ଜେଲ ଗଲେ ତିଖିରୀ ସରପଞ୍ଚ

କେନ୍ଦ୍ରାପଡା : ତିଖିରି ସରପଞ୍ଚ ଚାମେଲି ଓଝାଙ୍କୁ ଜେଲ । ବିଡିଓ ଓ ପୋଲିସକୁ ଦୁର୍ବ୍ୟବାହର କରିବା ଓ ଆଙ୍ଗୁଠି କାମୁଡ଼ିବା ଘଟଣାରେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ତିଖିରି ପଞ୍ଚାୟତ ସରପଞ୍ଚ ଚାମେଲି ଓଝାଙ୍କୁ SDJMଙ୍କ କୋର୍ଟରେ ହାଜର ପରେ ବାରିମୂଳ ଜେଲ ପଠାଇ ଦିଆଯାଇଛି ।
ଗତ ଜୁନ୍ ୧୦ ତାରିଖରେ ନିଜ ପଞ୍ଚାୟତର ସମସ୍ୟା ନେଇ ଚାମେଲି ମହାକାଳପଡ଼ା ବିଡିଓଙ୍କ ପାଖକୁ ଯାଇଥିଲେ l ସେଠାରେ ଭିଡିଓ ଶୁଟିଂ କରିବାରୁ ଆରମ୍ଭ ହୋଇଥିଲା ବିବାଦ l ବିଡିଓଙ୍କ ଫୋନ୍ ପାଇ ମହାକାଳପଡ଼ା ପୋଲିସ ପହଞ୍ଚି ଚାମେଲି ଓ ତାଙ୍କ ଭାଇଙ୍କୁ ଥାନାକୁ ନେଇଥିଲା । ଏହାର ଲାଇଭ୍ ଭିଡିଓ କରି ସେ ସୂଚନା ଦେଇଥିଲେ । ମହାକାଳପଡ଼ା ବିଡିଓ ଓ ପୋଲିସ ପକ୍ଷରୁ ଚାମେଲିଙ୍କ ବିରୁଦ୍ଧରେ ଭିନ୍ନ ଭିନ୍ନ ଏତଲା ଦିଆଯାଇଥିଲା l ଏହି ଏତଲା ଆଧାରରେ ପୋଲିସ ଗତ ୧୦ ତାରିଖରେ ଚାମେଲିଙ୍କ ଭାଇ ସୂର୍ଯ୍ୟକାନ୍ତଙ୍କୁ ଏବଂ ଶନିବାର ଚାମେଲି ଓଝାଙ୍କୁ ଗିରଫ କରିଥିଲା l ଗିରଫ ପରେ ଚାମେଲିଙ୍କୁ ବାରିମୂଳ ଜେଲ୍କୁ ପଠାଇ ଦିଆଯାଇଛି ।
ସେହିପରି ଗତକାଲି ମହାକାଳପଡ଼ା ଥାନା ଏସଆଇ ସନ୍ଧ୍ୟାରାଣୀ ବିଶ୍ୱାଳ ତାଙ୍କ ନାମରେ ଅଭିଯୋଗ କରିଥିଲେ । ଯାହାକୁ ନେଇ ପୋଲିସ ମାମଲା ରୁଜୁ କରିଥିଲା । ଆଉ ଆଜି ଡାକ୍ତରଙ୍କ ସହ ପରାମର୍ଶ ପରେ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରୁ ଚାମେଲିଙ୍କୁ ଉଠାଇ ଆଣି କୋର୍ଟ ଚାଲାଣ କରିଥିଲା । ଆଜି ଛୁଟି ଥିବାରୁ ଜେଏମଏଫସିଙ୍କ ବାସଭବନରେ ହାଜର କରାଇ ଜାମିନ ନାମଞ୍ଜୁର ହେବାରୁ ଜେଲକୁ ପଠାଇଥିଲା ପୋଲିସ ।
କେନ୍ଦ୍ରାପଡା ଜିଲ୍ଲା ସରପଞ୍ଚ ସଂଘ ସଭାପତି ଭାବେ ଦାୟିତ୍ବ ନିର୍ବାହ କରୁଛନ୍ତି ଚାମେଲୀ । ତେଣୁ ସଂଘର ସମ୍ପାଦକ ସଞ୍ଜୟ ସେଠୀଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଏସ୍ପିଙ୍କୁ ଭେଟି ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି । ସେହିପରି ଚାମେଲି ଓଝା ମଧ୍ୟ ମୁଖମନ୍ତ୍ରୀଙ୍କୁ ଘଟଣାରେ ଚିଠି ଲେଖି ଜଣାଇଛନ୍ତି ।ସେପଟେ ଚାମେଲି ଓଝାଙ୍କୁ ଉଚିତ ନ୍ୟାୟ ଦାବିରେ କଂଗ୍ରେସ ପକ୍ଷରୁ ମହାକାଳପଡ଼ା ଥାନା ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।