ଚୌଦ୍ୱାର ଜେଲ୍ ଅଧୀକ୍ଷକଙ୍କୁ ଅନୁକମ୍ପା କାହିଁକି ? ଭଦ୍ରକ ଜେଲ୍ରେ ବି ଅର୍ଥ ହେର୍ଫେର୍ କରିଥିଲେ!
କଟକ,୨୯/୦୬: ବିବାଦରେ ଥିବା ଚୌଦ୍ୱାର ଜେଲ୍ର ଅଧୀକ୍ଷକ ସୁଜିତ ରାଉଳଙ୍କୁ କେବଳ ଦୁଇ ବିହାରୀ କଏଦୀ ଫେରାର୍ ହେବା ଘଟଣାରେ ଘଣ୍ଟ ଘୋଡ଼ାଯାଇନି । ରେକର୍ଡ କହୁଛି ଶ୍ରୀ ରାଉଳ ଭଦ୍ରକ କାରାଗାରରେ ଜେଲର୍ ଥିବା ବେଳେ ତାଙ୍କ ବିରୋଧରେ ଆର୍ଥିକ ଅନିୟମିତତା ଅଭିଯୋଗ ଆସିଥିଲା । କ୍ୟାଣ୍ଟିନ୍ ଅର୍ଥ ହଡ଼ପ କରିଥିବା ତଦନ୍ତ ବେଳେ ଜଣାପଡ଼ିଲା । ମାତ୍ର ଏତେସବୁ ପରେ ମଧ୍ୟ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେଲାନି । ବରଂ କିଛି ମାସ ପରେ ତାଙ୍କୁ ଅଧୀକ୍ଷକ ଭାବେ ପଦୋନ୍ନତି ମିଳିଲା । ଏହି କ୍ରମରେ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଚୌଦ୍ୱାର ସର୍କଲ୍ ଜେଲ୍ର ଅଧୀକ୍ଷକ କରାଗଲା । ସେ ଯୋଗ ଦେବା ପରଠୁ ତାଙ୍କ ବିରୋଧରେ ମାଳମାଳ ଅଭିଯୋଗ ଆସିବା ସତ୍ତେ୍ୱ ଜେଲ୍ ବିଭାଗ ଶ୍ରୀ ରାଉଳଙ୍କ ଉପରେ ଅହେତୁକ ଅନୁକମ୍ପା ଦେଖାଇ ଚାଲିଛି କାହିଁକି ସେ ପ୍ରଶ୍ନ ଏବେ ଖୋଦ୍ ବିଭାଗରେ ଘୂରି ବୁଲୁଛି ।
୨୦୨୨ ମସିହାରେ ସୁଜିତ ରାଉଳ ଭଦ୍ରକ କାରାଗାରରେ ଜେଲର୍ ଭାବେ କାମ କରୁଥିଲେ । ଏହି ସମୟରେ ଜେଲ୍ର କ୍ୟାଣ୍ଟିନ୍ ପାଇଁ ହେଉଥିବା ଖର୍ଚ୍ଚରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ଆସିଥିଲା । ସେ କ୍ୟାଣ୍ଟିନ୍ ଟଙ୍କା ହେରଫେର୍ କରିଛନ୍ତି ବୋଲି ସଙ୍ଗିନ ଅଭିଯୋଗ ହେଲା । ବିଭାଗୀୟ ଖୋଳତାଡ଼ରେ ସତ୍ୟତା ଥିବା ଜାଣିବା ପରେ ଶ୍ରୀ ରାଉଳଙ୍କଠାରୁ ଡିଡିଓ ଚାର୍ଜ ବା ଆର୍ଥିକ କାରବାରର କ୍ଷମତା କାଢ଼ି ନିଆଯାଇଥିଲା । ପରେ ଏନେଇ ବିଭାଗ ପକ୍ଷରୁ ତଦନ୍ତ ହୋଇଥିଲା । ଯାହା ଶ୍ରୀ ରାଉଳଙ୍କ ଚାକିରି