ପ୍ରସ୍ତାବ ସପକ୍ଷରେ ଭୋଟ ଦେଇଛନ୍ତି। ଟ୍ରମ୍ପ୍‌ ଏହି ୪ ସାଂସଦଙ୍କୁ ସମାଲୋଚନା କରିବା ସହ ସେମାନେ ତାଙ୍କ କାର୍ଯ୍ୟକୁ ଅଧିକ ଜଟିଳ କରିଦେଇଛନ୍ତି ବୋଲି କହିଛନ୍ତି। ଅନ୍ୟପଟେ କେଣ୍ଟୁକିର ବରିଷ୍ଠ ସିନେଟର ମିଚ୍‌ ମ୍ୟାକକୋନେଲ ଅସୁସ୍ଥତା ହେତୁ ମେଡିକାଲରେ ଭର୍ତ୍ତି ହୋଇଥିବାରୁ ଏବଂ ଅନ୍ୟ ଜଣେ ସାଂସଦ ଅନୁପସ୍ଥିତ ଥିବାରୁ ଶାସକ ଦଳ ସିନେଟ୍‌ରେ ବହୁମତ ବଜାୟ ରଖିବାରେ ବିଫଳ ହୋଇଥିଲା।
ନ୍ୟୁୟର୍କର ଡେମୋକ୍ରାଟିକ ଦଳର ନେତା ଚକ୍‌ ସୁମର କହିଛନ୍ତି ଯେ, ଆମେରିକାବାସୀ ଟ୍ରମ୍ପଙ୍କ ଐତିହାସିକ ଭୁଲ୍‌ ପାଇଁ ବଡ଼ ମୂଲ୍ୟ ଦେଇଛନ୍ତି ଏବଂ ଏହା ଆମେରିକାର ବୈଦେଶିକ ନୀତି ଇତିହାସରେ ସବୁଠାରୁ ଖରାପ ପଦକ୍ଷେପ ଭାବେ ଲିପିବଦ୍ଧ ହେବ। ଆମେରିକା ପ୍ରତିରକ୍ଷା ମନ୍ତ୍ରଣାଳୟ (ପେଣ୍ଟାଗନ) ଏହି ଯୁଦ୍ଧ ପାଇଁ ଅତିରିକ୍ତ ୮୦ ବିଲିୟନ ଡଲାର ପାଣ୍ଠି ମାଗୁଛି, ଯାହାକୁ ନେଇ ସାଧାରଣ ଆମେରିକୀୟ ନାଗରିକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। କାରଣ ବର୍ତ୍ତମାନ ଦେଶର ଜନସାଧାରଣ ବର୍ଦ୍ଧିତ ତୈଳ ଦର ଓ ମହଙ୍ଗା ମାଡ଼ରେ ଅତିଷ୍ଠ ହୋଇପଡ଼ିଛନ୍ତି। ବିଶେଷଜ୍ଞଙ୍କ ମତରେ ‘ଅପରେଶନ ଏପିକ୍‌ ଫ୍ୟୁରି’ ନାମକ ଏହି ସାମରିକ ଅଭିଯାନର ମୋଟ ଖର୍ଚ୍ଚ ପ୍ରାୟ ୧୦୦ ବିଲିୟନ ଡଲାର ଛୁଇଁଲାଣି। ଏଥିସହିତ ଇରାନ୍‌ର ପୁନର୍ନିର୍ମାଣ ପାଇଁ ଟ୍ରମ୍ପ୍‌ ପ୍ରଶାସନ ୩୦୦ ବିଲିୟନ ଡଲାରର ଏକ ପାଣ୍ଠି ଗଠନ କରିବାକୁ ନିଷ୍ପତ୍ତି ନେଇଛି, ଯାହାକୁ ଟେଡ୍‌ କ୍ରୁଜ୍‌ଙ୍କ ଭଳି ପ୍ରମୁଖ ରିପବ୍ଲିକାନ ନେତାମାନେ ମଧ୍ୟ ତୀବ୍ର ବିରୋଧ କରୁଛନ୍ତି।
ବର୍ତ୍ତମାନ ଉଭୟ ପକ୍ଷ ମଧ୍ୟରେ ଏକ ଅସ୍ଥାୟୀ ଯୁଦ୍ଧବିରତି ଲାଗି ଆଲୋଚନା ଚାଲିଥିବା ବେଳେ ପ୍ରତିରକ୍ଷା ସଚିବ ପିଟ୍‌ ହେଗସେଥ୍‌ ଅତିରିକ୍ତ ସାମରିକ ପାଣ୍ଠି ମଞ୍ଜୁର କରିବାକୁ ସଂସଦ ଉପରେ ଚାପ ପକାଉଛନ୍ତି। ଅନ୍ୟପଟେ ବିରୋଧୀ ଦଳର ନେତା ହକିମ୍‌ ଜେଫ୍ରିସ୍‌ ଏହି ଅଭିଯାନକୁ ‘ଅପରେଶନ ଏପିକ୍‌ ଫେଲିୟର’ (ଐତିହାସିକ ବିଫଳତା) ବୋଲି ଅଭିହିତ କରି ଏଥିପାଇଁ ଆଉ ଗୋଟିଏ ହେଲେ ବି ଡଲାର ଖର୍ଚ୍ଚ କରାଯିବା ଉଚିତ ନୁହେଁ ବୋଲି ଦାବି କରିଛନ୍ତି।

Odisha’s No.1 Odia Daily