ଜୁଲାଇ ୫ରେ ଓଟିଇଟି ପରୀକ୍ଷା

ଭୁବନେଶ୍ୱର : ଦୂର ହେଲା ପରୀକ୍ଷା ଦ୍ୱନ୍ଦ୍ୱ । ଘୁଞ୍ଚିଲା ଓଟିଇଟି ପରୀକ୍ଷା । ଜୁନ ୨୮ ପରିବର୍ତ୍ତେ ଜୁଲାଇ ୫ରେ ହେବ ପରୀକ୍ଷା । ମାଧ୍ୟମିକ ଶିକ୍ଷା ପରିଷଦପକ୍ଷରୁ ତାରିଖ ଘୋଷଣା ହୋଇଛି । ଜୁନ ୨୮ ରେ ଆରଆଇ ଅମିନ ଏବଂ ଓଟିଇଟି ପରୀକ୍ଷା ହେବାକୁ ଥିଲା । ତେବେ ଗୋଟିଏ ଦିନରେ ଦୁଇଟି ପରୀକ୍ଷାକୁ ନେଇ ଦ୍ବନ୍ଦରେ ଥିଲେ ପରୀକ୍ଷାର୍ଥୀ । ଆରଆଇ ଅମିନ ପରୀକ୍ଷା ପାଇଁ ଏହି ପରୀକ୍ଷାକୁ ଘୁଞ୍ଚାଇଲା ବୋର୍ଡ । ପରୀକ୍ଷାର୍ଥୀ ମାନେ ଆଡମିଟକାର୍ଡ ଡାଉନଲୋଡ଼ କରିସାରିଥିଲେ ଆଉଥରେ ଡାଉନଲୋଡ଼ କରିବାକୁ ମନା କରାଯାଇଛି ।
ପରୀକ୍ଷା ସୂଚୀ ଅନୁଯାୟୀ, ପେପର-୧ ପରୀକ୍ଷା ସକାଳ ୯ଟାରୁ ୧୧ଟା ୩୦ ମିନିଟ ପର୍ଯ୍ୟନ୍ତ ଚାଲିବ । ସେହିପରି ପେପର-୨ ପରୀକ୍ଷା ଅପରାହ୍ନ ୨ଟାରୁ ୪ଟା ୩୦ ମିନିଟ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ପରୀକ୍ଷାକୁ ସୁଚାରୁ ଓ ସ୍ୱଚ୍ଛ ଭାବେ ପରିଚାଳନା କରିବା ପାଇଁ ରାଜ୍ୟ ସରକାର ଏବଂ ବୋର୍ଡ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି ଆରମ୍ଭ ହୋଇଛି । ପରୀକ୍ଷାର୍ଥୀମାନଙ୍କୁ ସମୟ ପୂର୍ବରୁ କେନ୍ଦ୍ରରେ ପହଞ୍ଚିବା ସହ ନିର୍ଦ୍ଧାରିତ ନିୟମାବଳୀ ପାଳନ କରିବାକୁ ବୋର୍ଡ ପକ୍ଷରୁ ପରାମର୍ଶ ଦିଆଯାଇଛି ।
ସୂଚନା ଅନୁସାରେ ପୂର୍ବରୁ ଓଟିଇଟି ପରୀକ୍ଷା ଜୁନ ୨୧ କରିବାକୁ ସ୍ଥିର କରିଥିବା ବେଳେ ସେହିଦିନ ନିଟ ପରୀକ୍ଷା ପାଇଁ ଅନୁଷ୍ଠିତ ହୋଇଥିଲା ଇ ତେଣୁ ପରୀକ୍ଷାକୁ ଜୁନ ୨୮ କୁ ଘୁଞ୍ଚାଇଥିଲା । ତେବେ ଓଏସଏସଏସସି ପକ୍ଷରୁ ଜୁନ ୨୮ ରେ ଆରଆଇ ଅମିନ ପରୀକ୍ଷା ପାଇଁ ଦିନ ଧାର୍ଯ୍ୟ ହେବା ପରେ ବୋର୍ଡ କର୍ତ୍ତୃପକ୍ଷ ପୁଣି ଓଟିଇଟି ପରୀକ୍ଷା ଜୁଲାଇ ୫କୁ ଘୁଞ୍ଚାଇବାକୁ ବାଧ୍ୟ ହୋଇଛନ୍ତି ।
ସୂଚନାନୁସାରେ, ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ଓଟିଇଟି ପରୀକ୍ଷା ପାଇଁ ଚଳିତ ବର୍ଷ ମୋଟ ୯୭,୧୫୧ ଜଣ ପ୍ରାର୍ଥୀ ଆବେଦନ କରିଛନ୍ତି । ସେଥିମଧ୍ୟରୁ ପେପର-୧ ପାଇଁ ୨୮,୮୨୧ ଜଣ ଏବଂ ପେପର-୨ ପାଇଁ ୬୮,୩୩୦ ଜଣ ପ୍ରାର୍ଥୀ ଆବେଦନ କରିଛନ୍ତି । ଏହି ପ୍ରାର୍ଥୀମାନଙ୍କ ମଧ୍ୟରେ ୧୩,୫୪୪ ଜଣ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀ ରହିଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ମୋଟ ୩୧୧ଟି ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା ଆୟୋଜିତ ହେବ ।