କାଳରେ ଏକ ଦାଗ ଲଗାଇଥିଲା । ମାତ୍ର ଶ୍ରୀ ରାଉଳ ଜେଲ୍ ବିଭାଗ ଉପରେ ରଖିଥିବା ଦବ୍ଦବା ବଳରେ ସବୁ ଦାଗ ହଟାଇଦେଲେ । କିଛି ବର୍ଷ ପରେ ତାଙ୍କୁ ଅଧୀକ୍ଷକ ପଦବିକୁ ପଦୋନ୍ନତି ମିଳିଲା । ଏମିତିକି ହେରଫେର୍ କରିଥିବା ଟଙ୍କା କଥା ବିଭାଗ ପୂରା ଭୁଲିଗଲା । ପରେ ସେ ରାଜ୍ୟର ସର୍ବବୃହତ ମଣ୍ଡଳ କାରାଗାର ଚୌଦ୍ୱାର ଜେଲ୍ର ଦାୟିତ୍ୱ ନେଲେ । ଏହା ପରେ ବି ଏକାଧିକ ବିଷୟରେ ଶ୍ରୀ ରାଉଳ ବିବାଦକୁ ଆସି ଚୌଦ୍ୱାର ଜେଲ୍ ଅଧୀକ୍ଷକ ଭାବେ ଦାୟିତ୍ୱ ତୁଲାଉଛନ୍ତି । ଏମିତିକି ତାଙ୍କ ବିରୋଧରେ ଥାନାରେ ରେକର୍ଡ ଜାଲିଆତି ଭଳି ସଙ୍ଗିନ ଅଭିଯୋଗ ହେବା ଓ ସେହି ମାମଲାରେ ହାଇକୋର୍ଟରୁ ଆଗୁଆ ଜାମିନ ନେବା ପରେ ବି ଜେଲ୍ ବିଭାଗ ତାଙ୍କ ଉପରେ କୌଣସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କରୁନି । ଗଲା କିଛି ଦିନ ପୂର୍ବରୁ ଡି’ ବ୍ରଦର୍ସ ସହଯୋଗୀ ଲିଟୁଆ ଓରଫ ଭରତ ବେହେରା ଜେଲ୍ କ୍ୟାମ୍ପସ୍ ଭିତରକୁ ତାର ଥର୍ ଗାଡ଼ି ନେବା ବିଷୟ ଜଣାପଡ଼ ିବା ପରେ ଅଧୀକ୍ଷକଙ୍କୁ ଜେଲ୍ ବିଭାଗ ପକ୍ଷରୁ କେହି ବି କୈଫିୟତ ମାଗିନାହାନ୍ତି । ବରିଷ୍ଠ ଅଧିକାରୀମାନେ ତାଙ୍କୁ ଘଣ୍ଟ ଘୋଡ଼ାଇ ରଖିଛନ୍ତି । ଜେଲ୍ ଭାଙ୍ଗି ଦୁଇ ବିହାରୀ କଏଦୀ ଫେରାର୍ ଘଟଣାରେ ହେଉ ବା ଜଣେ ବିଚାରାଧୀନ ବନ୍ଦୀଙ୍କ ସୁନା ଅଳଙ୍କାର ଗାଏବ ଘଟଣାରେ ହେଉ ସବୁ ଘଟଣାରେ ତାଙ୍କ ବିରୋଧରେ ଉଠିଥିବା ଅଭିଯୋଗକୁ ଚାପି ଦିଆଯାଇଛି । ତାଙ୍କ ଉପରେ ଜେଲ୍ ବିଭାଗର ଏତେ ଅନୁକମ୍ପା କାହିଁକି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅଭିଯୋଗ ସମ୍ପର୍କରେ ଶ୍ରୀ ରାଉଳଙ୍କ ପ୍ରତିକ୍ରିୟା ପାଇଁ ତାଙ୍କୁ ବହୁବାର ଫୋନ୍ କରାଯାଇଥିଲେ ମଧ୍ୟ ସେ ଫୋନ୍ ନଉଠାଇବାରୁ ତାଙ୍କ ମତାମତ ମିଳିପାରିନି ।