ଜଗା ଦର୍ଶନ ପାଲଟିଲା ଶେଷ ଯାତ୍ରା, ଚା’ କପ୍‌ ଧରି ଟ୍ରେନ୍‌ରେ ଚଢ଼ୁଥିବା ସମୟରେ…

Jul 20, 2026 - 09:23
ଜଗା ଦର୍ଶନ ପାଲଟିଲା ଶେଷ ଯାତ୍ରା, ଚା’ କପ୍‌ ଧରି ଟ୍ରେନ୍‌ରେ ଚଢ଼ୁଥିବା ସମୟରେ…

ଛତ୍ରପୁର, ୨୦।୭ (ଦିଲ୍ଲୀପ ସାମଲ): ଶ୍ରୀଜଗନ୍ନାଥଙ୍କ ଦର୍ଶନ ସାରି ଟ୍ରେନ୍‌ରେ ଘରକୁ ଫେରୁଥିବା ବେଳେ ଜଣେ ଭକ୍ତଙ୍କ ଅକାଳ ମୃତ୍ୟୁ ଘଟିଛି। ଛତ୍ରପୁର ରିକାପଲ୍ଲୀ ଅଞ୍ଚଳର ବାସିନ୍ଦା ରବୀନ୍ଦ୍ର ସେନାପତି (୭୦) ଟ୍ରେନ୍‌ରେ ଚଢ଼ୁଥିବା ସମୟରେ ଗୋଡ଼ ଖସିଯିବାରୁ ଟ୍ରେନ୍‌ ଚକା ତଳେ ପଡ଼ି ପ୍ରାଣ ହରାଇଥିବା ସୂଚନା ମିଳିଛି। ଏହି ଦୁର୍ଘଟଣା ସୋମବାର ସକାଳେ ଖୋର୍ଦ୍ଧା ଜିଲାର ନିରାକାରପୁର ରେଳ ଷ୍ଟେସନରେ ଘଟିଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ରବୀନ୍ଦ୍ର ସେନାପତି ରବିବାର ପୁରୀ ଯାଇ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଥିଲେ। ସେଠାରୁ ଖୋର୍ଦ୍ଧା ରୋଡ୍ ରେଳ ଷ୍ଟେସନକୁ ଆସି ହାଓଡ଼ା–ତିରୁପତି ଏକ୍ସପ୍ରେସ୍‌ ଯୋଗେ ଛତ୍ରପୁର ଫେରୁଥିଲେ। ଟ୍ରେନ୍‌ଟି ନିରାକାରପୁର ଷ୍ଟେସନରେ ଅଟକିଥିବା ବେଳେ ସେ ଚା’ ନେବା ପାଇଁ ଓହ୍ଲାଇଥିଲେ। ପରେ ହାତରେ ଚା’ କପ୍‌ ଧରି ଟ୍ରେନ୍‌ରେ ଚଢ଼ୁଥିବା ସମୟରେ ହଠାତ୍ ଟ୍ରେନ୍‌ ଚାଲିଯାଇଥିଲା। ଫଳରେ ତାଙ୍କ ଗୋଡ଼ ଖସିଯାଇ ସେ ଟ୍ରେନ୍‌ ଚକା ତଳେ ପଡ଼ିଯାଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ଖବର ପାଇ ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌) ଏବଂ ରେଳବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ସୂଚନା ମିଳିଛି। ଘଟଣାକୁ ନେଇ ରିକାପଲ୍ଲୀ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।