ଜାତୀୟ ‘ନାଦେରୀ ନୃତ୍ୟୋତ୍ସବ-୨୦୨୬’: ସତ୍ୟବାଦୀର ଗୋଟିପୁଅ ନୃତ୍ୟାନୁଷ୍ଠାନ ସମ୍ବର୍ଦ୍ଧିତ
ସାକ୍ଷୀଗୋପାଳ, ,୨୮।୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ତେଲେଙ୍ଗାନାରେ ଅନୁଷ୍ଠିତ ଜାତୀୟ ‘ନାଦେରୀ ନୃତ୍ୟୋତ୍ସବ-୨୦୨୬’ରେ ଉଚ୍ଚକୋଟୀର ପାରମ୍ପରିକ ଗୋଟିପୁଅ ନୃତ୍ୟ ପରିବେଷଣ କରି ସତ୍ୟବାଦୀ ଅଞ୍ଚଳର ‘ନୀଳାଦ୍ରୀ ଗୋଟିପୁଅ ନୃତ୍ୟ ପରିଷଦ’ର କଳାକାରମାନେ ଗୌରବାର୍ଜନ କରିବା ସହ ସମ୍ବର୍ଦ୍ଧିତ ହୋଇଛନ୍ତି। ଚଳିତ ମାସ ୨୫ ଓ ୨୬ ତାରିଖ ଦୁଇ ଦିନ ଧରି ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା।
ଏହି ଉତ୍ସବରେ କଳାକାରମାନଙ୍କର ‘ବନ୍ଧ ନୃତ୍ୟ’ କଳାକୌଶଳ ଏବଂ ଆଧ୍ୟାତ୍ମିକ ଉପସ୍ଥାପନା ଦର୍ଶକଙ୍କୁ ବେଶ୍ ଆକର୍ଷିତ କରିଥିଲା। ଓଡ଼ିଶାର ପାରମ୍ପରିକ ନୃତ୍ୟ କଳାକୁ ଜୀବନ୍ତ ରଖିବାରେ ନିରବଚ୍ଛିନ୍ନ ଉଦ୍ୟମ ଚଳାଇଥିବା ଅନୁଷ୍ଠାନର ସମ୍ପାଦକ ସୁଦର୍ଶନ ରାୟଙ୍କୁ ତାଙ୍କର ଦୀର୍ଘଦିନର ସାଂସ୍କୃତିକ ସେବା, ଗୋଟିପୁଅ ନୃତ୍ୟର ପ୍ରଚାର-ପ୍ରସାର ଏବଂ ନୂତନ ପିଢ଼ିର କଳାକାର ସୃଷ୍ଟିରେ ଅବଦାନ ପାଇଁ ଅତିଥିମାନେ ‘ୟାଦାରୀ ଜାତୀୟ ସମ୍ମାନ-୨୦୨୬’ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।
ଓଡ଼ିଶା ସରକାରଙ୍କ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସହଯୋଗ କ୍ରମେ ଏବଂ ତେଲେଙ୍ଗାନାର କଳାକୀର୍ତ୍ତୀ ନୃତ୍ୟାଳୟ ପକ୍ଷରୁ ହାଇଦ୍ରାବାଦର ରବିନ୍ଦ୍ର ଭାରତୀ ପ୍ରେକ୍ଷାଳୟରେ ଏହି ନୃତ୍ୟ ପରିବେଷଣ କରାଯାଇଥିଲା। ଏହି ଜାତୀୟ ସ୍ୱୀକୃତି ଗୋଟିପୁଅ ନୃତ୍ୟ ପରମ୍ପରା ଏବଂ ସମଗ୍ର ଓଡ଼ିଶା ପାଇଁ ଏକ ଗୌରବର ବିଷୟ ହୋଇଥିବା ବେଳେ ଏହାକୁ ନେଇ କଳାପ୍ରେମୀ ମହଲରେ ବେଶ୍ ଖୁସିର ଲହରୀ ଖେଳିଯାଇଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।