ଔଷଧ ଖାଇ ଝାରପଡା ଜେଲ ରେ ୭ କଏଦୀ ଅସୁସ୍ଥ

Jun 24, 2026 - 12:46
ଔଷଧ ଖାଇ ଝାରପଡା ଜେଲ ରେ ୭ କଏଦୀ ଅସୁସ୍ଥ

ଭୁବନେଶ୍ୱର : ଝାରପଡା ଜେଲରେ ଘଟିଛି ଏକ ଚିନ୍ତାଜନକ ଘଟଣା । କୌଣସି ଔଷଧ (ନିଶା ଜନିତ ) ଖାଇ ୭ ଜଣ କଏଦୀ ଅସୁସ୍ଥ ହୋଇ ପଡିଛନ୍ତି । ଅସୁସ୍ଥ କଏଦୀମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ଏବଂ ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ଏମାନଙ୍କ ଭିତରୁ ଜଣେ ମାଓନେତା ଥିବାରୁ ହସ୍ପିଟାଲ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ତେବେ ଜେଲ ଭିତରେ ପ୍ରବଳ ନିଶା କାରବାର ହେଉଥିବାରୁ ବ୍ରାଉନସୁଗର ଖାଇ ଅସୁସ୍ଥ ହୋଇଥିବା ଅନୁମାନ କରାଯାଉଛି । କିନ୍ତୁ ଏନେଇ କୌଣସି ସଠିକ ତଥ୍ୟ ମିଳିପାରି ନାହିଁ । 

ସୂଚନାନୁସାରେ, ମିଳିଥିବା ସୂଚନା ମୁତାବକ, ମଙ୍ଗଳବାର ଅପରାହ୍ଣରେ କଏଦୀ ମାନେ କାରାଗାର କ୍ୟାଣ୍ଟିନ୍‌ରୁ ଜଳଖିଆ ଓ ଅନ୍ୟାନ୍ୟ ଖାଦ୍ୟ ଖାଇଥିଲେ । ଏହାପରଠୁ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି଼ ଯାଇଥିଲା । ସେମାନଙ୍କୁ ପ୍ରଥମେ କାରାଗାର ଭିତରେ ଥିବା ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ ମଧ୍ୟ ଅବସ୍ଥାରେ ସୁଧାର ନ ଆସିବାରୁ ସନ୍ଧ୍ୟା ୫ଟାରେ ୫ଜଣ କଏଦୀଙ୍କୁ ଆମ୍ବୁଲାନ୍ସ ଯୋଗେ ତୁରନ୍ତ କ୍ୟାପିଟାଲ ହସ୍ପିଟାଲ ପଠାଯାଇଥିଲା । ସେମାନେ ହେଲେ, ସାଜିଦ୍‌ ଖାନ୍‌, ସୀମାଞ୍ଚଳ କୁଞ୍ଜ, ବିକାଶ ପାଇଥଳ, ବାବୁଲା ପ୍ରଧାନ, ରୁପୁ ସିଂ । ସେଠାରେ ସ୍ୱାସ୍ଥ୍ୟାବସ୍ଥା ଆହୁରି ସଙ୍ଗୀନ ହୋଇଥିଲା । ୩ ଜଣଙ୍କୁ ତୁରନ୍ତ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । କ୍ୟାପିଟାଲ ହସ୍ପିଟାଲରେ ଆଇସିୟୁରେ ବେଡ୍‌ ନ ଥିବାରୁ ଅନ୍ୟ ୨ଜଣଙ୍କୁ ତୁରନ୍ତ ଏମ୍‌ସକୁ ସ୍ଥାନାନ୍ତର କରାଯାଇଥିଲା । ସେମାନଙ୍କ ଭିତରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। 

ଏହି ଘଟଣାକୁ ନେଇ ଜେଲ୍‌ ସୁପରିଣ୍ଟେଣ୍ଡେଣ୍ଟ ସର୍ବେଶ୍ୱର ସାହୁ କହିଛନ୍ତି ଯେ, ପ୍ରାଥମିକ ତଦନ୍ତରୁ କୌଣସି ଔଷଧ କିମ୍ବା ମେଡିସିନ୍‌ ସେବନ କରିବା ଫଳରେ କଏଦୀମାନେ ଅସୁସ୍ଥ ହୋଇଥିବା ସନ୍ଦେହ କରାଯାଉଛି । ଏହା ଖାଦ୍ୟ ବିଷକ୍ରିୟା କିମ୍ବା ନିଶାଦ୍ରବ୍ୟ ସେବନ ଜନିତ ଘଟଣା ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।“ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ଜେଲ୍‌ ପରିସରର ସିସିଟିଭି ଫୁଟେଜ୍‌ ଯାଞ୍ଚ କରାଯାଉଛି । ତଦନ୍ତ ଶେଷ ହେବା ପରେ ସମ୍ପୂର୍ଣ୍ଣ ଚିତ୍ର ସ୍ପଷ୍ଟ ହେବ।”ବୋଲି ସେ କହିଛନ୍ତି ।

ଘଟଣାର ଗୁରୁତ୍ୱକୁ ଦେଖି ଭୁବନେଶ୍ୱର ଡିସିପି ଜଗମୋହନ ମୀନା ହସ୍ପିଟାଲକୁ ଯାଇ ଅସୁସ୍ଥ କଏଦୀମାନଙ୍କ ସ୍ୱାସ୍ଥ୍ୟାବସ୍ଥାର ସମୀକ୍ଷା କରିଛନ୍ତି। ଅନ୍ୟପଟେ ଜେଲ୍‌ କର୍ତ୍ତୃପକ୍ଷ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିତ ଭାବେ ତଦନ୍ତ ଜାରି ରହିଛି । ଘଟଣାର ପ୍ରକୃତ କାରଣ କ’ଣ ଏବଂ କଏଦୀମାନେ କେଉଁ ଔଷଧ ସେବନ କରିଥିଲେ, ତାହା ତଦନ୍ତ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ।