ଜମ୍ମୁ-କଶ୍ମୀରରେ ଭୟଙ୍କର ଭୂସ୍ଖଳନ: ୧୬ ମୃତ, ଅନେକ ନିଖୋଜ
ନୂଆଦିଲ୍ଲୀ,୧୯।୭: ଉତ୍ତର ଏବଂ ପୂର୍ବ ଭାରତରେ ଦକ୍ଷିଣ-ପଶ୍ଚିମ ମୌସୁମୀ ସକ୍ରିୟ ରହିବା ଯୋଗୁ ପ୍ରବଳ ବର୍ଷା ସାଙ୍ଗକୁ ଭୂସ୍ଖଳନରେ ୧୬ ଜଣଙ୍କ ମୃତ୍ୟୁ ଘଟିଛି। ଏପରିକି ଅନେକ ନିଖୋଜ ଥିବା ସୂଚନା ମିଳିଛି।
ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆସନ୍ତା ୬ରୁ ୭ ଦିନ ଉତ୍ତର, ପୂର୍ବ ଏବଂ ଉତ୍ତର-ପୂର୍ବ ଭାରତରେ ମୌସୁମୀ ସକ୍ରିୟ ରହିବା ସାଙ୍ଗକୁ ବର୍ଷା ହେବାନେଇ ପୂର୍ବାନୁମାନ କରାଯାଇଛି। ଅନ୍ୟପକ୍ଷେ ଜମ୍ମୁ ଏବଂ କଶ୍ମୀରରେ ପ୍ରବଳ ବର୍ଷା ହୋଇ ଅଧିକ କ୍ଷତିଗ୍ରସ୍ତ ହୋଇଛି। ପୁଞ୍ଚ ଏବଂ ରାଜୌରୀର ଯୋଡ଼ା ସୀମାବର୍ତ୍ତୀ ଜିଲାଗୁଡ଼ିକରେ ବାଦଲ ଫଟା ବର୍ଷା ଯୋଗୁ ଭୂସ୍ଖଳନ ଏବଂ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ଅତିକମରେ ୧୧ଜଣଙ୍କ ମୃତ୍ୟୁ ହୋଇଛି । ଅନେକ ନିଖୋଜ ଅଛନ୍ତି।
ପୁଞ୍ଚ ଜିଲାର ସୁରନକୋଟ ତହସିଲ ଅଞ୍ଚଳରେ ସବୁଠାରୁ ଅଧିକ କ୍ଷୟକ୍ଷତି ହୋଇଛି। ଏପରିକି ସମ୍ପୃକ୍ତ ଅଞ୍ଚଳରେ ମୃତ୍ୟୁ ସଂଖ୍ୟା ମଧ୍ୟ ଅଧିକ ହୋଇଛି। ଅଧିକାରୀଙ୍କ କହିବା ମୁତାବକ, ନିରନ୍ତର ବର୍ଷା ଏବଂ କ୍ଷତିଗ୍ରସ୍ତ ରାସ୍ତା ମଧ୍ୟରେ ନିଖୋଜଙ୍କୁ ଖୋଜିବା କଷ୍ଟକର ହେଉଥିବା କହିଛନ୍ତି।
ଇତିମଧ୍ୟରେ ପ୍ରସ୍ତାବିତ ରାଜ୍ୟ ମାନ୍ୟତା ପ୍ରତିବାଦ ପାଇଁ ଦିଲ୍ଲୀରେ ଥିବା ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଜାତୀୟ ରାଜଧାନୀରେ ତାଙ୍କର ରହଣି କମାଇ ଜମ୍ମୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି।
ଉପରାଜ୍ୟପାଳ ମନୋଜ ସିହ୍ନା ବର୍ଷା ଏବଂ ବନ୍ୟା ପ୍ରଭାବିତ ଜିଲାଗୁଡ଼ିକର ପରିସ୍ଥିତି ସମୀକ୍ଷା କରିଛନ୍ତି। ଏପରିକି ପ୍ରଭାବିତ ପରିବାରଗୁଡ଼ିକୁ ତୁରନ୍ତ ରିଲିଫ ଏବଂ ସହାୟତା ସୁନିଶ୍ଚିତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଏହା ବ୍ୟତୀତ, ପାଣିପାଗ ବିଭାଗ ଆଗାମୀ କିଛି ଦିନ ମଧ୍ୟରେ ଜମ୍ମୁ ଏବଂ କାଶ୍ମୀରରେ ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରିଥିବାରୁ କର୍ତ୍ତୃପକ୍ଷ ପହଲଗାମ ଏବଂ ବାଲତାଲ ରୁଟ୍ରେ ଅମରନାଥ ଯାତ୍ରାକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖିଛନ୍ତି। ଅଧିକାରୀମାନେ କାଶ୍ମୀର ଅଞ୍ଚଳର ବାଲତାଲ ଏବଂ ନୂନୱାନ/ଚନ୍ଦନୱାରି ବେସ କ୍ୟାମ୍ପ ଏବଂ ଜମ୍ମୁର ଭଗବତୀନଗର ଯାତ୍ରୀ ନିବାସରୁ ଆଗକୁ ଗତି କରିବାକୁ ନିଷେଧ କରିଛନ୍ତି।
ରବିବାର ଭୋରରୁ କାଶ୍ମୀର ଜଙ୍ଗଲରେ ବାଦଳ ଫଟା ବର୍ଷା ଆରମ୍ଭ ହୋଇଥିଲା। ପାଣିପାଗ ବିଭାଗ ଜମ୍ମୁ ଏବଂ କଶ୍ମୀରରେ ଜୁଲାଇ ୧୯ରୁ ୨୩ ପର୍ଯ୍ୟନ୍ତ ବର୍ଷା ହେବାନେଇ ପୂର୍ବାନୁମାନ କରିଛି।
ଏପରିକି ଉତ୍ତରାଖଣ୍ଡ, ହରିଦ୍ୱାର ଜିଲ୍ଲାରେ ବଜ୍ରପାତ ଯୋଗୁଁ ୨ଜଣଙ୍କ ମୃତ୍ୟୁ ହୋଇଛି। ନିରନ୍ତର ବର୍ଷା ଯୋଗୁ ୧୦ଟି ଜିଲା ପାଇଁ ରେଡ୍ ଏବଂ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ରାଜ୍ୟ ଜରୁରୀକାଳୀନ ଅପରେଶନ ସେଣ୍ଟର (SEOC) ଅନୁଯାୟୀ, ଅବିରତ ବର୍ଷା ଏବଂ ଭୂସ୍ଖଳନ ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ଦୁଇଟି ଜାତୀୟ ରାଜପଥ ସମେତ ୮୪ଟି ରାସ୍ତା ଅବରୋଧ ହୋଇଛି।
ଆଗାମୀ କିଛି ଦିନ ପାଇଁ ରବିବାରଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ସତର୍କତା ଜାରି କରିଛି ପାଣିପାଗ ବିଭାଗ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।